କରୋନା ମାଡ଼ ସାଙ୍ଗକୁ ଅଦିନିଆ ବର୍ଷା ମାଡ଼: କ୍ଷେତରେ ଗଜା ହେଉଛି ବିରି, ମୁଗ
କେନ୍ଦ୍ରାପଡ଼ା, ( ପ୍ରଦୀପ କୁମାର ଜେନା): କରୋନା ମାଡ଼ରେ ହଜାର ହଜାର ଲୋକ ନିଜ ଜୀବୀକା ହରାଇ ବେକାର ହୋଇ ଘରେ ବସି ରହିଥିବା ବେଳେ ଅଦିନିଆ ବର୍ଷା ମାଡ଼ରେ ଉଜୁଡ଼ି ଯାଇଛି ଶହ ଶହ ହେକ୍ଟର ଜମିରେ ଚାଷ ହୋଇଥିବା ବିରି ଓ ମୁଗ ଫସଲ । ବିରି, ମୁଗ ଫସଲର ଠିକ ଅମଳ ସମୟରେ ହଠାତ ୩ ଦିନ ଧରି କାଳ ବୈଷାଖୀ ବର୍ଷା ସାଙ୍ଗକୁ କୁଆ ପଥର ମାଡ଼ ହେବାରୁ କ୍ଷେତରେ ଅମଳ ଅପେକ୍ଷାରେ ଥିବା ବିରି, ମୁଗ ପଚି ଗଜା ହୋଇ ଯାଇଛି ।
ବିରି ଓ ମୁଗ ଅର୍ଥକାରୀ ଫସଲ ହୋଇଥିବାରୁ ଜିଲ୍ଲାର ହଜାର ହଜାର ଚାଷୀ ଶହ ଶହ ହେକ୍ଟର ଚାଷ ଜମିରେ ବିରି, ମୁଗ ଚାଷ କରିଥିଲେ । ଏହି ଫସଲ ପାଇଁ ଚଳିତ ବର୍ଷ ପାଣିପାଗ ଅନୁକୁଳ ଥିବାରୁ ଫସଲ ମଧ୍ୟ ବେଶ ଭଲ ହୋଇଥିଲା । ଚାଷୀମାନେ ମଧ୍ୟ ଅମଳ ଆରମ୍ଭ କରିଦେଇଥିଲେ । କ୍ଷେତରୁ ବିରି, ମୁଗ ଉପାଡ଼ି କିଏ ଖଳାରେ ଅମଳ ପାଇଁ ରଖିଥିଲା ତ କିଏ କ୍ଷେତରେ ରଖିଥିଲା ଖଳାକୁ ଆଣିବା ପାଇଁ । ସେହିପରି ହେକ୍ଟର ହେକ୍ଟର କ୍ଷେତରେ ମଧ୍ୟ ଶୁଖିଲା ବିରି, ମୁଗ ଗଛ ରହିଥିଲା । ଏତିକି ବେଳେ ୩ ଦିନ ଧରି ଅଦିନିଆ ବର୍ଷା ହେବାରୁ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ଚାଷୀମାନେ ଅମଳ ପାଇଁ ଖଳାରେ ଗଦା କରି ରଖିଥିବା ବିରି, ମୁଗ ଗଛ ବଷା ପାଣିରେ ପଚିବା ଆରମ୍ଭ କରିଥିବା ବେଳେ କ୍ଷେତରେ ଉପାଡ଼ି ପକାଇଥିବା ବିରି, ମୁଗରେ ଗଜା ହୋଇଗଲାଣି । ସେହିପରି ଉପଡ଼ା ଯାଇନଥିବା ବିରି, ମୁଗ ଗଛର ମଧ୍ୟ ସେହି ପରି ଅବସ୍ଥା । ଏହି ପରିସ୍ଥିତିରେ ଜିଲ୍ଲାର ହଜାର ହଜାର ଚାଷୀ ଅର୍ଥୀକ କ୍ଷତିରେ ପଡ଼ିଛନ୍ତି । ଉଜୁଡ଼ି ଯାଇଥିବା ବିରି, ମୁଗ ଫସଲର ଆକଳନ କରାଯାଇ ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବାକୁ ଚାଷୀମାନେ ଦାବି କରିଛନ୍ତି ।