ଖାଲିପେଟରେ ଖାଆନ୍ତୁ ନାହିଁ ଲିଚୁ, ହୋଇପାରେ ଜୀବନହାନୀ
ଖରାଦିନେ ସ୍ୱାଦିଷ୍ଟ ଲିଚୁର ଆଦର ଅଧିକ ଥାଏ । ଏହା ଯେତିକି ମିଠା ସେତିକି ସ୍ୱାସ୍ଥ୍ୟକର । ଲିଚୁରେ ଥିବା ବିଭିନ୍ନ ପୋଷକତ୍ତ୍ୱ ମୋଟାପା କମାଇବା ଠାରୁ ଆରମ୍ଭ କରି ସୌନ୍ଦର୍ଯ୍ୟବର୍ଦ୍ଧକ, ଡାଇବେଟିସ୍ ହ୍ରାସ, ରକ୍ତହୀନତା ଆଦି ବିଭିନ୍ନ ପ୍ରକାର ରୋଗରୁ ଶରୀରକୁ ରକ୍ଷା କରିଥାଏ । ଡାଇବେଟିସ୍ ରୋଗୀ ଡାକ୍ତରଙ୍କ ପରାମର୍ଶ କ୍ରମେ ଦିନକୁ ମାତ୍ର ୫-୬ଟି ଲିଚୁ ଖାଇପାରିବେ । ସାଧାରଣ ଭାବେ ଦିନକୁ ୯-୧୦ଟି ଲିଚୁ ଖାଇହେବ । କିନ୍ତୁ ତା’ଠାରୁ ଅଧିକ ଖାଆନ୍ତୁ ନାହିଁ । ଏସବୁ ବ୍ୟତୀତ ଲିଚୁ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ କଥା ସବୁବେଳେ ମନେ ରଖନ୍ତୁ । କେବେ ମଧ୍ୟ ଖାଲିପେଟରେ ଲିଚୁ ଖାଆନ୍ତୁ ନାହିଁ । ଏହା କେବଳ ସ୍ୱାସ୍ଥ୍ୟହାନୀ କରିନଥାଏ ବରଂ ଅନେକ ସମୟରେ ପ୍ରାଣଘାତକ ହୋଇଥାଏ ।
ବିଶେଷ ଭାବେ ଶିଶୁମାନଙ୍କ କ୍ଷେତ୍ରରେ ଏହା ମନେ ରଖିବା ନିହାତି ଆବଶ୍ୟକ । ସ୍ୱାସ୍ଥ୍ୟବିଜ୍ଞାନୀମାନେ ଏ ସମ୍ପର୍କରେ ଏକ ତଥ୍ୟ ପ୍ରକାଶ କରିଛନ୍ତି । ତଥ୍ୟ ଅନୁଯାୟୀ ଲିଚିରେ ମିଥିଲିନ୍ ସାଇକ୍ଲୋପ୍ରୋପାଇଲ ଗ୍ଲାଇସିନ୍ ଏ ଓ ହାଇପୋଗ୍ଲାଇସିନ୍ ନାମକ ଏକ ତତ୍ୱ ରହିଛି ଯାହାକୁ ଖାଲିପେଟରେ ଖାଇବା ଦ୍ୱାରା ରକ୍ତରେ ଏକ ବିଷାକ୍ତ ରସାୟନିକ ପଦାର୍ଥ ସୃଷ୍ଟି ହୋଇଥାଏ । ୨୦୧୭ରେ ବିହାରର ମୁଜାଫରପୁରରେ ଶହଶହ ଶିଶୁ ଏକ ଅଜଣା ରୋଗରେ ପିଡ଼ୀତ ଥିଲେ ଏବଂ ସେମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତଙ୍କୁ ମୃତ୍ୟୁ ସ୍ୱିକାର କରିବାକୁ ପଡ଼ିଥିଲା । ଏ ସମ୍ପର୍କରେ ଭାରତ ଓ ଆମେରିକାର ବୈଜ୍ଞାନିକ ଲଗାତାର ପରୀକ୍ଷାନିରୀକ୍ଷା ଚଳାଇଥିଲେ । ଶେଷରେ ଏହାର କାରଣ ଜଣାପଡ଼ିଥିଲା ।
ଏହାର କାରଣ ଥିଲା ଯେଉଁ ଶିଶୁମାନେ ସନ୍ଧ୍ୟା କିମ୍ବା ରାତିରେ ଭୋଜନ ନକରି ସକାଳୁ ଖାଲିପେଟରେ ଲିଚୁ ଖାଇଥିଲେ, ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ପ୍ରଭାବିତ ହୋଇଥିଲା । ଏ ସମ୍ପର୍କିତ ଏକ ଆର୍ଟିକଲ୍ ‘ଜୋର୍ନାଲ୍ ଲାନସେଟ୍ ଗ୍ଲୋବାଲ୍ ହେଲଥ’ରେ ପ୍ରକାଶ ପାଇଥିଲା । ତେଣୁ ଏସବୁ ଜାଣିବା ପରେ ଆପଣ ଆଦୌ ଖାଲିପେଟରେ ଲିଚୁ ଖାଆନ୍ତୁ ନାହିଁ । ବିଶେଷ ଭାବେ ଆପଣଙ୍କ ପିଲାମାନଙ୍କ କ୍ଷେତ୍ରରେ ଏହାକୁ ଧ୍ୟାନରେ ରଖନ୍ତୁ ।