ରାଜ୍ୟବାସୀଙ୍କ ମୁଣ୍ଡପିଛା ଋଣଭାର ୧୭ ହଜାର ୬୩୦ ଟଙ୍କା

ଭୁବନେଶ୍ୱର,(ଓଟି): ୨୦୧୮-୧୯ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ଋଣଭାର ୭୯,୮୬୬.୦୬ କୋଟି ଟଙ୍କା । ଫଳରେ ରାଜ୍ୟବାସୀଙ୍କ ଉପରେ ମୁଣ୍ଡପିଛା ଋଣଭାର ୧୭,୬୩୦.୪୮ ଟଙ୍କା ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ।

ବିଧାନସଭାରେ ବିଜେପି ବିଧାୟକ ମୋହନ ଚରଣ ମାଝୀଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ କହିଲେ ଯେ ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ମୋଟ ୨୩,୫୮୪.୦୦ କୋଟି ଟଙ୍କାର ଋଣ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି । ଅବଶ୍ୟ ଋଣ କରିବା ପୂର୍ବରୁ ରାଜ୍ୟ ସରକାର ଆଇନ ଅନୁଯାୟୀ କେନ୍ଦ୍ର ସରକାରଙ୍କ ଅନୁମତି ମାଗିବାକୁ ପଡ଼ିବ ।

ଏ ସଂପର୍କରେ ବିସ୍ତୃତ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଲେ ଯେ ରାଜ୍ୟ ସରକାର ଋଣ ସଂପୂର୍ଣ୍ଣ ଭାବେ ପୁଞ୍ଜି ଖର୍ଚ୍ଚ ପାଇଁ ଆଣୁଛନ୍ତି । ୨୦୧୭-୧୮ରେ ୧୪୪୧୯.୪୧ କୋଟି ଟଙ୍କାର ଋଣ ଅଣାଯାଇଥିବା ବେଳେ ପୁଞ୍ଜି ବାବଦରେ ଖର୍ଚ୍ଚ ପରିମାଣ ଥିଲା ୨୫୬୭୪.୧୮ କୋଟି ଟଙ୍କା । ସେହିପରି ୨୦୧୮-୧୯(ପ୍ରାକ୍‍ ବଜେଟ୍‍)ରେ ସରକାର ୯୯୩୬.୩୦ କୋଟିର ଋଣ ଆଣିଥିଲେ । ସେତେବେ ୨୮୭୮୯.୧୩ କୋଟି ଟଙ୍କାର ପୁଞ୍ଜି ଖର୍ଚ୍ଚ ହୋଇଥିଲା । ୨୦୦୫-୦୬ରୁ କ୍ରମାଗତ ଭାବେ ପ୍ରତ୍ୟେକ ବର୍ଷ ରାଜସ୍ୱ ବଳକା ସୃଷ୍ଟି ହେଉଛି । ତେଣୁ ଋଣ ଅଣାଯାଇ ପୁଞ୍ଜି ଖର୍ଚ୍ଚ ପାଇଁ ବିନିଯୋଗ କରାଯାଉଛି । ଏହା ନିୟମ ଅନୁଯାୟୀ କରାଯାଉଥିବା ସେ ଉଲ୍ଲେଖ କରିଛନ୍ତି ।

Leave a Reply

Your email address will not be published. Required fields are marked *