ଓଡ଼ିଶାରେ ବଜ୍ରପାତ ଏବଂ ଝଡ ସମ୍ପର୍କିତ କେନ୍ଦ୍ର ଖୋଲିବାକୁ ଆଇସିଟିଏଲ‌୍‍ଟିରେ ସୁପାରିଶ

ଦେଶର ଏକ ଚତୁର୍ଥାଂଶ ବଜ୍ରପାତଜନିତ ମୃତ୍ୟୁସଂଖ୍ୟା ଓଡ଼ିଶାରେ ଘଟୁଛି। ତେଣୁ ଓଡ଼ିଶାରେ ଏକ ବଜ୍ରପାତ ଏବଂ ଝଡ ସମ୍ପର୍କିତ କେନ୍ଦ୍ର ଖୋଲିବାକୁ ଗତ ସପ୍ତାହରେ ଶେଷ ହୋଇଥିବା ଝଡ ଏବଂ ବଜ୍ରପାତ ସମ୍ପର୍କିତ ଅନ୍ତର୍ଜାତୀୟ କର୍ମଶାଳା (ଆଇଟିସିଏଲ‌୍‍ଟି – ୨୦୧୯)ରେ ସୁପାରିଶ କରାଯାଇଛି। କେନ୍ଦ୍ର ଭୂ-ବିଜ୍ଞାନ ବିଭାଗ ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା (ଓସ‌୍‍ଡମା)ର ମିଳିତ ସହଭାଗିତାରେ ଏହି କେନ୍ଦ୍ର ସ୍ଥାପନ କରାଯିବା ଆବଶ୍ୟକ ବୋଲି ଏହି ତିନି ଦିନିଆ କର୍ମଶାଳାରେ ସୁପାରିଶ ହୋଇଛି।

ଶିକ୍ଷା ଓ ଅନୁସନ୍ଧାନ (ଡିମ‌୍‍ଡ ଟୁ ବି ୟୁନିଭର୍ସିଟି)ର ପରିବେଶ ଓ ଜଳବାୟୁ କେନ୍ଦ୍ର ଏବଂ ଓସ‌୍‍ଡମା ପକ୍ଷରୁ ମିଳିତ ଭାବେ ଗତ ଜାନୁଆରୀ ୧୭ ରୁ୧୯ ତାରିଖ ପର୍ଯ୍ୟନ୍ତ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି କର୍ମଶାଳାରେ ପୃଥିବୀର ବିଭିନ୍ନ ଦିଗରୁ ପ୍ରାୟ ୨୦୦ ବୈଜ୍ଞାନିକ, ଗବେଷକ, ପରିବେଶ ବିଜ୍ଞାନୀ ଏବଂ ବିଶେଷଜ୍ଞ ଯୋଗ ଦେଇଥିଲେ। ଝଡ ଏବଂ ବଜ୍ରପାତଜନିତ କ୍ଷୟକ୍ଷତି ଏବଂ ମୃତ୍ୟୁକୁ ରୋକିବା ନେଇ ପଦକ୍ଷେପ ନେବା ଦିଗରେ ଏହି କର୍ମଶାଳାରେ ସୁପାରିଶ କରାଯାଇଥିବା ସିଇସି ପକ୍ଷରୁ କୁହାଯାଇଛି।

କର୍ଣ୍ଣାଟକର ଷ୍ଟେଟ‌୍‍ ନାଚୁରାଲ‌୍‍ ଡିଜାଷ୍ଟର ମନିଟରିଂ ସେଣ୍ଟର ଏବଂ ଶ୍ରୀଲଙ୍କାର ଷ୍ଟର୍ମ ମନିଟରିଂ ସେଣ୍ଟର ଭଳି ଓଡ଼ିଶାରେ ମଧ୍ୟ ଏକ ଷ୍ଟେଟ‌୍‍ ନାଚୁରାଲ‌୍‍ ଡିଜାଷ୍ଟର ମନିଟରିଂ ସେଣ୍ଟର ଖୋଲିବାକୁ କର୍ମଶାଳାରେ ସୁପାରିଶ କରାଯାଇଛି। ତିନି ଦିନିଆ କର୍ମଶାଳାରେ ଯୋଗ ଦେଇଥିବା ବିଶେଷଜ୍ଞମାନେ ଅନୁଭବ କରିଥିଲେ ଯେ ଝଡ ଓ ବଜ୍ରପାତ ପ୍ରବଣ ଅଞ୍ଚଳରେ ରହୁଥିବା ଲୋକମାନଙ୍କ ପାଇଁ ଆଗୁଆ ସତର୍କ ବ୍ୟବସ୍ଥା କ୍ଷେତ୍ରରେ ଉନ୍ନତି କରାଯିବା ଉଚିତ‌୍‍। ମୋବାଇଲ‌୍‍ ନେଟୱର୍କ, ଗଣମାଧ୍ୟମ ଏବଂ ସାଇରନ‌୍‍ ଦ୍ୱାରା ଏହି ଆଗୁଆ ସତର୍କ ସୂଚନା ଦିଆଯାଇପାରିବ ବୋଲି ବିଶେଷଜ୍ଞମାନେ ମତ ଦେଇଥିଲେ।

