#Lockdown ଦୁଃଖ: ସରିଲାଣି ସଂଚୟ, ସଂସାର ଚଳିବା ଚିନ୍ତାରେ ଶ୍ରମଜୀବୀ

କେନ୍ଦ୍ରାପଡ଼ା,୨(ପ୍ରଦୀପ କୁମାର ଜେନା) :କରୋନା ଡରରେ ସମଗ୍ର ଦେଶ ଲକଡାଉନ । ମାସେ ହେଲା କେହି ଘରୁ ବାହାରିପାରୁ ନାହାଁନ୍ତି । କାମ ଧନ୍ଦା ସବୁ ବନ୍ଦ । ଥିଲାବାଲା ଲୋକେ ସିନା ଚଳି ଯାଉଛନ୍ତି । ହେଲେ କେବଳ ନିଜ ଶ୍ରମ ଉପରେ ନିର୍ଭର କରି ଚଳୁଥିବା ଲୋକଙ୍କ ଚିନ୍ତା ଦିନକୁ ଦିନ ବଢିବାରେ ଲାଗିଛି । ମୁଲମଜୁରୀ ଲାଗି ପରିବାର ଚଳାଉଥିବା ଲୋକେ ଲକଡାଉନ ପୂର୍ବରୁ ମଜୁରୀ ଲାଗି ଯାହା ରୋଜଗାର କରୁଥିଲେ ସେଥିରେ ପରିବାର ଚଳାଇବା ପରେ ଯାହା ଅଳ୍ପ କିଛି ସଂଚୟ କରି ରଖିଥିଲେ ତାହା ଏବେ ସରିବାକୁ ବସିଛି ।

ଅବଶ୍ୟ ସରକାର ରାସନକାର୍ଡ଼ ଧାରୀଙ୍କୁ ୩ମାସର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଦେଇଛନ୍ତି ଓ ମୁଣ୍ଡ ପିଛା ୫ କିଲୋ ଲେଖାଏଁ ଚାଉଳ ବା ଗହମ ୩ମାସ ପାଇଁ ମାଗଣାରେ ଦେବାକୁ ଘୋଷଣା କରିଛନ୍ତି । ଏହି ଚାଉଳ ବା ଗହମରେ ଶ୍ରମଜୀବୀ ପରିବାରକୁ ଭାତ ବା ରୁଟି ମିଳିଯିବ । କିନ୍ତୁ ପନି ପରିବା ବା ତେଲଲୁଣ କିଣିବା ପାଇଁ ପଇସା କେଉଁଠୁ ଆସିବ ଏବେ ସେ ନେଇ ଶ୍ରମଜୀବୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାରେ ହଜାର ହଜାର ସଂଖ୍ୟାର ଭୂମୀହୀନ ଶ୍ରମଜୀବୀ ବାସ କରନ୍ତି । ସେମାନେ ମୁଖ୍ୟତଃ ଆଦିବାସୀ ଓ କେଳା ସମ୍ପ୍ରଦାୟ ଲୋକେ । ଏହି ଲୋକଙ୍କର ନିଜର ଜାଗା ବାଡ଼ି ନାହିଁ କି ସ୍ଥାୟୀ ଘର ଖଣ୍ଡେ ମଧ୍ୟ ନାହିଁ । ବିଭିନ୍ନ ଆଦିବାସୀ ବହୁଳ ଜିଲ୍ଲାରୁ ଏହି ଆଦିବାସୀମାନେ ବହୁ ବର୍ଷ ପୂର୍ବରୁ କେନ୍ଦ୍ରାପଡ଼ି ଜିଲ୍ଲାକୁ ଆସି ବିଭିନ୍ନ ସ୍ଥାନରେ ସରକାରୀ ବା ଦେବତୋର ଜାଗାରେ କୁଡ଼ିଆ ତିଆରି କରି ରହୁଛନ୍ତି । ସେହିପରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ସରକାରୀ ଜାଗା ବା ଦେବତୋର ଜାଗାରେ କେଳା ସମ୍ପ୍ରଦାୟ ଲୋକେ ବର୍ଷ ବର୍ଷ ଧରି ରହି ଶ୍ରମିକ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି । ଜିଲ୍ଲାରେ ରହୁଥିବା