ଏଣିକି ୨୪ ସପ୍ତାହ ଯାଏ ସୁରକ୍ଷିତ ଗର୍ଭପାତ

ନୂଆଦିଲ୍ଲୀ(ଓଟି): ଏଣିକି ୨୦ ନୁହେଁ, ସୁରକ୍ଷିତ ଗର୍ଭପାତ ପାଇଁ ୨୪ ସପ୍ତାହକୁ ଅବଧି ବଢ଼ିଛି। କେନ୍ଦ୍ର ସରକାର ଏନେଇ ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି। ଫଳରେ ସାରା ଦେଶର ମହିଳାମାନଙ୍କୁ ଆଉଏକ ଆଶ୍ୱସ୍ତି ମିଳିଥିବା କୁହାଯାଉଛି। ସୂଚନାଯୋଗ୍ୟ ଯେ କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ମହିଳାଙ୍କୁ ଗର୍ଭପାତ କରିବା ପାଇଁ ଆଇନତଃ ଅନୁମତି ରହିଥିବାବେଳେ ତାହା ୨୦ ସପ୍ତାହ ପର୍ଯ୍ୟନ୍ତ ପୂର୍ବରୁ ନିର୍ଦ୍ଧାରିତର ରହିଥିଲା। କେତେକ ସ୍ଥଳରେ କୋର୍ଟଙ୍କ ଅନୁମତି ନେଇ ୨୦ ସପ୍ତାହ ପରେ ମଧ୍ୟ ଗର୍ଭପାତ କରାଯାଇପାରିବ ବୋଲି ପୂର୍ବରୁ ନିୟମ ରହିଥିଲା। ସେହି ନିୟମରେ ହିଁ ପରିବର୍ତ୍ତନ ଅଣାଯାଇଛି। ଏଣିକି ସୁରକ୍ଷିତ ଗର୍ଭପାତ ଲାଗି ୨୦ ସପ୍ତାହ ପରିବର୍ତ୍ତେ ୨୪ ସପ୍ତାହକୁ ବୃଦ୍ଧି ପ୍ରସ୍ତାବ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ପାଇଛି। ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ମେଡିକାଲ ଟର୍ମିନେସନ ଅଫ ପ୍ରେଗନାନ୍ସି (ସଂଶୋଧନ) ବିଲ୍-୨୦୨୦କୁ କ୍ୟାବିନେଟ ଅନୁମୋଦନ କରିଛି। ଏହା ଫଳରେ ପ୍ରେଗନାନ୍ସି ଆକ୍ଟ-୧୯୭୧ରେ ସଂଶୋଧନ ଅଣାଯିବ ଏବଂ ସୁରକ୍ଷିତ ଗର୍ଭପାତର ସର୍ବୋଚ୍ଚ ସମୟସୀମା ୨୦ ସପ୍ତାହରୁ ୨୪ ସପ୍ତାହକୁ ଅନୁମତି ଦିଆଯିବ। ଏହାଦ୍ଵାରା ଦୁଷ୍କର୍ମ ପୀଡ଼ିତା ଓ ନାବାଳିକାଙ୍କୁ ଆଶ୍ୱସ୍ତି ମିଳିପାରିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ ଆସନ୍ତା ବଜେଟ ଅଧିବେଶନ ସମୟରେ ଏହି ବିଲକୁ ସଂସଦରେ ଗୃହୀତ କରିବା ପାଇଁ ସରକାର ଉଦ୍ୟମ କରିପାରନ୍ତି।

Leave a Reply

Your email address will not be published.