#Lockdownକୁ ଭାବୁଛନ୍ତି ସରକାରୀ ଛୁଟି, ରାଜ୍ୟରେ ଚାଲୁଛି କନଷ୍ଟେବଳ ଶାସନ
ଭୁବନେଶ୍ଵର, (ଓଟି): ବାରମ୍ବାର ନିବେଦନ ଓ ପ୍ରଚାର ସତ୍ବେ କିଛି ଲୋକ ସ୍ଵତଃ ଏକାନ୍ତୀକରଣକୁ ଅମାନ୍ୟ କରିଛନ୍ତି। ଏପରିକି ଡାକ୍ତରଖାନାରୁ ଲୁଚି ପଳାଇବାକୁ ଚେଷ୍ଟା କରିଛନ୍ତି ଯେ, ଭାରତବର୍ଷର ଗୁଇନ୍ଦା, ପୁଲିସ ବା ବିଜ୍ଞାନ ତାଙ୍କୁ ଖୋଜି ପାଇପାରୁ ନାହିଁ, ଫଳରେ ଭାରତ ସରକାରଙ୍କ ଓ୍ବେବ୍ସାଇଟ୍ରେ ସେହି ସନ୍ଦିଗ୍ଧ ତଥ୍ୟ ସେମିତି ଝୁଲୁଛି। ଆଗକୁ ଯେପରି ଏମିତି କିଛି ନହେବ ସେଥିଲାଗି ଓଡ଼ିଶା ପରି ରାଜ୍ୟ ସରକାରଙ୍କୁ ସନ୍ଦିଗ୍ଧଙ୍କ ଦୁଆର ମୁହଁରେ ସୂଚନା/ନୋଟିସ୍ ଝୁଲାଇବାକୁ ପଡ଼ୁଛି। ସ୍ଥାନୀୟ ଲୋକଙ୍କୁ ତାଙ୍କ ଉପରେ ନଜର ରଖିବାକୁ ଆହ୍ବାନ ଦିଆଯାଉଛି। ଏ ପରିସ୍ଥିତି ଆମ ଭିତରେ ଦାୟିତ୍ଵହୀନତା ଓ ଅବହେଳାର ଗୋଟିଏ ଗୋଟିଏ ଉଦାହରଣ ଦେଉଛି। ଆଉ ଏହି ଅବହେଳାଯୋଗୁ ରାଜ୍ୟର ମୁଖ୍ୟ ରାସ୍ତା, ଛକ ବଜାରରେ ଏବେ ଦେଖା ଦେଇଛି କନଷ୍ଟେବଳ ଓ ଲାଠି ଶାସନ। ସୋଶାଲ୍ ମିଡିଆରେ ଏମିତି ଅନେକ ଚିତ୍ର ଭାଇରାଲ୍ ହେଉଛି ଯାହାକୁ ଦେଖି ଚୁପ୍ ରହିବାକୁ ବାଧ୍ୟ ହେଉଛନ୍ତି ଜନତା।
କର୍ଫ୍ୟୁଠାରୁ କମ୍ ନୁହେଁ
ଏଭଳି ସ୍ଥିତିରେ ଦିନକୁ ଦିନ କୋଭିଡ୍-୧୯ କରୋନା ଆମକୁ ବିପର୍ଯ୍ୟୟ ଆଡ଼କୁ ଟାଣି ନେଉଛି। ପ୍ରଧାନମନ୍ତ୍ରୀ ମୋଦି ଏହାକୁ ବିଶେଷ ଅନୁଭବ କରି ଦେଶବାସୀଙ୍କୁ ମଙ୍ଗଳବାରଦିନ ଜରୁରୀ ସମ୍ବୋଧନ କରିଛନ୍ତି। ଅତ୍ୟନ୍ତ ଜରୁରୀ ସେବାକୁ ଛାଡ଼ିଦେଲେ ସାରା ଦେଶରେ ଜୀବନଯାତ୍ରାକୁ ବନ୍ଦ କରିଦିଆଯାଇଛି। ଏହା କର୍ଫ୍ୟୁଠାରୁ କିଛି