#Lockdown: ପ୍ରଧାନମନ୍ତ୍ରୀଙ୍କୁ କେଉଁ ମୁଖ୍ୟମନ୍ତ୍ରୀ କ’ଣ କହିଲେ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): କରୋନା ଭୁତାଣୁ ସଂକ୍ରମଣ ଶୃଙ୍ଖଳକୁ ନିୟନ୍ତ୍ରଣ ମହାରାଷ୍ଟ୍ର, ପଞ୍ଜାବ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଲକ୍ଡାୁନ୍କୁ ବଢ଼ାଇବା ଲାଗି ମତ ଦେଇଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ କହିଛନ୍ତି, ଲକ୍ଡାଉନ୍ ପ୍ରତିବନ୍ଧକକୁ ନବଢ଼ାଇଲେ କରୋନା ସଂକ୍ରମଣକୁ ରୋକିବା ଅସମ୍ଭବ।
ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଦିଓ ଲକ୍ଡାଉନ୍ ସପକ୍ଷରେ କିଛି କହି ନାହାନ୍ତି କିନ୍ତୁ ଲକ୍ଡାଉନ୍ ଭଳି ପ୍ରତିବନ୍ଧକ ଲଗାଇବାର କ୍ଷମତା ବିଚାର କରିବା ଅଧିକାର ରାଜ୍ୟମାନଙ୍କୁ ମିଳିବା ଦରକାର ବୋଲି ଯୁକ୍ତି ବାଢ଼ିଛନ୍ତି। ଅର୍ଥାତ୍ ଅଞ୍ଚଳ ଓ ସଂକ୍ରମଣକୁ ଦେଖି ରାଜ୍ୟ ଜେନ୍ ନିର୍ଦ୍ଧାରଣ ଓ କଟକଣା ଯେପରି ଲଗାଇପାରିବ ସେଥିନେଇ ବିଚାର କରିବାକୁ ଆହ୍ବାନ ଦେଇଛନ୍ତି। ସେ ରେଳ ଚଳାଚଳ ରାଜ୍ୟଗୁଡ଼ିକର ପରାମର୍ଶରେ ହେବା ଆବଶ୍ୟକ ବୋଲି କହିଛନ୍ତି।
ନବୀନ ଦେଇଥିବା ପରାମଶ;ଗୁଡ଼ିକ ସମ୍ପର୍କରେ ଜାଣିବା ଲାଗି ଏଇଠି କ୍ଲିକ୍ କରନ୍ତୁ।
ସେହିପରି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କହିଛନ୍ତି, କେଉଁ ଅଞ୍ଚଳ ରେଡ୍ ଜୋନ୍, କେଉଁ ଅଞ୍ଚଳ ଅରେଞ୍ଜ ବା ଗ୍ରୀନ୍ ତାହା କେନ୍ଦ୍ର ନିର୍ଦ୍ଧାରଣ ନକରୁ। ରାଜ୍ୟ ସରକାରଙ୍କୁ ସେ କ୍ଷମତା ମିଳୁ। ରାଜ୍ର ସରକାର ଯେଉଁ ଅଞ୍ଚଳରେ କରୋନା ଭୁତାଣୁ ସଂକ୍ରମଣ ଯଥେଷ୍ଟ ତାହାକୁ ଦେଖି ଆବଶ୍ୟକ ପଦକ୍ଷେପ ନେବେ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କରୋନା ଭୁତାଣୁ ସଂକ୍ରମଣକୁ ନେଇ ରାଜ୍ୟ ଓ କନ୍ଦେ୍ର ଏକାଠି କାର୍ଯ୍ୟ କରିବା ଉପରେ ଗୁରୁତ୍ଵାରୋପ କରିଛନ୍ତି। ରାଜ୍ୟ କେନ୍ଦ୍ର ଭିତରେ ରାଜନୀତି ହେଲେ ଏହି ମହାମାରୀକୁ ଅବରୋଧ କରିବା କଷ୍ଟକର ବୋଲି ସେ କହିଛନ୍ତି। ଏଣୁ ଏହି ପ୍ରସଙ୍ଗରେ ରାଜନୀତି ହେବା ଉଚିତ ନୁହେଁ। ସେ କହିଛନ୍ତି ଯେ, ସମ୍ପ୍ରତି ଲକ୍ଡାଉନ୍ କଟକଣା ସମ୍ପ୍ରସାରଣ କରାଯିବା ଦରକାର।
ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଲକ୍ଡାଉନ୍କୁ ବଢ଼ାଇବା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। କିନ୍ତୁ ସମାନ ସମୟରେ ରାଜ୍ୟଗୁଡ଼ିକ ଅର୍ଥନୀତିକ ସଶକ୍ତିକରଣ ସହ ଲୋକଙ୍କ ଜୀବନ ଜୀବୀକାକୁ ଭିତ୍ତିକରି ଅର୍ଥନୀତିକ କାରବାର ଗ୍ରହଣ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ସହ ଭିଡିଓ କନ୍ଫରେନ୍ସିରେ ନିଜ ମତ ରଖୁଥିବା ବେଳେ ତାମିଲ୍ନାଡ଼ୁ ମୁଖ୍ୟମନ୍ତ୍ରୀ ପାଲାନିସ୍ଵାମୀ ଯଦିଓ ଲକ୍ଡାଉନ୍ ବୃଦ୍ଧି ବାବଦରେ କିଛି ମତ ରଖି ନାହାନ୍ତି କିନ୍ତୁ ନିୟମିତ ଯାତ୍ରୀବାହୀ ଉଡ଼ାଣକୁ ଆରମ୍ଭ କରିବାକୁ ମନା କରିଛନ୍ତି। ସେ କହିଛନ୍ତି ଅତି କମ୍ରେ ମେ’ ୩୧ ତାରିଖ ଯାଏ ଏହି ସେବା ବନ୍ଦ ରହିବା ଆବଶ୍ୟକ। ସେ ରାଜ୍ୟରେ ପରୀକ୍ଷଣ ମାତ୍ରା ବଢ଼ାଇବା ପାଇଁ ଅଧିକ ଆରଟିପିସିଆର୍ କିଟ୍ ଯୋଗାଣ ପାଇଁ କେନ୍ଦ୍ରକୁ ଦାବି କରିଛନ୍ତି।
ପ୍ରଧାନମନ୍ତ୍ରୀ ଏହି ପ୍ରସ୍ତାବଗୁଡ଼ିକୁ ବିଚାର ପାଇଁ ଗ୍ରହଣ କରିଥିବା ବେଳେ ମୁଖ୍ୟମନ୍ତ୍ରୀମାନଙ୍କୁ କହିଛନ୍ତି ‘ ଆମେ ଗ୍ରାମାଞ୍ଚଳକୁ ଯେପରି କରୋନା ଭୁତାଣୁ ସଂକ୍ରମଣ ନହେବ ସେଥିପ୍ରତି ସଚେତନ ରହିବା ଆବଶ୍ୟକ। ଭାରତର ଗାଁଗୁଡ଼ିକ ଯେପରି କରୋନା ମୁକ୍ତ ରହିବେ ତାହା ନିଶ୍ଚିତ କରିବାକୁ ହେବ।
ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ବିଭିନ୍ନ କୋଣରେ ଅର୍ଥନୀତିକ କାରବାର ଆରମ୍ଭ ହୋଇଛି। ଧୀଧୀରେ ଏହା ସାରା ଭାରତରେ ହେବ।ସାରା ବିଶ୍ଵରେ ଭାରତ ଯେପରି ଏହି ମହାମାରୀକୁ ଅବରୋଧ କରିବା ଲାଗି ପ୍ରକ୍ରିୟା ଆପଣାଇଛି ତାହା ନେଇ ଆଲୋଚନା ହେଉଛି। ଏହା ରାଜ୍ୟ ଓ କେନ୍ଦ୍ରଗୁଡ଼ିକର ମିଳିତ ଉଦ୍ୟମ ଯୋଗୁ ସମ୍ଭବ ହେଉଛି ବୋଲି ସେ କହିଛନ୍ତି।
ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ କହିଛନ୍ତି, ନିରାପଦ ଅଞ୍ଚଳରେ ମେଟ୍ରୋ ସେବା ପାଇଁ ଅନୁମତି ମିଳିବା ଆବଶ୍ୟକ। ଯେଉଁ ଅଞ୍ଚଳଗଡ଼ିକରେ କରୋନା ଶୁଣାଯାଇ ନାହିଁ ସେଠାରେ ଏହି ସେବାକୁ ବନ୍ଦ କରିବା ଅନାବଶ୍ୟକ।
ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ କିନ୍ତୁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳକୁ ବିରୋଧ କରିଛନ୍ତି। ଏହାଦ୍ଵାରା ଲୋକଙ୍କୁ ପରୀକ୍ଷଣ କରିବା କଷ୍ଟକର ହେବ ବୋଲି ସେ କହିଛନ୍ତି। ତେଲେଙ୍ଗାନା ପୂର୍ବରୁ ଲକ୍ଡାଉନ୍ ସମୟସୀମାକୁ ମେ’୨୯ ତାରିଖ ଯାଏ ବୃଦ୍ଧି କରିଛି।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କହିଛନ୍ତି, ଅବରୋଧ ଅଞ୍ଚଳକୁ ଛାଡ଼ି ରାଧାନୀ ସହରରେ ଅର୍ଥନୀତିକ କାରବାର ଆରମ୍ଭ କରାଯିବା ଉଚିତ।
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ରେଡ୍ ଜୋନ୍ରୁ ଗ୍ରୀନ୍ ଜୋନ୍କୁ ଲୋକଙ୍କ ଚଳ ପ୍ରଚଳ ଉପରେ ରୋକ୍ ଲଗାଇବାକୁ କହିଛନ୍ତି।
ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର ରାଜ୍ୟରେ ଭଲ ଗହମ ଅମଳ ହୋଇଥିବା କହିଛନ୍ତି। ଏହି କରୋନା ବିପତ୍ତି ସମୟରେ ଦେଶର ବିକାଶ ହାରକୁ ବଢ଼ାଇବା ଲାଗି ଏହା ସହାୟକ ହେବ ବୋଲି ସେ କହିଛନ୍ତି।