କୁମ୍ଭମେଳା କାହିଁକି ?
ଭୁବନେଶ୍ୱର,(ଓଟି): କୁମ୍ଭମେଳା ହେଉଛି, ପୃଥିବୀର ସବୁଠାରୁ ବଡ଼ ଧାର୍ମିକ ମେଳା। ଏହି ମେଳାରେ ନଦୀରେ ବୁଡ଼ ପକାଇବା ପାଇଁ ପୃଥିବୀର ବିଭିନ୍ନ ସ୍ଥାନରୁ ସାଧୁସନ୍ଥମାନଙ୍କ ସହିତ ଲୋକମାନେ ମଧ୍ୟ ଆସିଥାନ୍ତି। ଚଳିତ ବର୍ଷର କୁମ୍ଭମେଳା ଧାର୍ମିକ ନଗରୀ ପ୍ରୟାଗରାଜ ( ପୂର୍ବରୁ ଆହ୍ଲାବାଦ ଭାବେ ପରିଚିତ)ରେ ଆୟୋଜନ କରାଯାଉଛି। ଏହା ଆଗାମୀ ମକର ସଂକ୍ରାନ୍ତି ପରଠାରୁ ୧୫ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୪ତାରିଖ ପର୍ଯ୍ୟନ୍ତ ଚାଲିବ। ଦେଶର ତିନି ନଦୀ ଗଙ୍ଗା-ଯମୁନା-ସରସ୍ୱତୀ (ଲୁପ୍ତ) ଏକାଠି ମିଳନ ହୋଇଥିବା ସ୍ଥାନରେ କୁମ୍ଭ ମେଳା ଅନୁଷ୍ଠିତ ହୋଇ ବୁଡ଼ ପକାଯିବ। ସାଧୁସନ୍ଥମାନେ ମୋକ୍ଷ ପ୍ରାପ୍ତି ପାଇଁ ଓ ଲୋକମାନେ କରିଥିବା ପାପରୁ ପ୍ରାୟଶ୍ଚିତ ପାଇଁ ପ୍ରୟାଗ କୁମ୍ଭରେ ଯୋଗ ଦେବା ପାଇଁ ଯିବେ।
କୁମ୍ଭମେଳା କ’ଣ ଓ କିପରି ଏହାର ଆରମ୍ଭ ହେଲା

ହିନ୍ଦୁଧର୍ମରେ କୁମ୍ଭ ମେଳାକୁ ବହୁତ ଗୁରୁତ୍ୱ ଦିଆଯାଏ। ପୌରାଣିକ ଧର୍ମଗ୍ରନ୍ଥ ଅନୁସାରେ କୁମ୍ଭ ମେଳା ସମୁଦ୍ର ମନ୍ଥନ ସମୟରୁ ଆରମ୍ଭ ହୋଇଛି। ଯେଉଁଥିରେ ଅମୃତ ପାଇଁ ଦେବତା ଓ ଅସୁରମାନଙ୍କ ମଧ୍ୟରେ ସଂଗ୍ରାମ ହୋଇଥିଲା। ମନ୍ଦର ପର୍ବତ ଓ ବାସୁକି ନାଗ ସହାୟତାରେ ଦେବତା ଓ ଅସୁରମାନେ ମିଶି ସମୁଦ୍ର ମନ୍ଥନ କରିଥିଲେ। ଏହି ମନ୍ଥନରୁ ମୋଟ ୧୪ଟି ରତ୍ନ ମିଳିଥିଲା। ୧୩ଟି ରତ୍ନକୁ ଦେବତା ଓ ଅସୁରମାନେ ନିଜ ନିଜ ଭିତରେ ବାଣ୍ଟିନେଇଥିଲେ। କିନ୍ତୁ ଯେତେବେଳେ କଳସରୁ ଅମୃତ ବାହାରିଲା ଏହାକୁ ପାଇବା ପାଇଁ ଦେବତା ଓ ଅସୁରମାନଙ୍କ ମଧ୍ୟରେ ଯୁଦ୍ଧ ସ୍ଥିତି ଉତ୍ପନ ହୋଇଥିଲା। ଅସୁରମାନେ ଅମୃତ ପିଇ ଅମର ହେବାକୁ ଚାହୁଁଥିବାବେଳେ ଦେବତାମାନେ ଅସୁରଙ୍କୁ ବୁନ୍ଦାଏ ଅମୃତ ଦେବାକୁ ରାଜିନଥିଲେ।
ଏଭଳି ସ୍ଥିତରେ ଭଗବାନ ବିଷ୍ଣୁ ମୋହିନୀ ରୂପ ଧାରଣ କରି ଅମୃତ କଳସକୁ ନିଜ ପାଖକୁ ନେଇଗଲେ। ସେ ଏହି ଅମୃତ କଳସକୁ ଇନ୍ଦ୍ର ପୁତ୍ର ଜୟନ୍ତଙ୍କୁ ଦେଇଦେଲେ। ଯେତେବେଳେ ଜୟନ୍ତ ଅମୃତ କଳସ ଧରି ଦୌଡ଼ୁଥିଲେ ସେଥିରୁ ଚାରି ବୁନ୍ଦା ଅମୃତ ପୃଥିବୀ ଉପରେ ପଡ଼ିଲା। ଅମୃତ ପଡ଼ିଥିବା ସ୍ଥାନଗୁଡ଼ିକ ହେଉଛି ହରିଦ୍ୱାର, ପ୍ରୟାଗରାଜ, ନାସିକ ଓ ଉଜ୍ଜୟିନୀ। ଅମୃତ ବିନ୍ଦୁ ପଡ଼ିଥିବା ଏହି ସ୍ଥାନମାନଙ୍କରେ ପ୍ରତି ୧୨ବର୍ଷରେ ଥରେ କୁମ୍ଭ ମେଳା ଆୟୋଜନ ହୋଇଥାଏ।
ପ୍ରତି ୧୨ବର୍ଷରେ ଥରେ କୁମ୍ଭ ମେଳା ଆୟୋଜନ ପଛରେ ପୌରାଣିକ କଥା ମଧ୍ୟ ରହିଛି। ଇନ୍ଦ୍ର ପୁତ୍ର ଜୟନ୍ତ ଅମୃତ କଳସ ଧରି ସ୍ୱର୍ଗରେ ପହଞ୍ଚିବାକୁ ୧୨ଦିନ ସମୟ ଲାଗିଥିଲା। ସ୍ୱଗରେ ଏକ ଦିନ ମର୍ତ୍ତ୍ୟରେ ଏକ ବର୍ଷ ଭାବେ ଧରାଯାଏ। ତେଣୁ ୧୨ବର୍ଷରେ ଥରେ କୁମ୍ଭ ମେଳା ଅନୁଷ୍ଠିତ ହୋଇଥାଏ।
କେତେ ପ୍ରକାରର କୁମ୍ଭ ମେଳା ଓ କେଉଁ କେଉଁ ସ୍ଥାନରେ ଆୟୋଜନ ହୋଇଥାଏ

ହରିଦ୍ୱାର, ପ୍ରୟାଗରାଜ, ନାସିକ ଓ ଉଜ୍ଜୟିନୀରେ କୁମ୍ଭମେଳା ଆୟୋଜିତ ହୋଇଥାଏ। ଏହି ୪ଟି ସ୍ଥାନରେ ପ୍ରତ୍ୟେକ ୧୨ବର୍ଷରେ ଥରେ କୁମ୍ଭମେଳା ଆୟେୟୋଜିତ ହୋଇଥାଏ।
ହରିଦ୍ୱାରରେ ଗଙ୍ଗାନଦୀ କୂଳରେ, ପ୍ରୟାଗରାଜରେ ଗଙ୍ଗା-ଯମୁନା-ସରସ୍ୱତୀ ସଙ୍ଗମସ୍ଥଳରେ, ଉଜ୍ଜୟିନୀରେ ସିପ୍ରା ନଦୀରେ ଓ ନାସିକରେ ଗୋଦାବରୀ ନଦୀରେ କୁମ୍ଭ ମେଳା ଅନୁଷ୍ଠିତ ହୋଇ ଲୋକମାନେ ପବିତ୍ର ବୁଡ଼ ପକାଇଥାନ୍ତି।
କୁମ୍ଭ ମେଳା ଦୁଇ ପ୍ରକାରର ହୋଇଥାଏ। ଅର୍ଦ୍ଧକୁମ୍ଭ, ପୂର୍ଣ୍ଣକୁମ୍ଭ କିମ୍ୱା ମହାକୁମ୍ଭ ହୋଇଥାଏ। ଅର୍ଦ୍ଧକୁମ୍ଭ ପ୍ରତି ୬ବର୍ଷରେ
ଆୟୋଜିତ ହେଉଥିବାବେଳେ ମହାକୁମ୍ଭ ପ୍ରତି୧୨ବର୍ଷରେ ଆୟୋଜିତ ହୋଇଥାଏ। ଅର୍ଦ୍ଧକୁମ୍ଭ କେବଳ ହରିଦ୍ୱାର ଓ ପ୍ରୟାଗରାଜରେ ହୋଇଥାଏ। ନାସିକ ଓ ଉଜ୍ଜୟିନୀରେ ଲାଗୁଥିବା ପୂର୍ଣ୍ଣକୁମ୍ଭକୁ ସିଂହସ୍ଥକୁମ୍ଭ କୁହାଯାାଇଥାଏ।
ଚଳିତବର୍ଷ ପ୍ରୟାଗରେ ହେଉଥିବା କୁମ୍ଭମେଳାକୁ ଅର୍ଦ୍ଧକୁମ୍ଭ ବଦଳରେ କୁମ୍ଭ ନାମ କରିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କହିବା ଅନୁସାରେ ହିନ୍ଦୁଧର୍ମରେ କୌଣସି ଜିନିଷ ଅଧୁରା ହୋଇନଥାଏ। ତେଣୁ ସେ ଅର୍ଦ୍ଧକୁମ୍ଭର ନାମ କୁମ୍ଭ ଓ ପୁର୍ଣ୍ଣକୁମ୍ଭର ନାମ ମହାକୁମ୍ଭ କରିଛନ୍ତି।
କୁମ୍ଭମେଳାର ସମୟ ଓ କେଉଁ ସ୍ଥାନରେ ହେବ ତାହା ରାଶି ଅନୁସାରେ ନିର୍ଦ୍ଧାରଣ କରାଯାଇଥାଏ। ଅମୃତ ମନ୍ଥନ ପରେ ସୂର୍ଯ୍ୟ, ଚନ୍ଦ୍ରମା, ଶନି ଓ ବୃହସ୍ପତି କଳସକୁ ରକ୍ଷା କରିଥିଲେ। ସେହି ସମୟରେ କୁମ୍ଭ, ମେଷ ଓ ସିଂହ ରାଶିରେ ଥିଲେ। ଯେତେବେଳେ ଏହି ଗ୍ରହ ଓ ରାଶିମାନଙ୍କର ଏକତ୍ରିତ ହୁଅନ୍ତି ତାହାକୁ ଆକଳନ କରି କେବେ ଓ କେଉଁଠାରେ କୁମ୍ଭ ମେଳା ହେବ ସ୍ଥିର ହୋଇଥାଏ।
କୁମ୍ଭମେଳାରେ ଆଖଡ଼ାର କ’ଣ ମହତ୍ତ୍ୱ ରହିଛି

