ଲିମ୍କା ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଲା ରବିଶଙ୍କରଙ୍କ ‘ଆର୍ଟ ଅଫ୍ ଲିଭିଙ୍ଗ୍’
ଭୁବନେଶ୍ୱର, (ଓଟି): ଯୋଗ ଗୁରୁ ତଥା ସଂସ୍କାରକ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଦ୍ୱାରା ପ୍ରତିଷ୍ଠିତ “ଆର୍ଟ ଅଫ୍ ଲିଭିଙ୍ଗ୍’ ସଂସ୍ଥାନ ଲିମ୍କା ବୁକ୍ ଅଫ୍ ୱର୍ଲଡ ରେକ୍ର୍ଡସ୍ରେ ସ୍ଥାନୀତ ହୋଇଛି । ସଂସ୍ଥା ପକ୍ଷରୁ ୪ଟି ରାଜ୍ୟରେ ମୁଖ୍ୟ ନଦୀ ଓ ଶାଖା ନଦୀଗୁଡ଼ିକର ପୁନଃ ବିନ୍ୟାସ ପାଇଁ ନିଆଯାଇଥିବା ପଦକ୍ଷେପକୁ ସ୍ୱୀକାର କରି ଏହି ସମ୍ମାନ ମିଳିଛି । କୌଣସି ଏକ ବେସରକାରୀ ସଂସ୍ଥା ଦ୍ୱାରା ଏହା ସବୁଠାରୁ ବୃହତ୍ ନଦୀ ପୁନଃ ବିନ୍ୟାସ ପ୍ରକଳ୍ପ ବୋଲି ଏଥିରେ କୁହାଯାଇଛି । ଏହି ଉଦ୍ୟମ ଦ୍ୱାରା ୪୦ଟି ନଦୀ ଓ ଶାଖା ନଦୀ ପୁଣିଥରେ ଜୀବୀତ ହେବା ସହ ୫୦୦୦ ଗାଁର ୪୯ଲକ୍ଷ ୯୦ ହଜାର ଲୋକ ଉପକୃତ ହୋଇଥିବା ସଂସ୍ଥା ପକ୍ଷରୁ କୁହାଯାଇଛି । ବିଶେଷକରି ମରୁଡ଼ି ଅଧିକୃତ ସ୍ଥାନଗୁଡ଼ିକ ଏହାଦ୍ୱାରା ଲାଭବାନ ହୋଇଛନ୍ତି ।
ଲିମ୍କା ବୁକ୍ ଅଫ୍ ରେକର୍ଡସ୍ ଇଣ୍ଡିଆ ପକ୍ଷରୁ କୁହାଯାଇଛି, ଜାନୁୟାରୀ ୨୦୧୩ ମସିହାରେ ଆର୍ଟ ଅଫ୍ ଲିଭିଂ ପକ୍ଷରୁ ଏହିପରି ଉଦ୍ୟମର ଶୁଭାରମ୍ଭ ହୋଇଥିଲା । କର୍ଣ୍ଣାଟକା, ତାମିଲ୍ନାଡ଼ୁ, ମହାରାଷ୍ଟ୍ର ଏବଂ ଓଡ଼ିଶାର ୪୦ଟି ନଦୀ ଓ ଝରଣା ସମେତ ୯ଟି ନଦୀ ଶଯ୍ୟାରେ ଥିବା ୨୬ଟି ହ୍ରଦ, ପୋଖରୀର ପୁନରୁଦ୍ଧାର କରାଯାଇପାରିଛି । ସଂସ୍ଥାର ଏହି ଉଦ୍ୟମ ସ୍ଥାନୀୟ ଲୋକଙ୍କୁ ଏକାଠି କରିବା ଏବହ ଜଳ କଷ୍ଟରୁ ଲୋକଙ୍କୁ ଦୂର କରିବାରେ ସୁଦୂର ପ୍ରସାରୀ ପ୍ରଭାବ ପକାଇଛି । ଏହାଦ୍ୱାରା ନଦୀ ଜଳକୁ ନେଇ ଚାଲିଥିବା ବିବାଦ ଅନେକ ମାତ୍ରାରେ ଥମି ପାରିଛି । ଯେଉଁମାନେ ସବୁଦିନ ଟ୍ୟାଙ୍କ୍ ପାଣିକୁ ଅପେକ୍ଷା କରୁଥିଲେ ସେମାନଙ୍କର ସେ ଅପେକ୍ଷା ଦୂର ହୋଇପାରିଛି ।
ତୃତୀୟ ପକ୍ଷ ଦ୍ୱାରା ଏହି କମାର ପର୍ଯ୍ୟାଲୋଚନା ବି କରାଯାଇଛି । ସର୍ବେକ୍ଷଣରୁ ଜଣାପଡ଼ିଛି ଯେ, ଏହି କାର୍ଯ୍ୟ ଦ୍ୱାରା ଭୂତଳ ଜଳ ପରିମାଣରେ ବୃଦ୍ଧି ଆସିଛି । ୨୦ ପ୍ରତିଶତ ଅଭିବୃଦ୍ଧି ଲକ୍ଷ୍ୟ କରାଯାଇଥିବା ଏହି ରିପୋର୍ଟରେ କୁହାଯାଇଛି । ଯାହାଫଳରେ ଚାଷୀଙ୍କ ପାଇଁ ଜଚଳସେଚନ ସୁବିଧାଜନକ ହୋଇଛି ଓ ସେମାନଙ୍କ ଆୟ ବଢ଼ି ପାରିଛି ।
ଜଣେ ସାଧାରଣ ଲୋକର ଭାଗିଦାରୀ ବି ପରିବର୍ତ୍ତନଣ ଆଣିପାରେ । ଏହି ଦର୍ଶନ ଉପରେ ସମୁଦାୟ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିଥିଲା । ସ୍ଥାନୀୟ ସ୍ତରରେ ଲୋକଙ୍କୁୁ ଏକାଠି କରିବା, ସ୍ଥାନୀୟ ପ୍ରଶାସନ, ପଞ୍ଚାୟତ ତଥା ସରକାରୀ ସଂସ୍ଥାଗୁଡ଼ିକୁ ଏ କ୍ଷେତ୍ରରେ ପ୍ରୋତ୍ସାହିତ କରିବା ଲାଗି ଆର୍ଟ ଅଫ୍ ଲିଭିଂ ଏକ ନୋଡାଲ୍ ଏଜେନ୍ସୀ ଭାବରେ କାର୍ଯ୍ୟ କରିଥିଲା। ଏହାପରେ ସେ ଅଞ୍ଚଳର ନଦୀ, ପୋଖରୀ, ଝରଣା, ହ୍ରଦଗୁଡ଼ିକ ବାବଦରେ ବୈଜ୍ଞାନିକ ତଥ୍ୟ ସଂଗ୍ରହ କରିଥିଲେ ଆର୍ଟ ଅଫ୍ ଲିଭିଂର କାର୍ଯ୍ୟକର୍ତ୍ତା । ଏହି ତଥ୍ୟ ଅନୁସାରେ ବିଭିନ୍ନ ସ୍ଥାନରେ ମାଟି କଢ଼ା ଯିବା ସହ ସେଠାର ଥିବା ପ୍ରଦୂଷିତ ଜିନିଷକୁ କଢ଼ା ଯାଇଥିଲା । ପରେ ଲମ୍ବା ସମୟ ଧରି ଏହି ପ୍ରକଳ୍ପ କାର୍ଯ୍ୟ କରିବା ସକାଶେ ଆବଶ୍ୟକ ପଦକ୍ଷେପ ନିଆଯାଇଥିଲା । ନଦୀ ଶଯ୍ୟା କଡ଼ରେ ଗଛ ଲଗାଇବା ସ୍ଥାନୀୟ ଅଞ୍ଚଳରେ ଚାଷ ଅଭ୍ୟାସକୁ ପରିବର୍ତ୍ତନ କରିବା ପାଇଁ ଯେଉଁ ଉଦ୍ୟମ କରାଯାଇଥିଲା ତାହାର ଫଳ ଏବେ ଅନୁଭୂତ ହେଉଥିବା ସଂସ୍ଥା ପକ୍ଷରୁ କୁହାଯାଇଛି ।