ଆଜିଠୁ #Lockdown କଟକଣା କୋହଳ, ରାଜଧାନୀରେ ପୂର୍ବ ଭଳି ବଳବତ୍ତର

ଭୁବନେଶ୍ବର, (ଓଡ଼ିଶା ଟାଇମ୍‌): ଓଡ଼ିଶା ସରକାରଙ୍କ ସ୍ଵତନ୍ତ୍ର ରିଲିଫ୍‌ କମିଶନର ତଥା ରାଜସ୍ଵ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ଜାରି କରିଥିବା ନିର୍ଦେଶାବଳୀ ଅନୁସାରେ ରାଜ୍ୟରେ ଲକ୍‌ଡାଉନ୍‌ କଟକଣାକୁ କୋହଳ କରାଯାଇଛି। ବିଭିନ୍ନ ସ୍ଥାନରେ ଶିଳ୍ପ, ବାଣିଜ୍ୟ କାରବାର ତଥା ବ୍ୟବସାୟକୁ ଚାଲୁ କରିବା ଲାଗି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସହର ଏବଂ ମ୍ୟୁନିସିପାଲିଟି ଅଞ୍ଚଳ ବାଦ୍‌ ଗ୍ରାମାଞ୍ଚଳରେ ଲକ୍‌ଡାଉନ୍‌ କେତୋଟି ନିର୍ଦିଷ୍ଟ ବିଷୟକୁ ଛାଡ଼ି ପ୍ରାୟ ସବୁଥିରେ କୋହଳ ହୋଇଥିବା ବେଳେ ସହରାଞ୍ଚଳରେ ଏଥିରେ ଆଂଶିକ କଟକଣା ରହିଛି। ହେଲେ ଯେଉଁ ଜିଲ୍ଲାଗୁଡ଼ିକରେ ପୂର୍ବରୁ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି ଭାରତ ସରକାରଙ୍କ ନିର୍ଦେଶ ତଥା ରାଜ୍ୟରେ ସେହି ଅଞ୍ଚଳରେ ସଂକ୍ରମଣକୁ ଅବରୋଧ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଏହିକ୍ରମରେ ସଂକ୍ରମିତ ଜିଲ୍ଲାରେ ଏହି ଲକ୍‌ଡାଉନ୍‌ କୋହ ସୁବିଧା ରହିବ ନାହିଁ।

ସେହିପରି ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଲକ୍‌ଡାଉନ୍‌ ବଳବତ୍ତର ରହିବ ଏବଂ ଏହାକୁ ପାଳନ କରିବାକୁ ନାଗରିକଙ୍କୁ ଅନୁରୋଧ କରାଯାଇଛି। ପରବର୍ତ୍ତୀ ସମୀକ୍ଷା ନହେବା ଯାଏ ଏହି ପରିସ୍ଥିତି ସେମିତି ଚାଲୁ ରହିବ ବୋଲି ବିଏମ୍‌ସି ଟ୍ବିଟର ମାଧ୍ୟମରେ ଜଣାଇଛି।