ଆଦିବାସୀମାନେ ମୁଖ୍ୟତଃ ନିର୍ମାଣ ଶ୍ରମିକ ଭାବେ କାମ କରୁଥିବା ବେଳେ କେଳା ସମ୍ପ୍ରଦାୟର ଲୋକମାନେ ମାଟିଖୋଳି ଜୀବୀକା ନିର୍ବାହ କରନ୍ତି । ପ୍ରତିଦିନ ମଜୁରୀ ଲାଗିଲେ ଆଦିବାସୀ ଓ କେଳା ସମ୍ପ୍ରଦାୟର ଲୋକଙ୍କ ଚୁଲି ଜଳେ । ହେଲେ ଲକଡାଉନ ଯୋଗୁ ସବୁ ନିର୍ମାଣ କାମ ବନ୍ଦ ହୋଇଯିବାରୁ ଏମାନଙ୍କ ହାତ ବନ୍ଦ ହୋଇଯାଇଛି । ରାସନକାର୍ଡ଼ରେ ମିଳିଥିବା ଚାଉଳ ବା ଗହମରେ ଏବେ ଏହି ଲୋକଙ୍କର ଗୁଜୁରାଣ ମେଂଟୁଛି । ଏପ୍ରିଲ ୨୦ ତାରିଖ ଠାରୁ ଲକଡାଉନକୁ କୋହଳ କରାଯିବା ସହ ବିଭିନ୍ନ ନିର୍ମାଣ କାମ ଆରମ୍ଭ କରିବାକୁ ସରକାର ଘୋଷଣା କରିଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ସ୍ଥାନରେ କୌଣସି କାମ ଆରମ୍ଭ ହୋଇନାହିଁ । ତେଣୁ ଶ୍ରମଜୀବୀଙ୍କୁ ମଧ୍ୟ କେହି କାମ କରିବାକୁ ଡାକି ନାହାଁନ୍ତି ।

ସେହିପରି ନିର୍ମାଣ କାମ ବା ମାଟିଖୋଳା କାମରେ ଏକ ଗୋଷ୍ଠିଗତ କାମ ହୋଇଥିବାରୁ ସେହି କାମରେ ସାମାଜିକ ଦୂରତ୍ୱ ରକ୍ଷା କରି କାମ କରିବା ସମ୍ଭବ ନୁହେଁ । ତେଣୁ ସମ୍ପୂର୍ଣ୍ଣ ଲକଡାଉନ ନଉଠିବା ପର୍ଯ୍ୟନ୍ତ ନିର୍ମାଣ କାମ ବା ମାଟିଖୋଳା କାମରେ ଏହି ଶ୍ରମଜୀବୀମାନେ ନିୟୋଜିତ ହେବାର ସମ୍ଭାବନା କମ ରହିଛି । ସାମାଜିକ ଦୂରତ୍ୱ ରକ୍ଷା କରି ନିର୍ମାଣ କାମ ବା ମାଟିଖୋଳା କାମ କରିବା କଷ୍ଟସାଧ୍ୟ ହୋଇଥିବାରୁ ସରକାରୀ ବା ବେସରକାରୀ ସ୍ତରରେ ଠିକାକାମ କରୁଥିବା ଠିକାଦାର ବା ରାଜମିସ୍ତ୍ରୀମାନେ ଶୀଘ୍ର କାମ ଆରମ୍ଭ କରୁନାହାଁନ୍ତି । ତେଣୁ ଲକଡାଉନ ନଉଠିବା ପର୍ଯ୍ୟନ୍ତ ଶ୍ରମଜୀବୀମାନେ କାମରେ ନିୟୋଜିତ ହୋଇ ରୋଜଗାର କରିବାର ସମ୍ଭାବନା କମ ରହିଛି । ଏହି ପରିସ୍ଥିତିରେ କେନ୍ଦ୍ରାପଡ଼ା ସହରର ତିନିମୁହାଁଣି ଛକ ନିକଟସ୍ଥ ଗୋବରୀ ନଦୀ ପଠାରେ ବାସ କରୁଥିବା ମୁଣ୍ଡପୋତା କେଳାମାନେ ବର୍ଷ ବର୍ଷ ଧରି ମାଟି ଖୋଳି ଜୀବୀକା ନିର୍ବାହ କରୁଛନ୍ତି । ହେଲେ ଏବେ ଲକଡାଉନ ଯୋଗୁ ସେମାନେ ରୋଜଗାର ହରାଇ ଘରେ ବସି ରହିଛନ୍ତି ଓ ସରକାର ଦେଇଥିବା ଚାଉଲ ଉପରେ ନିର୍ଭର କରି ତାଙ୍କ ପରିବାର ଚଳୁଛି ବୋଲି କେଳା