ଭାଙ୍ଗିଲା ଦିଲ୍ଲୀ ବିଧାନସଭା

ନୂଆଦିଲ୍ଲୀ(ଓଟି): ଦିଲ୍ଲୀରେ ନୂଆ ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ଆଜି ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ ବିଧାନସଭାକୁ ଭଙ୍ଗ କରିଥିବାବେଳେ ଏ ସମ୍ପର୍କରେ ରାଜଭବନ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇସାରିଛି। ବିଜ୍ଞପ୍ତିରେ କୁହାଯାଇଛି ଯେ ଉପରାଜ୍ୟପାଳ ଅନୀଲ ବୈଜଲ ମଙ୍ଗଳବାର ଦିଲ୍ଲୀର ୬ଷ୍ଠ ବିଧାନସଭାକୁ ଭଙ୍ଗ କରିଛନ୍ତି। ଭୋଟ ଗଣତି ଚାଲିଥିବାବେଳେ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବା ପରେ ୭ମ ବିଧାନସଭା ଗଠନ ପାଇଁ ନୂଆ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଦର୍ଶାଯାଇଛି।

ଆପ୍‌ ଶିବିରରେ ଖୁସି

ନିର୍ବାଚନୀ ପ୍ରଚାର ଚାଲିଥିବାବେଳେ ବିଜେପି ଓ ଆପ୍‌ ମଧ୍ୟରେ ବେଶ୍‌ କାଦୁଅ ଫିଙ୍ଗାଫିଙ୍ଗି ହୋଇଥିଲା। ଏପରିକି ସମାଲୋଚନା ବ୍ୟକ୍ତିଗତ ସ୍ତରକୁ ମଧ୍ୟ ଚାଲିଯାଇଥିବା ଦେଖାଯାଇଥିଲା। ଆପ୍‌ ହାଇକମାଣ୍ଡ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆତଙ୍କବାଦୀ ବୋଲି ବିଜେପି ପକ୍ଷରୁ ଟିପ୍ପଣୀ ଦିଆଯାଇଥିଲା। ଏହାର ଜବାବରେ କେଜ୍ରିୱାଲ କହିଥିଲେ ଯେ- ଏହି ଆରୋପକୁ ସେ ଦିଲ୍ଲୀବାସୀଙ୍କ ଉପରେ ଛାଡ଼ିଦେଉଛନ୍ତି; ଜନତା ହିଁ ବିଚାର କରିବେ। ଆଜି ଭୋଟ୍‌ ଗଣତିକୁ ନେଇ ଜନମତ ଆପ୍‌ ପ୍ରତି ଅଧିକ ଥିବା ସୂଚିତ ହେବା ପରେ ଆପ୍‌ ଶିବିରରେ ଖୁସି ପ୍ରକାଶ ପାଇବା ସହ ବିଜେପିକୁ କଡ଼ା ଜବାବ ଦେଇଛନ୍ତି ଆପ୍‌ ନେତା ଓ କର୍ମୀ। ବରିଷ୍ଠ ଆପ୍ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ କହିଛନ୍ତି ଯେ – ଆଜି କିଏ ଜିତିଲା ତାହା ସାରା ଦୁନିଆ ଦେଖିଲା। ଏଥିସହ ଦିଲ୍ଲୀବାସୀ ତାଙ୍କ ସେବକ ଅରବିନ୍ଦ କେଜ୍ରିୱାଲଙ୍କୁ ଆତଙ୍କବାଦୀ ନୁହେଁ ବୋଲି ପ୍ରମାଣିତ କରିଛନ୍ତି ବୋଲି କହିବା ସହ ଦିଲ୍ଲୀବାସୀଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି।

Leave a Reply

Your email address will not be published. Required fields are marked *