#କୋଭିଡ୍୧୯: ବଢ଼ିପାରେ #ଲକ୍‌ଡାଉନ ଅବଧି

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ତଥା କୋଭିଡ୍‌-୧୯ ସମ୍ପ୍ରତି ଦେଶ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି। ଧୀରେ ଧୀରେ ଏହା ଭାରତ ପାଇଁ ସମସ୍ୟା ବଢ଼ାଇବାରେ ଲାଗିଛି। ସେହି ଅନୁସାରେ କେନ୍ଦ୍ର ସରକାରଙ୍କ ସମେତ ବିଭିନ୍ନ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ସମ୍ପ୍ରତି ଦେଶ ୨୧ ଦିନିଆ ଲକ୍‌ଡାଉନ୍‌ ମଧ୍ୟରେ ରହିଛି। ଏଭଳି ସ୍ଥିତିରେ ବିଭିନ୍ନ ରାଜ୍ୟରେ ପରିସ୍ଥିତି ଅନୁସାରେ ଆହୁରି କଡ଼ା କଟକଣା ମଧ୍ୟ ଲାଗୁ କରାଯାଇଛି। ଏହିକ୍ରମରେ ଓଡ଼ିଶାରେ ମଧ୍ୟ #ସଟ୍‌ଡାଉନ୍‌ ଓ କିଛି ଅଞ୍ଚଳକୁ #ସିଲ୍‌ କରାଯାଇଛି। ଏଭଳି ସନ୍ଧିକ୍ଷଣରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଯାହାକି ଦେଶରେ ଲକ୍‌ଡାଉନ୍‌ ଅବଧି ବଢ଼ିପାରେ ବୋଲି କୁହାଯାଇଛି।

ସୂଚନା ଅନୁସାରେ ଆମେରିକା ପରାମର୍ଶଦାତା ସଂସ୍ଥା ବୋଷ୍ଟନ୍ କନ୍ସଲ୍ଟିଂ ଗ୍ରୁପ୍‌ ପକ୍ଷରୁ ନୂତନ ଅଧ୍ୟୟନ କରାଯାଇଛି। ଉକ୍ତ ରିପୋର୍ଟ ଅନୁସାରେ, କରୋନା ଭାଇରସ୍‌ ବ୍ୟାପିବାକୁ ଦୃଷ୍ଟିରେ ରଖି ଭାରତରେ ଲାଗୁ ହୋଇଥିବା ଲକ୍‌ଡାଉନ୍ ଅବଧି ସେପ୍ଟେମ୍ବର ଅଧ୍ୟଭାଗକୁ ବୃଦ୍ଧି କରାଯାଇପାରେ। ସେହିପରି ମନିକଣ୍ଟ୍ରୋଲରେ ପ୍ରକାଶିତ ବିସିଜି ରିପୋର୍ଟ ଅନୁସାରେ ଜୁନ୍ ମାସର ଚତୁର୍ଥ ସପ୍ତାହ ଓ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହ ମଧ୍ୟରେ ଦେଶବ୍ୟାପି ଲକ୍‌ଡାଉନ୍ ହଟାଇବା ଆରମ୍ଭ ହେବ। ଏଥିସହ ନୂତନ ଅଧ୍ୟୟନରେ କୁହାଯାଇଛି ଯେ, ଜୁନ୍ ତୃତୀୟ ସପ୍ତାହ ସୁଦ୍ଧା ଭାରତରେ କୋଭିଡ-୧୯ ସଂକ୍ରମଣ ସଂଖ୍ୟା ବଢ଼ିପାରେ।

ତେବେ ଏ ସମ୍ପର୍କରେ ଭାରତ ସରକାରଙ୍କ ପକ୍ଷରୁ କୌଣସି ରିପୋର୍ଟ ପ୍ରକାଶ ପାଇନି। ତେଣୁ ପରିସ୍ଥିତି ଦେଖି ସରକାର ଉଚିତ୍‌ ପଦକ୍ଷେପ ନେବେ ଓ ଏଥିପାଇଁ ସାଧାରଣ ଜନତା କୌଣସି ପ୍ରକାର ଆତଙ୍କିତ ହେବାର ନାହିଁ ବୋଲି ବିଶେଷଜ୍ଞ ମହଲରୁ ମତ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *