ରାଜ୍ୟରେ ଶେଷ ପର୍ଯ୍ୟାୟ ଭୋଟ୍ଦାନ ଆରମ୍ଭ: ୩୮୮ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
ଭୁବନେଶ୍ଵର,(ଓଟି): ଦେଶର ଚତୁର୍ଥ ପର୍ଯ୍ୟାୟ ତଥା ରାଜ୍ୟର ଶେଷ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଏବଂ ବିଧାନସଭା ପାଇଁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ସକାଳ ସାତଟା ବେଳଠୁ ନିର୍ଦ୍ଧାରିତ ସ୍ଥାନରେ ଭୋଟ ଗ୍ରହଣ କରାଯାଉଛି। ଇଭିଏମ୍ ଓ ଭିଭିପ୍ୟାଟ୍ ସଂଯୋଗ ତ୍ରୁଟି ହେତୁ ଅନେକ ସ୍ଥାନରେ ମତଦାନ ବିଳମ୍ବ ହୋଇଛି।
ଏହି ପର୍ଯ୍ୟାୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ପ୍ରଭୃତି ୬ ଲୋକସଭା ମଣ୍ଡଳୀ ତଥା ୮ଟି ଜିଲ୍ଲାରେ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି ନିର୍ବାଚନ ମଣ୍ଡଳୀଗୁଡ଼ିକ ଅନ୍ତର୍ଗତ ୪୧ଟି ବିଧାନସଭା ଆସନପାଇଁ ପ୍ରାତିନିଧି ଚୟନ ସକାଶେ ଏକକାଳୀନ ଭୋଟ୍ ଗ୍ରହଣ କରାଯିବ। ଏହି ପର୍ଯ୍ୟାୟରେ ସମୁଦାୟ ଲୋକସଭା ପ୍ରାର୍ଥୀଙ୍କ ସଂଖ୍ୟା ରହିଛି ୫୨ ଏବଂ ବିଧାନସଭା ପ୍ରାର୍ଥୀଙ୍କ ସଂଖ୍ୟା ରହିଛି ୩୩୬। ଏମାନଙ୍କ ଭିତରୁ ୩୦% ପ୍ରାର୍ଥୀ ହେଉଛନ୍ତି ବିଭିନ୍ନ ଫୌଜଦାରୀ ମାମଲା ଅଭିଯୁକ୍ତ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ମୋଟ ୯୫,୦୦,୬୩୫ ମତଦାତା ଆଜି ତାଙ୍କ ମତ ସାବ୍ୟସ୍ତ କରିବେ। ଏଥିରେ ପୁରୁଷ ମତଦାତା ୪୯,୦୧,୦୭୯, ମହିଳା ମତଦାତା ୪୫,୯୮,୯୭୯, ତୃତୀୟ ଲିଙ୍ଗ ମତଦାତା ୫୪୫ ଜଣ ଓ ୧,୮୬,୪୫୫ ଜଣ ଦିବ୍ୟାଙ୍ଗ ମତଦାତା ରହିଛନ୍ତି।
ସେହିପରି ଏହି ପର୍ଯ୍ୟାୟରେ ୩୦୯୨ ପୋଲିଂ ବୁଥ ସମ୍ବୋଦନଶୀଳ ଅଟେ। ସେଗୁଡ଼ିକ ଭିତରୁ ୧୧୨୬ଟି କେନ୍ଦ୍ରରେ ୱେବ କାଷ୍ଟିଙ୍ଗ ହେବ । ୫୫୪ଟି କେନ୍ଦ୍ରରେ ସିସିଟିଭି କ୍ୟାମେରା ଖଂଜାଯାଇଛି। ସେହିପରି ୫୯୫ ମତଦାନ କେନ୍ଦ୍ର ମାଇକ୍ରୋ ଅବଜରଭର ରହିବ। ସେହିଭଳି ୧୦୫ଟି ମତଦାନ କେନ୍ଦ୍ରକୁ ସଂପୂର୍ଣ୍ଣ ରୂପେ ମହିଳାଙ୍କ ଦ୍ୱାରା ପରିଚାଳନା କରାଯାଉଥିବା ବେଳେ ୪ଟି କେନ୍ଦ୍ରକୁ ଦିବ୍ୟାଙ୍ଗ କର୍ମଚାରୀମାନେ ପରିଚାଳନା କରୁଛନ୍ତି। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ମୋଟ ୭୨,୩୬୩ ଜଣ ପୋଲିଂ କର୍ମଚାରୀ ନିଯୁକ୍ତ ହୋଇଛନ୍ତି।