ଶାସ୍ତ୍ରବିଦ୍ୟାରେ ନିପୁଣ ସାଧୁମାନଙ୍କର କୁମ୍ଭରେ ବହୁତ ମହତ୍ତ୍ୱ ମିଳିଥାଏ। ହିନ୍ଦୁଧର୍ମକୁ ବଞ୍ଚାଇବା ପାଇଁ ଶଙ୍କରାଚାର୍ଯ୍ୟ ଆଖଡ଼ା ସ୍ଥାପନ କରିଥିଲେ। ଆଖଡ଼ାର ସଦସ୍ୟମାନେ ଶସ୍ତ୍ର ଓ ଶାସ୍ତ୍ରରେ ନିପୁଣ ହୋଇଥାନ୍ତି। ନାଗା ସାଧୁମାନେ ଏହି ଆଖଡ଼ାର ସଦସ୍ୟ ହୋଇଥାନ୍ତି।
ଆଖଡ଼ାକୁ ସାଧୁମାନଙ୍କର ଇଷ୍ଟଦେବଙ୍କୁ ନେଇ ତିନି ଭାଗରେ ବିଭାଜିତ କରାଯାଇଛି। ଏଗୁଡ଼ିକ ହେଲା; ଶୈବ ଆଖଡ଼ା, ବୈଷ୍ଣବ ଆଖଡ଼ା ଓ ଉଦାସୀନ ଆଖଡ଼ା। ଏଥିରେ ମୋଟ ୧୩ଟି ଆଖଡ଼ାକୁ ମାନ୍ୟତା ମିଳିଥାଏ।
ସବୁଠାରୁ ବଡ଼ ହେଉଛି ଜୁନା ଆଖଡ଼ା। ଏହା ପରେ ନିରଞ୍ଜନୀ ଆଖଡ଼ା, ମହାନିର୍ବାଣ ଆଖଡ଼ା, ଅଟଳ ଆଖଡ଼ା, ଆବାହନ ଆଖଡ଼ା, ଆନନ୍ଦ ଆଖଡ଼ା, ପଞ୍ଚାଗ୍ନୀ ଆଖଡ଼ା, ନାଗପନ୍ଥୀ ଗୋରଖନାଥ ଆଖଡ଼ା, ବୈଷ୍ଣବ ଆଖଡ଼ା, ଉଦାସୀନ ପଞ୍ଚାୟତ ବଡ଼ ଆଖଡ଼ା, ଉଦାସୀନ ନୂଆ ଆଖଡ଼ା ନର୍ମଳ ପଞ୍ଚାୟତ ଆଖଡ଼ା ଓ ନିର୍ମାହୀ ଆଖଡ଼ା।
କୁମ୍ଭମେଳା ଆରମ୍ଭରୁ ମାତ୍ର ୪ଟି ଆଖଡ଼ା ଥିଲା। ଏହାପରେ ସିଦ୍ଧାନ୍ତ ଓ ବିଚାରଧାରା ବିଭାଜନ ହେବାରୁ ଆଖଡ଼ା ସଂଖ୍ୟା ୧୩ରେ ପହଞ୍ଚିଯାଇଛି। ଏହିସବୁ ଆଖଡ଼ାର ଜଣେ ପ୍ରମୁଖ ଥିବା ସହିତ ନିଜସ୍ୱ ନିୟମକାନୁନ ରହିଛି।
କୁମ୍ଭମେଳାର ଆଖଡ଼ାଗୁଡିକର ଆଡ଼ମ୍ଭରପୂର୍ଣ୍ଣ ଯାତ୍ରା ଦେଖିବାକୁ ଭିଡ଼ା ଲାଗିଥାଏ। ଏହିସବୁ ଆଖଡ଼ାର ସଦସ୍ୟମାନେ ସାହି ସ୍ନାନ ଦିନ ବୁଡ଼ ପକାଇଥାନ୍ତି। ଏହି ବୁଡ଼ ପକାଇବା ପାଇଁ ବିଭିନ୍ନ ଆଖଡ଼ାର ସଦସ୍ୟମାନେ ଶୋଭାଯାତ୍ରାରେ ନଦୀକୂଳରେ ପହଞ୍ଚିଥାନ୍ତି। ଆଖଡ଼ାର ମହାମଣ୍ଡେଳେଶ୍ୱର ଓ ମହନ୍ତ ରଥରେ ଯାତ୍ରା କରୁଥିବାବେଳେ ସେମାନଙ୍କ ଅନୁଗାମୀ ସାଧୁମାନେ ଓ ନାଗା ସାଧୁମାନେ ଶୋଭାଯାତ୍ରାରେ ଯାଇଥାନ୍ତି।
ସାହି ସ୍ନାନ କ’ଣ ?

