ଚାକିରୀ ହରାଇ ଗାଁକୁ ଫେରୁଥିବା ଡିଗ୍ରୀଧାରୀମାନେ ବର୍ତ୍ତମାନ ନରେଗାଆଡ଼କୁ ମୁହାଁଇଛନ୍ତି

ଚଳିତ ବର୍ଷ ଏପ୍ରିଲ ୧ ପରେ ଅତି କମରେ ୩୫ ଲକ୍ଷ ଲୋକ ଏମନରେଗାରେ କାମ କରିବାକୁ ଆବେଦନ କରିଛନ୍ତି

ବିଗତ ଏକ ଦଶନ୍ଧି ମଧ୍ୟରେ ଏହି ସଂଖ୍ୟା ସର୍ବାଧିକ

ରୋନା ଭୂତାଣୁ ସଂକ୍ରମଣ ଜନିତ ମହାମାରୀ କାରଣରୁ ଘୋଷିତ ପ୍ରାୟ ଦୁଇ ମାସର ଲକ୍‌ଡାଉନ୍‌ ବହୁ ସଂଖ୍ୟାରେ ଲୋକଙ୍କୁ ବେକାର କରିଦେଇଛି । ଏକ ରିପୋର୍ଟ ଅନୁଯାୟୀ, ବହୁ ସଂଖ୍ୟାରେ ପ୍ରବାସୀ ଯେଉଁମାନେ ଚାକିରୀ ହରାଇବା ପରେ ଗାଁକୁ ଫେରିଛନ୍ତି ସେମାନେ ବର୍ତ୍ତମାନ ମହାତ୍ମା ଗାନ୍ଧୀ ରୋଜଗାର ଗ୍ୟାରେଣ୍ଟି ଯୋଜନା ଅର୍ଥାତ୍ ଏମନରେଗାରେ କାମ ପାଇବା ପାଇଁ ନାମ ପଞ୍ଜିକୃତ କରିଛନ୍ତି । ସେମାନଙ୍କ ମଧ୍ୟରେ ଉଚ୍ଚ ଡିଗ୍ରୀ ଥିବା ଯୁବକମାନେ ମଧ୍ୟ ଅଛନ୍ତି । ଏମନରେଗା ଅଧୀନରେ, ଗୋଟିଏ ବର୍ଷରେ ଅତି କମରେ ୧୦୦ ଦିନ ରୋଜଗାର ଯୋଗାଇବାର ବ୍ୟବସ୍ଥା ଅଛି । ଏହା ଅଧୀନରେ ପୋଖରୀ ଖୋଳିବାଠାରୁ ଆରମ୍ଭ କରି ରାସ୍ତା ନିର୍ମାଣ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ କରାଯାଇଥାଏ ।

କରୋନା ଭୂତାଣୁ ସଂକ୍ରମଣ ମହାମାରୀ ଦେଶରେ ବେକାରୀ ହାରକୁ ନୂଆ ସ୍ତରକୁ ନେଇଛି । ଏହି ସମସ୍ୟାର ମୁକାବିଲା ପାଇଁ ସରକାର ଗ୍ରହଣ କରୁଥିବା ପଦକ୍ଷେପଗୁଡ଼ିକ ଏମନରେଗାର ପରିସର ବୃଦ୍ଧି କରିଛନ୍ତି । ଉତ୍ତରପ୍ରଦେଶ ଏହାର ଏକ ଉଦାହରଣ ଯେଉଁଠାରେ ପ୍ରାୟ ୩ ନିୟୁତ ପ୍ରବାସୀ ଲୋକ ଲକ୍‌ଡାଉନ୍‌ ପରେ ନିଜ ଘରକୁ ଫେରିଛନ୍ତି । ଏଠାରେ ଯୋଗୀ ଆଦିତ୍ୟନାଥ ସରକାର ଏମନରେଗା ଅଧୀନରେ ଏହିପରି ଲୋକଙ୍କୁ ନିଯୁକ୍ତି ଦେବାକୁ ଚେଷ୍ଟା କରୁଛନ୍ତି ।

ସମଗ୍ର ଦେଶରେ ପ୍ରାୟ ୧୪ କୋଟି ଲୋକଙ୍କ ପାଖରେ ଏମନରେଗା ଜବ କାର୍ଡ ଅଛି । କୁହାଯାଉଛି ଯେ ଚଳିତ ବର୍ଷ ଏପ୍ରିଲ ୧ ପରେ ଅତି କମରେ ୩୫ ଲକ୍ଷ ଲୋକ ଏହି ଯୋଜନାରେ ଯୋଗଦେବାକୁ ଆବେଦନ କରିଛନ୍ତି । ବିଗତ ଦଶନ୍ଧି ମଧ୍ୟରେ ଏହି ସଂଖ୍ୟା ସର୍ବାଧିକ, ଯାହାକି ଲକ୍‌ଡାଉନ୍ କାରଣରୁ ବେକାରୀ ବୃଦ୍ଧି ହେବାର ଏକ ଧାରଣା ଦେଇଥାଏ ।

ଅର୍ଥନୀତିଜ୍ଞଙ୍କ ଅନୁଯାୟୀ ଏହି ସମସ୍ତ ଲୋକଙ୍କୁ ୧୦୦ ଦିନ ରୋଜଗାର ଯୋଗାଇବା ପାଇଁ ସରକାରଙ୍କୁ ୨.୮ ଲକ୍ଷ କୋଟି ଟଙ୍କା ଆବଶ୍ୟକ ହେବ । ନିକଟରେ ଘୋଷଣା ହୋଇଥିବା ଅର୍ଥନୈତିକ ପ୍ୟାକେଜରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏମନରେଗା ପାଇଁ ୪୦ ହଜାର କୋଟି ଟଙ୍କା ଅତିରିକ୍ତ ଆବଣ୍ଟନ ଘୋଷଣା କରିଛନ୍ତି । ଏହା ପୂର୍ବରୁ ବଜେଟରେ ଏହି ଯୋଜନା ପାଇଁ ପ୍ରାୟ ୬୧ ହଜାର ୫୦୦କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା ।

 

Leave a Reply

Your email address will not be published.