ଲତାଙ୍କ ୯୦ତମ ଜନ୍ମଦିନରେ ମିଳିବ ‘ଡଟର୍ ଅଫ୍ ନେସନ୍’ ସମ୍ମାନ

ଆସନ୍ତା ୨୮ ତାରିଖରେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର୍ ୯୦ ତମ ଜନ୍ମଦିନ ପାଳନ କରିବେ । ଲତାଜୀଙ୍କ ଅଗଣିତ ପ୍ରଶଂସକଙ୍କ ପାଇଁ ଏହି ଖୁସି ଦୁଇଗୁଣା ହୋଇଯାଇଛି । କାରଣ ଏହି ଦିନ ଲତାଜୀଙ୍କୁ ଭାରତ ସରକାରଙ୍କ ପକ୍ଷରୁ ‘ଡଟର୍ ଅଫ୍ ନେସନ୍’ ସମ୍ମାନରେ ସମ୍ମାନିତ କରାଯିବ । ମିଡିଆ ରିପୋର୍ଟ ଅନୁଯାୟୀ ଏହି ବିଶେଷ ଦିନ ପାଇଁ ଗୀତିକାର ଓ କବି ପ୍ରସୁନ୍ ଯୋଶୀ ଏକ ଗୀତ ଲେଖିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲତାଜୀଙ୍କର ଜଣେ ବହୁତ ବଡ଼ ପ୍ରଶଂସକ । ମୋଦି ଜୀ କହିଛନ୍ତି ଯେ ଲତାଜୀ ହେଉଛନ୍ତି ଭାରତୀୟ ଭାଷା ଓ ସଙ୍ଗୀତର ପ୍ରତିନିଧି । ତେଣୁ ତାଙ୍କୁ ସମ୍ମାନିତ କରିବା ଭାରତର କଳାଜଗତ ଓ ନାରୀଜାତିକୁ ସମ୍ମାନିତ କରିବା ସହିତ ସମାନ । ତେଣୁ ଲତାଜୀଙ୍କୁ ‘ଡଟର୍ ଅଫ୍ ନେସନ୍’ ସମ୍ମାନରେ ସମ୍ମାନିତ କରାଯିବ ବୋଲି ମୋଦି ଜୀ ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ – ୧୯୪୩ରେ ରିଲିଜ୍ ହୋଇଥିବା ମରାଠୀ ଫିଲ୍ମ ‘ଗଜାଭାଉ’ରେ ଲତାଜୀ ଗୋଟିଏ ଗୀତ ‘ମାତା ଏକ୍ ସପୁତ୍ କି ଦୁନିଆ ବଦଲ୍ ଦେ…’ ରେକର୍ଡ଼ କରିଥିଲେ । ଏହା ତାଙ୍କର ପ୍ରଥମ ଗୀତ ବୋଲି ରେକର୍ଡ଼ ରହିଛି । କିନ୍ତୁ କହିରଖୁଛୁ ଏହା ତାଙ୍କର ପ୍ରଥମ ଗୀତ ନଥିଲା । ୧୯୪୨ରେ ରିଲିଜ୍ ହୋଇଥିବା ମରାଠୀ ଫିଲ୍ମ ‘କିତି ହସାଲ୍’ର ଗୋଟିଏ ଗୀତକୁ ଲତା ରେକର୍ଡ଼ିଂ କରିଥିଲେ । କିନ୍ତୁ ଫାଇନାଲ୍ ଏଡିଟିଙ୍ଗରେ ଏହାକୁ କଟ୍ କରିଦିଆ ଯାଇଥିଲା । ଲତାଜୀ ବହୁ ପୂର୍ବରୁ ଭାରତ ସରକାରଙ୍କ ଦ୍ୱାରା ପଦ୍ମବିଭୂଷଣ, ଭାରତରତ୍ନ ଓ ଦାଦା ସାହେବ୍ ଫାଲକେ ଆୱାର୍ଡ଼ରେ ସମ୍ମାନିତ ହୋଇସାରିଛନ୍ତି ।

Leave a Reply

Your email address will not be published. Required fields are marked *