#ସଟ୍‌ଡାଉନ୍‌ ଉଠିଲେ ବି ରହିଛି ଲକ୍‌ଡାଉନ୍ କଟକଣା

ଭୁବନେଶ୍ୱର(ଓଡ଼ିଶା ଟାଇମ୍‌): ମହାମାରୀ କରୋନାର ପ୍ରକୋପକୁ ରୋକିବା ପାଇଁ ବାଧ୍ୟହୋଇ ରାଜ୍ୟ ସରକାର ଭଦ୍ରକ, ବାଲେଶ୍ଵର ଓ ଯାଜପୁର ଜିଲ୍ଲାକୁ ୬୦ ଘଣ୍ଟା ପାଇଁ ସଟ୍‌ଡାଉନ୍‌ ଘୋଷଣା କରିଥିଲେ। ଗତ ଗୁରୁବାର ରାତି ୧୦ଟାରୁ ଲାଗୁ ହୋଇଥିବା କର୍ଫ୍ୟୁ ଭଳି ଏହି କଟକଣା ରବିବାର ପୂର୍ବାହ୍ଣ ୧୦ଟାରେ ଉଠିବ। ତେବେ କରୋନା ସଂକ୍ରମଣ ତଥା ଭୟ ସମ୍ପୃକ୍ତ ୩ ଜିଲ୍ଲାରୁ ସମ୍ପୂର୍ଣ୍ଣ ହଟିନି। ତେଣୁ ସଟ୍‌ଡାଉନ୍‌ ଉଠିଲେ ମଧ୍ୟ ଲକ୍‌ଡାଉନ୍‌ ନିୟମକୁ ଲୋକେ ମାନିବାକୁ ପଡ଼ିବ ଏବଂ ଅନ୍ୟ ସମସ୍ତ ନିୟମ ପାଳନ କରିବାକୁ ହେବ।

ସୂଚନା ଅନୁସାରେ ଏନେଇ ଯାଜପୁର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍‌ ଏନେଇ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ସେଥିରେ ଦର୍ଶାଯାଇଛି ଯେ ସଟ୍‌ଡାଉନ୍‌ ଉଠିବା ପରେ ଲକ୍‌ଡାଉନ୍‌ର ଅବଶିଷ୍ଟ ସମୟ ଅବଧି ମଧ୍ୟରେ ସମଗ୍ର ଜିଲ୍ଲାରେ ଥିବା ଗୋଟିକିଆ ଲାଇସେନ୍ସ ପ୍ରାପ୍ତ ଦୋକାନ ସବୁ ସେମାନଙ୍କର ଅଧା ସଂଖ୍ୟକ କର୍ମଚାରୀଙ୍କୁ ନେଇ ଏବଂ ସାମାଜିକ ଦୂରତା ନିୟମକୁ ପାଳନ କରି ସକାଳ ୬ରୁ ଦିନ ୧୦ ପର୍ଯ୍ୟନ୍ତ ଏବଂ ଅପରାହ୍ଣ ୪ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲିପାରିବେ। ଗ୍ରାମାଞ୍ଚଳ ଓ ପୌରାଞ୍ଚଳ ମାର୍କେଟ୍‌ କମ୍ପ୍ଲେକ୍ସରେ ଥିବା ଦୋକାନଗୁଡ଼ିକ ଏହି ନିୟମ ପାଳନ କରିବାକୁ ପଡ଼ିବ। ତେବେ ସମସ୍ତ ବିକ୍ରେତା, କ୍ରେତା ଓ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ସ୍ପଷ୍ଟ କରାଯାଇଛି।

ଉଭୟ ଯାଜପୁର ଓ ବ୍ୟାସନଗର ପୌରାଞ୍ଚଳରେ ଥିବା ସିଙ୍ଗଲ୍‌ ଓ ମଲ୍ଟି ବ୍ରାଣ୍ଡ୍‌ ମଲ୍‌ ଗୁଡ଼ିକ ଏଥିରୁ ବାଦ୍‌ ପଡ଼ିବେ। ତେବେ ସେମାନେ କେବଳ ଖାଦ୍ୟ ପଦାର୍ଥ, ତେଜରାତି, ଫଳ ପନିପରିବା ଓ ଦୁଗ୍ଧଜାତ ପଦାର୍ଥ, ମାଛ-ମାଂସ-ଅଣ୍ଡା, ବ୍ୟକ୍ତିଗତ ପରିଚ୍ଛନ୍ନତା ସାମଗ୍ରୀ ବିକ୍ରି କରିପାରିବେ। ହୋଟେଲ୍‌ ଓ ରେଷ୍ଟୁରାଣ୍ଟ୍‌ ଗୁଡ଼ିକ କେବଳ ପାର୍ସଲ୍‌ ଦେଇପାରିବେ ବୋଲି ଜାରି ହୋଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

Leave a Reply

Your email address will not be published. Required fields are marked *