ବସ୍ତିର ଯୁବକ କାଳିଆ ଦାସ କହିଛନ୍ତି । ସେହିପରି କେନ୍ଦ୍ରାପଡ଼ା ସ୍ୱୟଂ ଶାସୀତ ମହାବିଦ୍ୟାଳୟ ନିକଟସ୍ଥ କଜଳାରେ ପ୍ରାୟ ଦେଢଶହ ଆଦିବାସୀ ପରିବାର ବାସ କରୁଛନ୍ତି ଓ ସେମାନେ ନିର୍ମାଣ କାମ କରି ପରିବାର ପ୍ରତିପୋଷଣ କରନ୍ତି । କିନ୍ତୁ ଲକଡାଉନ ଯୋଗୁ ସମସ୍ତ ନିର୍ମାଣ କାମ ବନ୍ଦ ହୋଇଯିବାରୁ ତାଙ୍କ ରୋଜଗାର ବନ୍ଦ ହୋଇଯାଇଛି । ତାଙ୍କୁ ସରକାର ଦେଇଥିବା ଚାଉଳ ଓ ଗହମରେ ଗୁଜୁରାଣ ମେଂଟୁଛି ଓ ସେମାନେ କାମ କରି ସଂଚୟ କରିଥିବା ଅର୍ଥ ଏବେ ସରିଆସିଲାଣି । ତେଣୁ ତୁରନ୍ତ କାମ ଆରମ୍ଭ ନହେଲେ ସେମାନେ ଅସୁବିଧାର ସମ୍ମୁଖୀନ ହେବେ ବୋଲି କଜଳା ଆଦିବାସୀ ପଡ଼ାର ଯୁବକ ରେଂଟା ହେମ୍ବ୍ରମ କହିଛନ୍ତି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶ୍ରମିକମାନେ ପ୍ରତିଦିନ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଗାଡ଼ି ମଟର ଯୋଗେ ଯାଇ କାମ କରନ୍ତି । ଏହି ଆଦିବାସୀ ଲୋକେ କୁକୁଡ଼ା ପାଳନ କରି କିଛି କିଛି ରୋଜଗାର କରନ୍ତି । ପ୍ରତି ଆଦିବାସୀ ପରିବାର ପ୍ରାୟ ୧୦/୧୫ଟି ଲେଖା କୁକୁଡ଼ା ପାଳନ କରି କୁକୁଡ଼ା ଅଣ୍ଡା ଓ କୁକୁଡ଼ା ବିକ୍ରି କରି କିଛି ଉପାର୍ଜନ କରନ୍ତି । କିନ୍ତୁ ଗତ କିଛିଦିନ ପୂର୍ବେ ରୋଗ ହେବାରୁ ସବୁ କୁକୁଡ଼ା ମରିଯାଇଥିବାରୁ ତାଙ୍କର କୁକୁଡ଼ା ପାଳନରୁ ମଧ୍ୟ ଉପାର୍ଜନ ବନ୍ଦ ହୋଇଯାଇଛି ବୋଲି ରେଂଟା ମଧ୍ୟ କହିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନିର୍ମାଣ ଓ ମାଟିଖୋଳା କାମ କରୁଥିବା ଶ୍ରମିକମାନେ ଗାଡ଼ି ମଟର ଯୋଗେ ବିଭିନ୍ନ ସ୍ଥାନକୁ ଯାଇ କାମ କରନ୍ତି । ଲକଡାଉନ ଯୋଗୁ ଗାଡ଼ିମଟର ଚଳପ୍ରଚଳ ବନ୍ଦ ଥିବାରୁ ନିଜ ଘର ନିକଟରେ ନିଜ ଅଂଚଳରେ ଶ୍ରମିକମାନେ ପ୍ରତିଦିନ କାମ ପାଇବା କଷ୍ଟସାଧ୍ୟ । ତେଣୁ ଲକଡାଉନ ସମ୍ପୂର୍ଣ୍ଣ ନଉଠିବା ପର୍ଯ୍ୟନ୍ତ ଆଦିବାସସୀ ଓ କେଳା ସମ୍ପ୍ରଦାୟର ଶ୍ରମିକଙ୍କ ଅବସ୍ଥା ସୁୁଧୁରିବା କଷ୍ଟସାଧ୍ୟ ବୋଲି ରେଂଟା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published.