କମ୍ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗ୍ଚୀ ମଧ୍ୟ ଯେଉଁ ଆଶଙ୍କା ଆମ ଆଗରେ ଉପସ୍ଥାପନ କରିଛନ୍ତି ତାହା ଆମ ମନରେ ଭୟ ଓ ଛାନିଆକୁ ଆହୁରି ବଢ଼ାଇବା ଲାଗି ଖୋରାକି ଦେଉଛି। ଏ ପରିସ୍ଥିତିରେ ଯାହା ଲୋକଙ୍କୁ ସଂକ୍ରମଣରୁ ବଞ୍ଚାଇପାରିବ, ଦେଶର ଅର୍ଥନୀତିକୁ ଆଗକୁ ସୁଧାରିବାର ସୁଯୋଗ ଦେବ ତାହା ହେଲା ତାଲାବନ୍ଦୀ ଏବଂ ଜନସଚେତନତା।
ତାଲାବନ୍ଦୀକୁ ସରକାର କାର୍ଯ୍ୟକାରୀ କରିଛନ୍ତି, ଏହା ୨୧ ଦିନ ଚାଲିବ। ବାହାରେ ବୁଲିବାର ଅଭ୍ୟାସ, ଆଇନକୁ ଅମାନ୍ୟ କରିବାର ପରମ୍ପରା ଭିତରେ ଆମ ଭିତରୁ ଅନେକ ତାଲାବନ୍ଦୀକୁ ଭ୍ରୁକ୍ଷେପ କରୁ ନାହାନ୍ତି, ଫଲରେ ଦେଶରେ କନଷ୍ଟେବଳ ଶାସନ ଆରମ୍ଭ ହୋଇଗଲାଣି। ଯେଉଁଠି ପାଇଲା ପୁଲିସ ଲୋକଙ୍କୁ ପିଟୁଥିବାର ଦୃଶ୍ୟ ଆମକୁ ଦେଖିବାକୁ ମିଳୁଛି। ସୋଶାଲ୍ ମିଡିଆରେ ତାହା ଗଦା ଗଦା ବୁଲୁଛି। ସାମ୍ପ୍ରତିକ ଜରୁରୀ ପରିସ୍ଥିତିରେ ପୁଲିସର କ୍ଷମତା ଓ ଆମର ଦାୟିତ୍ଵହୀନତା ପରିପ୍ରେକ୍ଷୀରେ ଆମେ ଏହି ଲାଠି ରାଜ୍କୁ ବନ୍ଦ କରିପାରିବା ନାହିଁ, ପୁଣି ଯଦି ବନ୍ଦ କରିବାକୁ ଚାହିଁବା ତେବେ ଆମେ ସଂକ୍ରମଣକୁ ରୋକିପାରିବା ନାହିଁ। ଏଣୁ କିଛି ଦିନ ପାଇଁ ଆଖିବୁଜି ସହିବାକୁ ଆମେ ବାଧ୍ୟ।
କାହାଣୀ ପତି ପତ୍ନୀ ବିଚ୍ଛେଦର
ଏଭିତି କିଛି ଦୁଃଖଦା କାହାଣୀ ବି ନଜରକୁ ଆସିଛି। ଘଟଣଶ କଟକ କାଠଗଡ଼ା ସାହିର। ଯେଉଁଠାରେ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ୍ କର୍ମଚାରୀ ୬୩ ବର୍ଷୀୟ କ୍ୟାନ୍ସର ସହ ଲଢ଼ୁଥିବା ବୃଦ୍ଧଙ୍କୁ ତାଙ୍କ ପତ୍ନୀଙ୍କଠାରୁ ଅଲଗା ରହିବାକୁ ବାଧ୍ୟ କରାଯାଇଛି। କଟକ ଡିସିପିଙ୍କୁ ସେ ଏଥିନେଇ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ତାଙ୍କ ପତ୍ନୀ ଭୁବନେଶ୍ଵରରେ ଏକ ପାରିବାରିକ କାର୍ଯ୍ୟରେ ଯୋଗ ଦେବାକୁ ଆସିଥିଲେ। ଯେଉଁଦିନ ଆସିଛନ୍ତି ସେଦିନଠୁ ସରକାର ତାଲାବନ୍ଦୀ ଘୋଷଣା କଲେ। ଫଳରେ ସେହି ସ୍ତ୍ରୀଲୋକଙ୍କୁ ଏବେ ନିଜ ଘରକୁ ଫେରିବା ଅସମ୍ଭବ ହୋଇଛି।
ଠିକ୍ ସେହିଭଳି ନିଜ ବାପାଙ୍କ ଦଶାହ ପାଇଁ ଭୁବନେଶ୍ଵରରୁ ଯାଇଥିବା ଜଣେ ମହିଳା ଏବେ ବାଲେଶ୍ଵରର ସୋରଠାରେ ଅଟକି ରହିଛନ୍ତି। ତାଙ୍କ ସ୍ଵାମୀ ଜଣେ ଶିକ୍ଷାବିତ୍ ଓ ସରକାରୀ କର୍ମଚାରୀ। ସେ ତାଙ୍କୁ ଫେରାଇ ଆଣିବା ଲାଗି କମିଶନରେଟ୍ ପୁଲିସକୁ ଅନୁରୋଧ କରି ମଧ୍ୟ ଦୁଇ ଦିନ ହେଲା ସଫଳ ହୋଇପାରୁ ନାହାନ୍ତି।
ଏମିତି ଅନେକ ଉଦାହରଣ ସାମ୍ନାକୁ ଆସୁଛି। କିଛିଦିନ ହେଲା ଭୁବନେଶ୍ଵରର ଏକ ହସ୍ପିଟାଲ୍ରେ ଜଣେ ବୃଦ୍ଧ ଚିକିତ୍ସିତ ହୋଇ ଆସୁଥିଲେ। ଏବେ ବଢ଼ୁଥିବା ରୋଗୀ ସଂଖ୍ୟାକୁ ଆଖିରେ ରଖି ସମ୍ପୃକ୍ତ ହସ୍ପିଟାଲ୍ ତାଙ୍କୁ ଖାଲି କରିବା ଆଦେଶ ଦେଇଛନ୍ତି। ଏହି କ୍ଷେତ୍ରରେ ସେ ରାଉରକେଲା କିପରି ଯିବେ ସେ ନେଇ ପ୍ରଶ୍ନ ପଚାରିଛନ୍ତି। ଏନେଇ ସେ ହସ୍ପିଟାଲ୍ କର୍ତ୍ତୃପକ୍ଷ ଓ ପୁଲିସ ଦୁଆର ଚକ୍କର କାଟୁଛନ୍ତି।
ଏମିତି ଦୁର୍ଦିନରେ କିଛି ଲୋକ ରହିଥିଲେ ମଧ୍ୟ ତାଲାବନ୍ଦୀକୁ ସରକାରୀ ଛୁଟି ବୋଲି ବିଚାର କରି କିଛି ଯୁବକ ଏବଂ ମଧ୍ୟ ବୟସ୍କ ଏବେ ସହରର ବିଭିନ୍ନ ସ୍ଥାନରେ ଆଇନକୁ ହାତକୁ ନେଉଥିବା ସାମ୍ନାକୁ ଆସିଛି। ଯାହା କି ପୁଲିସ ବିଭାଗର ସର୍ବନିମ୍ନ କର୍ମଚାରୀଙ୍କୁ ମଧ୍ୟ ଲୋକଙ୍କ ଉପରେ ଲାଠି ଶାସନ ପାଇଁ ପରୋକ୍ଷରେ କ୍ଷମତାପନ୍ନ କରୁଛି।