ବାଲେଶ୍ୱର ଫେରିଲେ ଲେଖାଶ୍ରୀ : କର୍ମୀ ଦ୍ୱନ୍ଦ୍ୱରେ
ବେଶ୍ କିଛି ଦିନର ବ୍ୟବଧାନ ପରେ ବିଜେପି ରାଜ୍ୟ ସମ୍ପାଦିକ ଡକ୍ଟର ଲେଖାଶ୍ରୀ ସାମନ୍ତସିଂହାରଙ୍କର ବାଲେଶ୍ୱରରେ ଉପସ୍ଥିତି ଜାହିରକୁ ନେଇ ଦଳୀୟ କର୍ମକର୍ତ୍ତାଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଏପରିକି ଚଳିତ ନିର୍ବାଚନରେ ବାଲେଶ୍ୱର ଲୋକସଭା ପାଇଁ କିଏ ପ୍ରାର୍ଥୀ ହେବ ତାହା କର୍ମୀମାନଙ୍କୁ ସନ୍ଦେହରେ ପକାଇଛି।
ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ନାରୀନେତ୍ରୀ ଭାବେ ଲେଖାଶ୍ରୀ ବାଲେଶ୍ୱର ଲୋକସଭା ଆସନ ପାଇଁ ଆଶାୟୀ ଭାବେ କିଛିଦିନ ଧରି ସହରରେ ଅଫିସ ଖୋଲିବା ସହିତ ଲୋକସମ୍ପର୍କ ତଥା ପ୍ରଚାର ଅଭିଯାନ ଜାରି ରଖିଥିଲେ। ବାରମ୍ୱାର ସାମ୍ୱାଦିକ ସମ୍ମିଳନୀ ଜରିଆରେ ଜିଲ୍ଲାର ସମସ୍ୟା ଫୋକସ କରିବା ସହ ଶାସକ ଦଳ ଏବଂ ସ୍ଥାନୀୟ ସାଂସଦଙ୍କ ବିରୋଧରେ ବିଷୋଦଗାର କରି ଚାଲିଥିଲେ। ତେବେ ଗତ ସପ୍ତାହରୁ ଅଧିକ ଦିନ ସେ ବାଲେଶ୍ୱରରୁ ଉଭାନ ହୋଇଯିବା ଓ ତାଙ୍କର ଅନୁପସ୍ଥିତିରେ ବିଜେପିର କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ବିଧାୟକ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସାମ୍ୱାଦିକ ସମ୍ମିଳନୀ ମାଧ୍ୟମରେ ଅନୁରୂପ ଭାବେ ସ୍ଥାନୀୟ ସମସ୍ୟାକୁ ଉପସ୍ଥାପନ କରିବା ସମସ୍ତଙ୍କୁ ଆଚମ୍ୱିତ କରିଥିଲା।

ଏମିତିକି ଲେଖାଶ୍ରୀଙ୍କ ଭଳି ବାଲେଶ୍ୱର ସାଂସଦ ଓ ଶାସକ ଦଳଙ୍କୁ ସମାଲୋଚନା ସହ ଲୋକସଭା ଆସନ ପାଇଁ ପ୍ରାର୍ଥିତ୍ୱକୁ ନେଇ ଶ୍ରୀ ଷଡ଼ଙ୍ଗୀ ପରୋକ୍ଷରେ ସୂଚନା ମଧ୍ୟ ଦେଇଥିଲେ। ବିଜେପି ଜିଲ୍ଲା କମିଟିର ସମର୍ଥନ ଓ ନିରବ ଇଙ୍ଗିତ ଶ୍ରୀ ଷଡ଼ଙ୍ଗୀଙ୍କ ପ୍ରାର୍ଥିତ୍ୱକୁ ଏକ ପ୍ରକାର ସ୍ପଷ୍ଟ କରିଥିଲା।
ତେବେ ୧୦ ଦିନର ବ୍ୟବଧାନ ପରେ ସ୍ଥାନୀୟ ଜାଇକା ହୋଟେଲରେ ଲେଖାଶ୍ରୀଙ୍କ ହଠାତ୍ ସାମ୍ୱାଦିକ ସମ୍ମିଳନୀ ଆୟୋଜନ ଏବଂ ସମାନ ଭାବେ ବାଲେଶ୍ୱର ସମସ୍ୟାକୁ ପୁଣି ଦୋହରାଇବା ଆଗାମୀ ନିର୍ବାଚନରେ ବିଜେପିର ଲୋକସଭା ପ୍ରାର୍ଥିତ୍ୱକୁ ନେଇ ଅଟକଳ ଆରମ୍ଭ ହୋଇଛି।
ବାଲେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀରେ ବିଜେଡି ସାଂସଦଙ୍କ ସମେତ ୬ ଜଣ ବିଧାୟକ ଥିବା ସତ୍ତ୍ୱେ ବିଗତ ୫ ବର୍ଷ ମଧ୍ୟରେ ଜିଲ୍ଲାବାସୀ ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବା ଲେଖାଶ୍ରୀ ଏହି ସାମ୍ୱାଦିକ ସମ୍ମିଳନୀରେ ଆରୋପ ଉଠାଇଥିଲେ। ଅଧାରେ ରହିଥିବା ସୁବର୍ଣ୍ଣରେଖା ସଂସ୍କାର ଯୋଜନା, ଖତ ଖାଉଥିବା ୧୦ଟି ସିଟିବସ୍, ବର୍ଦ୍ଧିତ ବେଆଇନ ଚିଙ୍ଗୁଡ଼ି ଘେରି, ଜମି ହରାଇଥିବା ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନରେ ବିଫଳତା, ସହରର ବିପର୍ଯ୍ୟସ୍ଥ ବର୍ଜ୍ୟବସ୍ତୁ ପରିଚାଳନା ପ୍ରଭୃତିକୁ ନେଇ ସେ ପ୍ରଶ୍ନ ଉଠାଇଥିଲେ। ଅପାରଗତାକୁ ଲୁଚାଇବାକୁ ଯାଇ ଶାସକ ଦଳର ଲୋକ ପ୍ରତିନିଧିମାନେ ସୁବର୍ଣ୍ଣରେଖା ବନ୍ଦର, ରିଂ ରୋଡ଼, ଇଡକୋ ଟାୱାର ପ୍ରଭୃତି ମିଥ୍ୟା ପ୍ରକଳ୍ପ ନାମରେ ଜିଲ୍ଲାବାସୀଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି ବୋଲି ଲେଖାଶ୍ରୀ କହିଥିଲେ।
ଆଗାମୀ ନିର୍ବାଚନରେ ବିଜେପି କ୍ଷମତାକୁ ଆସିଲେ ଜିଲ୍ଲାର ମୌଳିକ ସମସ୍ୟା ସମାଧାନକୁ ଅଗ୍ରାଧିକାର ଦେବ ବୋଲି ସେ ତାଙ୍କର ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ତେଣୁ ବୋଧହୁଏ ଲେଖାଙ୍କ କପାଳରେ ବିଜେପି ଟିକଟ ଲେଖା ହୋଇଛି।
ଅନ୍ୟ ଖବର ପାଇଁ କ୍ଲିକ୍ କରନ୍ତୁ: