ଗୀତା ମାହାତ୍ମ୍ୟ-୩୮: ଅଖଣ୍ଡ ଏକରସ ଆନନ୍ଦର ଆଶ୍ରୟ ଶ୍ରୀ କୃଷ୍ଣ
ସତ୍ୱଗୁଣରୁ ଜ୍ଞାନ, ରଜୋଗୁଣରୁ ଲୋଭ ଓ ତମୋଗୁଣରୁ ପ୍ରମାଦ, ମୋହ ଓ ଅଜ୍ଞାନ ଉତ୍ପନ୍ନ ହୁଏ ବୋଲି ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବୁଝାଇବା ସହ ଏହି ତିନିଗୁଣ ମଧ୍ୟରେ ଥିବା ପାର୍ଥକ୍ୟ ସମ୍ପର୍କରେ ବୁଝାଇବା ପରେ ଯେଉଁ ପୁରୁଷ ତିନିଗୁଣଠାରୁ ଅନ୍ୟ କାହାକୁ କର୍ତ୍ତା ବୋଲି ଦେଖନ୍ତି ନାହିଁ ଏବଂ ତିନିଗୁଣଠାରୁ ସମ୍ପୂର୍ଣ୍ଣ ଅତୀତ ହୋଇ ରହିଥିବା ସଚ୍ଚିଦାନନ୍ଦଘନ ସ୍ୱରୂପ ମୋତେ ଅର୍ଥାତ୍ ପରମାତ୍ମାଙ୍କୁ ଜାଣିପାରନ୍ତି ସେମାନେ ମୋ ସ୍ୱରୂପ ପ୍ରାପ୍ତ ହୁଅନ୍ତି ଓ ସେହି ପୁରୁଷମାନେ ଶରୀର ଉତ୍ପତିର କାରଣ ଏହି ତିନିଗୁଣକୁ ଅତିକ୍ରମ କରିବା ସହ ଜନ୍ମ, ମୃତ୍ୟୁ, ବାର୍ଦ୍ଧକ୍ୟ, ଜରା ଓ ସକଳ ପ୍ରକାର ଦୁଃଖରୁ ମୁକ୍ତ ହୋଇ ପରମାନନ୍ଦ ଲାଭ କରନ୍ତି ।
ଭଗବାନ ଶ୍ରୀକୃଷ୍ଣଙ୍କର ଏପରି କଥା ଶୁଣିବା ପରେ ଏହି ତିନିଗୁଣରୁ ଅତୀତ ପୁରୁଷ କେଉଁ କେଉଁ ଲକ୍ଷଣଯୁକ୍ତ ତାଙ୍କର ଆଚରଣ କିପରି ବୋଲି ଅର୍ଜୁନ ଜାଣିବାକୁ ଚାହିଁବାରୁ ଭଗବାନ କହିଥିଲେ, ‘ହେ ଅର୍ଜୁନ, ସତ୍ୱଗୁଣର କାର୍ଯ୍ୟରୂପ ପ୍ରକାଶ (ଚିତ୍ତ ଓ ଇନ୍ଦ୍ରିୟମାନଙ୍କରୁ ଆଳସ୍ୟ, ଦୂର ହୋଇ ଯେଉଁ ଚେତନା ଜାଗ୍ରତ ହୁଏ ତାହାକୁ ପ୍ରକାଶ କୁହାଯାଏ) ଏବଂ ରଜୋଗୁଣର କାର୍ଯ୍ୟରୂପ ପବୃତ୍ତି ଓ ତମୋଗୁଣର କାର୍ଯ୍ୟରୂପ ମୋହ (ନିଦ୍ରା, ଆଳସ୍ୟ ବୃଦ୍ଧିପାଇ ଅନ୍ତଃକରଣ ଓ ଇନ୍ଦ୍ରିୟମାନଙ୍କରେ ଚେତନା ଶକ୍ତି ଲୟ ହେବାକୁ ମୋହ କହନ୍ତି) ପ୍ରବୃତ ହେଲେ ଦ୍ୱେଷ କରନ୍ତି ନାହିଁ କି ଏସବୁରୁ ନିବୃତ ହେଲେ ବା ଚାଲିଗଲେ ଆକାଙ୍କ୍ଷା କରୁନଥିôବା ପୁରୁଷ ତ୍ରିଗୁଣରୁ ଅତୀତ ବୋଲି ଜାଣିବାକୁ ହେବ । ଅର୍ଥାତ୍ ତ୍ରିଗୁଣାତୀତ ପୁରୁଷଙ୍କ ଚିତରେ ତ୍ରିଗୁଣର କାର୍ଯ୍ୟରୂପ ପ୍ରକାଶ, ପ୍ରବୃତି ଓ ମୋହ ପ୍ରକଟିତ ହେଲେ ବା ନହେଲେ ତାଙ୍କ ଠାରେ କେବେ ବି ରାଗ-ଦ୍ୱେଷ ଇତ୍ୟାଦି ବିକାର ଜାତ ହୁଏ ନାହିଁ ।