ଆଖଡ଼ାମାନଙ୍କ ପାଇଁ କୁମ୍ଭମେଳାରେ ସାହି ସ୍ନାନର ଆୟୋଜନ କରାଯାଇଥାଏ। କୁମ୍ଭମେଳାରେ ବୁଡ଼ ପକାଇବା ପାଇଁ ସାଧାରଣ ଲୋକଙ୍କ ପରିବର୍ତ୍ତେ ଆଖଡ଼ା ସାଧୁମାନଙ୍କୁ ପ୍ରାଥମିକତା ଦିଆଯାଇଥାଏ। ସାହି ସ୍ନାନ ଦିନ ଆଖଡ଼ା ସଦସ୍ୟଙ୍କ ସ୍ନାନ ପାଇଁ ନିର୍ଦ୍ଧିଷ୍ଟ ସମୟ ନିର୍ଘଣ୍ଟ ହୋଇଥାଏ। ଏହାପରେ ଜନସାଧାରଣଙ୍କୁ ସ୍ନାନ କରିବାକୁ ଅନୁମତି ଦିଆଯାଏ।
ପୌରାଣିକ ମତ ଅନୁସାରେ ସନାତନ ଧର୍ମର ସୁରକ୍ଷା ପାଇଁ ଆଖଡ଼ାର ସୃଷ୍ଟି କରାଯାଇଛି। ଏହାପରେ ଏଭଳି ସମୟ ଆସିଲା ସାଧୁମାନଙ୍କର ବ୍ୟବହାର ଆକ୍ରାମକ ହେବାକୁ ଲାଗିଲା। ସେମାନେ ଧର୍ମକୁ ରାଷ୍ଟ୍ର ଉପରେ ବୋଲି ବିବେଚନା କଲେ। ଏହାପରେ ଶାସକ ଓ ସାଧୁମାନଙ୍କ ମଧ୍ୟରେ ଆଲୋଚନା ହୋଇ ସାଧୁମାନଙ୍କ ପାଇଁ କର୍ମ ବଣ୍ଟାଗଲା।
ଆଖଡ଼ାଗୁଡ଼ିକର ସ୍ୱତନ୍ତତା ବଜାୟ ରଖିବା ପାଇଁ କୁମ୍ଭମେଳାରେ ସାହି ସ୍ନାନ ଆରମ୍ଭ କରାଯାଇଛି। ସାହି ସ୍ନାନର ଇତିହାସ ଶାନ୍ତିପୂର୍ଣ୍ଣ ହୋଇନାହିଁ। କାରଣ ସାହି ସ୍ନାନକୁ ନେଇ ବିଭିନ୍ନ ଆଖଡ଼ା ମଧ୍ୟରେ ସବୁବେଳେ ବିବାଦ ହୋଇଥାଏ।
ପ୍ରଚଳିତ କଥା ଅନୁସାରେ ବୈଷ୍ଣବ ଆଖଡ଼ା ଓ ମହାନିର୍ବାହୀ ଆଖଡ଼ା ମଧ୍ୟରେ ଅତୀତରେ ସାହି ସ୍ନାକୁ ନେଇ ରକ୍ତାକ୍ତ ସଂଘର୍ଷ ହୋଇଥିଲା। କେବଳ ଏତିକି ନୁହେଁ ଅତୀତରେ ଏଭଳି ଅନେକ ସଂଘର୍ଷ ହୋଇଛି।
୨୦୧୯କୁମ୍ଭ ମେଳାର ଗୁରୁତ୍ୱପୁର୍ଣ୍ଣ ତାରିଖ

ପ୍ରତ୍ୟେକ କୁମ୍ଭ ମେଳା ସମୟରେ ପଡ଼ୁଥିବା ପର୍ବପର୍ବାଣୀରେ ସ୍ନାନର ଗୁରୁତ୍ୱ ରହିଛି। ପ୍ରୟାଗରାଜ କୁମ୍ଭମେଳାରେ ଗୁରୁତ୍ୱପୂର୍ଣ୍ଣ ତାରିଖଗୁଡ଼ିକ ହେଉଛି:
ସାହିସ୍ନାନ- ୧୫ ଜାନୁଆରୀ, ୪ ଓ ୧୦ ଫେବୃୟାରୀ
ମକର ସଂକ୍ରାନ୍ତି ସ୍ନାନ- ୧୪ ଓ ୧୫ ଜାନୁଆରୀ
ପୌଷ ପୂର୍ଣ୍ଣିମା ସ୍ନାନ- ୨୧ ଜାନୁଆରୀ
ପଟଳିକା ଏକାଦଶୀ ସ୍ନାନ- ୩୧ ଜାନୁଆରୀ
ମୌନୀ ଅମାବାସ୍ୟା ସ୍ନାନ- ୪ଫେବୃୟାରୀ
ବସନ୍ତପଞ୍ଚମୀ ସ୍ନାନ- ୧୦ଫେବୃୟାରୀ
ଜୟା ଏକାଦଶୀ ସ୍ନାନ- ୧୬ ଫେବୃୟାରୀ
ମାଘପୂର୍ଣ୍ଣିମା ସ୍ନାନ- ୧୯ଫେବୃୟାରୀ