ରାହୁଲ ବିଜେପିକୁ ଡରୁଛନ୍ତି : ସିପିଏମ
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ କେରଳ ପ୍ରବେଶ ବାମଦଳକୁ ଭୀଷଣ ଉତକ୍ଷିପ୍ତ କରିଦେଇଛି। ଏମିତିରେ ଆମେଥି ସହ କେରଳର ଓ୍ବେନାଡରେ ଲଢିବା ଲାଗି ରାହୁଲ ଗାନ୍ଧୀଙ୍କ ନିଷ୍ପତ୍ତିକୁ ଭାରତୀୟ ଜନତା ପାର୍ଟି ଏମିତି ସମାଲୋଚନା ଆରମ୍ଭ କରିଛି ଯେ ଏହାର ପ୍ରଭାବ ଉତ୍ତରପ୍ରଦେଶର କଂଗ୍ରେସ ଉପରେ ପଡ଼ିଲାଣି।

ଆମେଥିରେ ଲଢୁଥିବା ବିଜେପି ନେତ୍ରୀ ସ୍ମୃତି ଇରାନୀ କଂଗ୍ରେସ ପ୍ରାର୍ଥୀ ରାହୁଲଙ୍କୁ ଭାରି ବ୍ୟଙ୍ଗ କରୁଛନ୍ତି। ଆମେଥିରୁ ହାରିବା ଭୟ ରାହୁଲଙ୍କୁ କେରଳ ପଳାଇ ଯିବାକୁ ବାଧ୍ୟ କରିଛି ବୋଲି ସ୍ମୃତି କହିଲେଣି। ଆସନ୍ନ ପରାଜୟ ଭୟରେ ଆମେଥିରୁ ପଳାଇ ଗଲେଣି ରାହୁଲ। ସ୍ମୃତିଙ୍କ ସ୍ଲୋଗାନ ହେଲା-ଭାଗ ରାହୁଲ ଭାଗ।

ଏବେ ବାମଦଳଗୁଡ଼ିକ ମଧ୍ୟ ରାହୁଲଙ୍କ ନିଷ୍ପତ୍ତକୁ ସମାଲୋଚନା କରୁଛନ୍ତି। ବରିଷ୍ଠ ସିପିଏମ ନେତ୍ରୀ ବ୍ରିନ୍ଦା କରାତ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ପାଇଁ ଖେଳ ସରିଗଲା। ଯେଉଁଦିନ ଦ୍ୱିତୀୟ ଆସନ ଭାବେ କେରଳର ଓ୍ବେନାଡରୁ ଲଢିବା ପାଇଁ ରାହୁଲ ନିଷ୍ପତ୍ତି ନେଲେ, ସେହି ଦିନ ସେ ସ୍ୱୀକାର କରିନେଲେ ଯେ, ବିଜେପିକୁ ମୁକାବିଲା କରିବା ପାଇଁ କଂଗ୍ରେସ ସମର୍ଥ ନୁହେଁ।

