ଶ୍ରମିକଙ୍କୁ ଘରକୁ ଯିବାକୁ ଦିଆଯାଉ, ନହେଲେ ପୁଣି ଅଭାବନୀୟ ସ୍ଥିତି
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): କାମ ଧନ୍ଦା ପାଇଁ ବିଭିନ୍ନ ରାଜ୍ୟକୁ ଯାଇଥିବା ଶ୍ରମିକମାନେ ଏବେ ଅତ୍ୟନ୍ତ ହତାଶା ପରିସ୍ଥିତିରେ ଗତି କରୁଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ଵାରା ଘୋଷିତ ୨୧ ଦନିନିଆ ଲକ୍ଡାଉନ୍ ସମୟ ଏପ୍ରିଲ୍ ୧୪ ତାରିଖ ପରେ ଆହୁରି ବଢ଼ିବା ଆଶଙ୍କା ଥିବାରୁ ଏବେ ଏହି ସମୟ ତାଙ୍କ ପାଇଁ ଆହୁରି ଦୁର୍ବିସହ ହେବା ଆଶଙ୍କା ରହିଛି। ବିଭିନ୍ନ ଶ୍ରମିକ ଶିବିରରେ ଥିବା ଏହି ହଜାର ହଜାର ସଂଖ୍ୟାରେ ଶ୍ରମିକ ଆସ୍ଥା ହରାଇ ନିଜ ଗାଁକୁ ଫେରିବା ଉଦ୍ୟମ କରିବେ, ଯାହା ପୁଣି ଏକ ଅଭାବନୀୟ ସ୍ଥିତି ସୃଷ୍ଟି କରିବା ଆଶଙ୍କା ରହିଛି। ଏଣୁ ତୁରନ୍ତ ସେମାନଙ୍କ ଆବଶ୍ୟକ ପରୀକ୍ଷଣ କରାଯାଇ ତାଙ୍କୁ ତାଙ୍କ ଘରେ ପହଞ୍ଚାଇବା ବ୍ୟବସ୍ଥା କରିବାକୁ ଅନୁରୋଧ କରିଛ ଜନ ଅଧିକାର ମଞ୍ଚ।
ମୁଖ୍ୟମନ୍ତ୍ରୀଙ୍କୁ ଲେଖି ଥିବା ଏକ ଚିଠିରେ ମଞ୍ଚ ତଥା ୧୬ଟି ଶ୍ରମିକ ସଂଗଠନର ନେତୃବୃନ୍ଦଙ୍କ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟର ୭୦ ହଜାର ଶ୍ରମିକ ଏବେ ବିଭିନ୍ନ ଶିବିରରେ ରହିଛନ୍ତି । ସେମାନଙ୍କ ଅବସ୍ଥା ବବାଦରେ ଗଣମାଧ୍ୟମରେ କ୍ଵଚିତ୍ ଖବର ପ୍ରକାଶ ପାଉଛି। ସେମାନେ ବଡ଼ ହତାଶା ଭିତରେ ରହିଛନ୍ତି ଓ ଆଗକୁ ତାହା ଉତ୍କଟ ହେବାରେ ଲାଗିଛି। ଏଣୁ ସରକାର ଏଥିରେ ଆବଶ୍ୟକ ପଦକ୍ଷେପ ନିଅନ୍ତୁ । ଏଯାଏ ଶ୍ରମିକ ଶିବିରରେ ସଂକ୍ରମଣ ଦେଖା ଦେଇନି। ତଥାପି ସେମାନଙ୍କର ଆବଶ୍ୟକ ପରୀକ୍ଷା କରାଯାଇ ସେମାନଙ୍କୁ ଘରକୁ ଫେରାଇ ଅଣିବାକୁ ମଞ୍ଚର ଆବାହକ ବିଶ୍ଵପ୍ରିୟ କାନୁନଗୋ ନିବେଦନ କରିଛନ୍ତି।
ଯେଉଁ ସଂଗଠନଗୁଡ଼ିକ ଏହି ନିବେଦନ କରିଛନ୍ତି ସେମାନେ ହେଲେ ଅଖିଳ ଭାରତ କିଶାନ ମଜଦୂର ସଭା, ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭା, ଅଖିଳ ଭାରତ କ୍ରାନ୍ତିକାରୀ ମହିଳା ସଂଗଠନ, ଆଦିବାସୀ ଭାରତ ମହାସଭା, ଉପକୂଳୀୟ ଜମି ଓ ଜଙ୍ଗଲ ସୁରକ୍ଷା ସମିତି, ଚାଷୀ ମୁଲିଆସଂଘ, ଜନବାଦୀ ଲେଖକ ସଂଘ, ବନବାସୀ ସୁରକ୍ଷା ପରିଷଦ, ବସ୍ତି ସୁରକ୍ଷା ମଞ୍ଚ, ମାନବବାଦୀ ହେତୁବାଦୀ ସଂଗଠନ, ମାନବ ଅଧିକାର ସୁରକ୍ଷା ମଞ୍ଚ, ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ, ମାଲକାନଗିରି ଜିଲ୍ଲା ଆଦିବାସୀ ସଂଘ, ଇଣ୍ଡିଆନ୍ ଫେଡେରେସନ୍ ଅଫ୍ ଟ୍ରେଡ୍ ୟୁନିୟନ, ଟ୍ରେଡ୍ ୟୁନିନୟନ ସେଣ୍ଟର ଅଫ୍ ଇଣ୍ଡିଆ