ରାଜଧାନୀ ଭୁବନେଶ୍ଵରରୁ ଓଡ଼ିଶାର ସର୍ବାଧିକ କରୋନା ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇଥିଲା। ଅବଶ୍ୟ ଗତ ୬ ଦିନ ହେଲା ଏଠାରୁ ଆଉ ନୂତନ ସଂକ୍ରମଣ ଠାବ କରାଯାଇ ନାହିଁ। ଶେଷ କରୋନା ରୋଗୀଙ୍କୁ ୧୪ ତାରିଖ ଦିନ ଚିହ୍ନଟ କରାଯାଇଥିଲା। ଏହିକ୍ରମରେ ସାରା ଭାରତରେ ଭୁବନେଶ୍ଵରକୁ ଏକ ହଟ୍‌ସ୍ପଟ୍‌ ଭାବେ ଗ୍ରହଣ କରାଯାଉଛି। ଏଣୁ ସୋମବାରଠାରୁ ଯେଉଁ କଟକଣା କୋହଳ ହେବ ସେଥିରୁ ଭୁବନେଶ୍ଵର ସହରକୁ ବାଦ୍‌ ଦିଆଯାଇଛି। ଏଠାରେ ଲୋକେ ଅଯଥାରେ ଉତ୍ସାହିତ ହୋଇ ଘରୁ ବାହାରନ୍ତୁ ନାହିଁ ବୋଲି ଟ୍ବିଟ୍‌ କରି ପୁଲିସ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ପୂର୍ବଭଳି ଏଠାରେ ଲକ୍‌ଡାଉନ୍‌ ବଳବତ୍ତର ରହିବ। ଯିଏ ଏହାର ଉଲ୍ଲଙ୍ଘନ କରିବ, ଆଇନ ଅନୁଯାୟୀ ପୂର୍ବବତ୍‌ ତା’ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ଯେ ରାଜ୍ୟ ସରକାରୀ କର୍ମଚାରୀ ନିଜର ପରିଚୟପତ୍ର ଦେଖାଇ ଅଫିସ୍‌ ଯାଇପାରିବେ। ତେବେ ସେ ଡ୍ୟୁଟିରେ ଅଛନ୍ତି ବୋଲି ଅଫିସ୍‌ ମୁଖ୍ୟଙ୍କଠାରୁ ଏକ ସ୍ବୀକୃତିପତ୍ର ଦେଖାଇବାକୁ ପଡ଼ିବ। ଏଥିପାଇଁ ଦୁଇଚକିଆ ହେଉ କି ୪ ଚକିଆ ଗାଡ଼ି ପାଇଁ ସ୍ଵତନ୍ତ୍ର ପାସ୍‌ର ଆବଶ୍ୟକତା ନାହିଁ। କିନ୍ତୁ ଡ୍ୟୁଟିରେ ନଥାଇ ପରିଚୟପତ୍ର ବଳରେ ସେ ଏଣେତେଣେ ବୁଲି ପାରିବେ ନାହିଁ। କେନ୍ଦ୍ର ସରକାରଙ୍କ ଅଧୀନରେ ଚାକିରି କରୁଥିବା‌ ଅଧିକାରୀ (ଡେପୁଟି ସେକ୍ରେଟାରି ବା ଉପର ପାହ୍ୟା)ମାନେ କେବଳ ପରିଚୟପତ୍ର ଦେଖାଇ ଅଫିସ୍‌ ଯାଇପାରିବେ। ସେମାନଙ୍କୁ ଗାଡ଼ି ପାସ୍‌ର ଆବଶ୍ୟକତା ନାହିଁ। ଅଫିସର ଅନ୍ୟ କର୍ମଚାରୀଙ୍କ ସଂଖ୍ୟା ୩୦ପ୍ରତିଶତରେ ସୀମିତ ରହିବ।

ଆଇଟି କମ୍ପାନି କର୍ମଚାରୀମାନେ ‘ୱାର୍କ ଫ୍ରମ୍‌ ହୋମ୍‌’ ପ୍ରକ୍ରିୟା ବଜାୟ ରଖିବେ। ସର୍ବାଧିକ ୨୫ପ୍ରତିଶତ କର୍ମଚାରୀ ଅଫିସ ଆସିପାରିବେ। ସେମାନେ କମ୍ପାନିର ପରିଚୟପତ୍ର ଦେଖାଇବେ। ତା’ସହ ଅଫିସ୍‌ ଆସିବା ପାଇଁ ସ୍ବୀକୃତି ପାଇଥିବା ୨୫ପ୍ରତିଶତ କର୍ମଚାରୀଙ୍କ ମଧ୍ୟରେ ସେମାନେ ସାମିଲ ଅଛନ୍ତି ବୋଲି କମ୍ପାନି ପକ୍ଷରୁ ସ୍ପଷ୍ଟ କରାଯାଇଥିବା ଇ-ମେଲ୍‌ ଦେଖାଇବେ।

ସେହିଭଳି ଅତ୍ୟାବଶ୍ୟକ ସାମଗ୍ରୀ ଛଡ଼ା ଅନ୍ୟ କୌଣସି ଦୋକାନ ଖୋଲିବ ନାହିଁ କି ରାଜଧାନୀରେ କୌଣସି ପ୍ରକାରର ନିର୍ମାଣ କାମ ହୋଇପାରିବ ନାହିଁ।‌‌ ତେବେ ଏସି, ଫ୍ରିଜ୍‌ ପ୍ରଭୃତି ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ମରାମତି ପାଇଁ ‘୧୦୦’କୁ ଡାଏଲ କରିବାକୁ ପଡ଼ିବ। ପୁଲିସ ସହାୟତା କେନ୍ଦ୍ରରୁ ଆସୁଥିବା ସୂଚନାକୁ ଆଧାର କରି ଗ୍ରାହକ କାମ କରିବେ। ଆବଶ୍ୟକସ୍ଥଳେ ସ୍ବତନ୍ତ୍ର ପାସ୍‌ ବଳରେ ମେକାନିକ୍‌ ଆସି ଘରେ କାମ କରିବ।

Leave a Reply

Your email address will not be published.