ସ୍କୁଲ‌୍‍ ଛାତ୍ରଛାତ୍ରୀମାନେ ଝଡ ଏବଂ ବଜ୍ରପାତ ଭଳି ବିପଦ ପ୍ରତି ସଚେତନ ରହିବା ଉଚିତ‌୍‍। ତେଣୁ ସମସ୍ତ ସ୍କୁଲ‌୍‍ ବ୍ୟାଗ ଏବଂ ସ୍କୁଲ‌୍‍ ବହିର ପଛ ପୃଷ୍ଠାରେ ବଜ୍ରପାତ ଓ ଝଡ଼ ସମୟରେ କ’ଣ କରାଯିବା ଉଚିତ‌୍‍ ଏବଂ କ’ଣ ନ କରିବା ଉଚିତ‌୍‍ ସେ ସମ୍ପର୍କିତ ଲେଖା ରହିବା ଆବଶ୍ୟକ ବୋଲି କର୍ମଶାଳାରେ ସୁପାରିଶ କରାଯାଇଛି।

ଏହି ସୁପାରିଶ ଅନୁଯାୟୀ ବିଭିନ୍ନ ବ୍ଲକ‌୍‍ରେ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂନାଗରିକମାନଙ୍କୁ ଝଡ ଏବଂ ବଜ୍ରପାତ ସମୟରେ ପ୍ରତିଶେଧମୂଳକ ପଦକ୍ଷେପ ନେବା ପାଇଁ ପ୍ରଶିକ୍ଷଣ ଦେବାର ଆବଶ୍ୟକତା ରହିଛି ଯାହା ଦ୍ୱାରା କି ସେମାନେ ଲୋକଙ୍କୁ ସଚେତନ କରିପାରିବେ। ସେହିପରି ସଚେତନତା ସମ୍ପର୍କିତ କ୍ୟାମ୍ପେନ‌୍‍ ମଧ୍ୟ ବ୍ଲକ ସ୍ତରର ସ୍କୁଲ‌୍‍, କଲେଜ ଏବଂ ପଂଚାୟତରେ ଓସ‌୍‍ଡମା ପକ୍ଷରୁ କରାଯିବାର ଆବଶ୍ୟକତା ରହିଛି। ସେହିପରି ଯୁବ ପିଏଚ‌୍‍ଡି ଓ ଏମଟେକ‌୍‍ ସ୍କଲାରମାନଙ୍କ ନିମନ୍ତେ ଟ୍ରେନିଂ ୱାର୍କସପ‌୍‍ ମଧ୍ୟ କରାଯିବା ଉଚିତ‌୍‍। ବିଭିନ୍ନ ଗଣମାଧ୍ୟମ ଏବଂ ଏନ‌୍‍ଜିଓ ମାନଙ୍କୁ ଝଡ ଏବଂ ବଜ୍ରପାତ ସମ୍ପର୍କିତ ସଚେତନ କରାଇବା ନେଇ ଝଡ ଆସିବା ଋତୁ ପୂର୍ବରୁ ବିଭିନ୍ନ କର୍ମଶାଳା କରାଇବାର ଆବଶ୍ୟକତା ରହିଛି ବୋଲି କର୍ମଶାଳାରେ ସୁପାରିଶ କରାଯାଇଛି।

Leave a Reply

Your email address will not be published.