ଏହା ତ୍ରିଗୁଣାତୀତ ପୁରୁଷଙ୍କ ଲକ୍ଷଣ ବୋଲି ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବୁଝାଇଛନ୍ତି । ଯେଉଁ ବ୍ୟକ୍ତି ଗୁଣମାନଙ୍କ ଦ୍ୱାରା କବଳିତ ନହୋଇ ଈଶ୍ୱରଙ୍କ ଠାରେ ଏକଭାବେ ଅବସ୍ଥିତ ହୁଅନ୍ତି ସେମାନେ ଗୁଣାତୀତ । ସେହିପରି ଯେଉଁମାନେ ସୁଖ ଓ ଦୁଃଖକୁ ସମାନ ବୁଝନ୍ତି, ଯେ ମାଟି, ପଥର, ସୁନାକୁ ସମାନ ଭାବେ ବୁଝନ୍ତି, ଯେ ଜ୍ଞନୀ, ଯେ ପ୍ରିୟ ଓ ଅପ୍ରିୟକୁ ସମାନ ବୋଲି ବିବେଚନା କରନ୍ତି ଓ ଯେ ନିନ୍ଦା ଓ ସ୍ତୁତିକୁ ସମାନ ଭାବେ ଗ୍ରହଣ କରନ୍ତି ସେମାନଙ୍କୁ ମଧ୍ୟ ଗୁଣାତୀତ ବୋଲି ବୁଝିବାକୁ ହେବ । ସେହିପରି ମାନ, ଅପମାନ, ମିତ୍ର ଓ ଶତ୍ରୁଙ୍କୁ ସମାନ ଭାବେ ଦେଖୁଥିବା ଓ ସମସ୍ତ କର୍ମରେ କର୍ତାପଣ-ଅଭିମାନରୁ ରହିତ ହୋଇଥିବା ପୁରୁଷମାନେ ଗୁଣାତୀତ ବୋଲି ମଧ୍ୟ କୁହାଯାଏ । ଅବ୍ୟଭିଚାରୀ ଭକ୍ତିଯୋଗଦ୍ୱାରା ମୋତେ ନିରନ୍ତର ଭଜନ କରୁଥିବା ପୁରୁଷମାନେ ସତ୍ୱ, ରଜୋ ଓ ତମଗୁଣକୁ ଅତିକ୍ରମ କରି ପରମବ୍ରହ୍ମଙ୍କୁ ପ୍ରାପ୍ତ ହେବା ପାଇଁ ଯୋଗ୍ୟ ବିବେଚିତ ହୁଅନ୍ତି ।’ ଏଥିସହ ଭଗବାନ ଶ୍ରୀକୃଷ୍ଣ ଆହୁରି ମଧ୍ୟ କହିଛନ୍ତି,
ବ୍ରହ୍ମଣୋ ହି ପ୍ରତିଷ୍ଠାହମମୃତସ୍ୟାବ୍ୟୟସ୍ୟ ଚ ।
ଶଶ୍ୱତସ୍ୟ ଚ ଧର୍ମସ୍ୟ ସୁଖସୈକାନ୍ତିକସ୍ୟ ଚ । ।
ଅର୍ଥାତ୍ ସେହି ଅବିନାଶୀ ପରମବ୍ରହ୍ମଙ୍କର ଅମୃତର ତଥା ନିତ୍ୟଧର୍ମର ଓ ଅଖଣ୍ଡ ଏକରସ ଆନନ୍ଦର ମୁଁ ହିଁ ଆଶ୍ରୟ ଅଟେ ବା ଯେଉଁ ଜୀବ ମୋତେ ଆଶ୍ରୟ କରିଥାଏ ସେ ଅଖଣ୍ଡ ଏକରସ ଆନନ୍ଦ ପାଇପରିଥାଏ ।