ଆମେଥି ହେଉଛି ଗାନ୍ଧୀ ନେହେରୁ ପରିବାରର ପାରମ୍ପରିକ ଆସନ। ସଞ୍ଜୟ, ରାଜୀବ ଏବଂ ପରେ ରାହୁଲ ଆମେଥିରୁ ଜିଣିଆସୁଥିଲେ। ହଠାତ ରାହୁଲ କେରଳ ମୁହାଁ ହେବା କାରଣରୁ ଏକ ଭୁଲ ସଂକେତ ଗଲା। ଏଥିରୁ ମୋଦୀ-ଶାହା ଭଲ ରାଜନୈତିକ ଫାଇଦା ଉଠାଇବାର ସମ୍ଭାବନା ଅଛି।
ବ୍ରିନ୍ଦା ଯେଉଁ ତର୍କ ବାଢିଛନ୍ତି, ସେଥିରେ ଦମ ଅଛି। ସେ କହିଛନ୍ତି ଯେ ଯଦି କଂଗ୍ରେସ ଦକ୍ଷିଣ ପ୍ରେମ ଦେଖାଇବାକୁ ଚାହୁଁଥିଲା, ତେବେ ଇନ୍ଦିରାଙ୍କ ପରି ରାହୁଲ କର୍ଣ୍ଣାଟକକୁ ବାଛିପାରିଥାନ୍ତେ। କର୍ଣ୍ଣାଟକରେ କଂଗ୍ରେସ-ଧର୍ମ ନିରପେକ୍ଷ ଜନତା ଦଳର ମିଳିତ ସରକାର ଅଛି। ବିଜେପି ସେଠାରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ। କର୍ଣ୍ଣାଟକର କୌଣସି ଆସନରୁ ରାହୁଲ ପ୍ରାର୍ଥୀ ହୋଇଥିଲେ ଏହା ସବୁ ବିରୋଧୀ ଦଳକୁ ଏକ ଭଲ ସଂକେତ ଦେଇଥାନ୍ତା।
କେରଳରେ ବିଜେପି କୌଣସି ସ୍ଥିତି ନାହିଁ। ଅଥଚ ସେଠାରୁ ଲଢିବା ସକାଶେ ନିଷ୍ପତ୍ତି ନେଲେ ରାହୁଲ। ବିଜେପିକୁ ଡରି ଏବେ ବାମଦଳ ବିରୋଧରେ ଲଢିବା ପାଇଁ ବାହାରିଛନ୍ତି କଂଗ୍ରେସ ଅଧ୍ୟକ୍ଷ। ସେଠାରୁ ମଧ୍ୟ ରାହୁଲ ହାରିବେ ବୋଲି ବାମଦଳ ନେତା ପ୍ରକାଶ କରାତ ଭବିଷ୍ୟବାଣୀ କରିଛନ୍ତି।
ଓ୍ବେନାଡରୁ ୟୁଡିଏଫ ପ୍ରାର୍ଥୀ ଭାବେ ଲଢିବେ ରାହୁଲ। ଏହି ଆସନରେ ମୁସଲିମ ଭୋଟରଙ୍କ ସଂଖ୍ୟା ଅଧିକ। ମୁସଲିମ ଲିଗର ରେକର୍ଡ ମଧ୍ୟ ସବୁବେଳେ ସନ୍ଦେହଜନକ। ମୁସଲିମ ଲିଗ ସମର୍ଥନରେ ଏହି ଆସନରୁ କାହାକୁ ହରାଇବାକୁ ଚାହାଁନ୍ତି ରାହୁଲ। ବାମଦଳର ପ୍ରାର୍ଥୀଙ୍କୁ ହରାଇ କି ସଂକେତ ଦେବାକୁ ଯାଉଛନ୍ତି କଂଗ୍ରେସ ଅଧ୍ୟକ୍ଷ ବୋଲି ଅନେକ ବିରୋଧୀ ନେତା ପ୍ରଶ୍ନ ଉଠାଇଲେଣି।
କେରଳରେ ବିଜେପି-ଆରଏସଏସ ଚାପରେ ଅଛି ବାମଦଳ। ଏହି ରାଜ୍ୟରେ ଏମାନଙ୍କ ମଧ୍ୟରେ ଅନେକ ରାଜନୈତିକ ସଂଘର୍ଷ ଘଟିଚାଲିଛି। ବାମଦଳ ନେତୃତ୍ୱାଧିନ ଏଲଡିଏଫ ସବୁ ୨୦ଟି ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା କରିଛି। ଓ୍ବେନାଡରେ ବାମଦଳ ତା’ର ପ୍ରାର୍ଥୀ ପ୍ରତ୍ୟାହାର କରୁ ବୋଲି କଂଗ୍ରେସ ଚାପକୁ ପ୍ରତ୍ୟାଖ୍ୟାନ କରିଛନ୍ତି ପ୍ରକାଶ କରାତ। ଅଧିକାଂଶ ବାମ ନେତାଙ୍କର ଯୁକ୍ତି ହେଲା ଓ୍ବେନାଡରେ ବିଜେପିର ସ୍ଥିତି ଅତ୍ୟନ୍ତ ନଗନ୍ୟ। କିନ୍ତୁ ଏଠାରୁ ରାହୁଲ ପ୍ରାର୍ଥୀ ହୋଇ ସ୍ୱୀକାର କରିନେଲେଣି ଯେ ବିଜେପି ସହିତ ଲଢିବାର ମାନସିକତା ରାହୁଲଙ୍କର ନାହିଁ।
ପଶ୍ଚିମବଙ୍ଗରେ କଂଗ୍ରେସ ଓ ବାମଦଳ ମେଣ୍ଟ ଭାଙ୍ଗି ଯାଇଛି। କେରଳରେ ରାହୁଲଙ୍କ ପ୍ରବେଶ ରାଜ୍ୟ ରାଜନୀତିର ସମୀକରଣକୁ ବଦଳାଇ ଦେବ ବୋଲି ମନେ କରାଯାଉଛି। ଆମେଥି ସହ ଦ୍ୱିତୀୟ ଆସନ ଲଢିବା ପାଇଁ ରାହୁଲଙ୍କ ନିଷ୍ପତ୍ତି ୟୁପିରେ କଂଗ୍ରେସ ପ୍ରଦର୍ଶନକୁ ପ୍ରଭାବିତ କରିବ। କଂଗ୍ରେସ ସହ ମେଣ୍ଟ କରିବାକୁ ଏସପି-ବିଏସପି ମନା କରିଦେଇଛନ୍ତି। ତେଣୁ ପ୍ରିୟଙ୍କାଙ୍କ ରାଜନୀତି ପ୍ରବେଶରୁ ଯେଉଁ ଫାଇଦା କଂଗ୍ରେସକୁ ମିଳିବ ବୋଲି ଆଶା କରାଯାଉଥିଲା ତାହା ରାହୁଲଙ୍କ ନିଷ୍ପତ୍ତି ଦ୍ୱାରା ହରାଇବ କଂଗ୍ରେସ।