କୋରାପୁଟ ଆକ୍ରାନ୍ତଙ୍କ ଲିଙ୍କରେ ୨୪ ଜଣ

ଭୁବନେଶ୍ଵର(ଓଡ଼ିଶା ଟାଇମ୍‌): ଗ୍ରୀନ୍‌ ଜୋନ୍‌ରେ ଥିବା ରାଜ୍ୟର କୋରାପୁଟରେ ପ୍ରଥମ କରୋନା ପଜିଟିଭ୍‌ ଆସିବା ପରେ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ି ଯାଇଛି। ଏନେଇ ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯିବା ସହ ସମ୍ପୂର୍ଣ୍ଣ ସଜାଗ ହୋଇଯାଇଛି କୋରାପୁଟ ପ୍ରଶାସନ। ଏଭଳି ସ୍ଥିତିରେ ଜିଲ୍ଲାର ପ୍ରଥମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୨୪ ଜଣ ଆସିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଆକ୍ରାନ୍ତଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ ଯେ ପୂର୍ବରୁ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ୨ ଜଣ ଯୁବକଙ୍କୁ ସଙ୍ଗରୋଧରେ ରଖାଯାଇଥିଲା। ସେହିପରି ପରିବାର ଲୋକଙ୍କ ସହ ସମ୍ପୃକ୍ତ ଗାଁକୁ ଅବରୋଧ ଭିତରେ ରଖାଯାଇଛି। ପ୍ରଶାସନ ତରଫରୁ ଯୁବକଙ୍କ ଗାଁ ପୋଡ଼ାଗଡ଼ର ୩ କିମି ପରିଧିକୁ ୪୮ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ୍ ଓ ୭ କିମି ପରିଧିକୁ ବଫର ଜୋନ୍ ଭାବେ ଘୋଷଣା କରାଯାଇଛି। ଗାଁ ଚାରିପଟୁ ପ୍ରବେଶ ପଥକୁ ସିଲ୍ କରାଯିବା ସହ ପୁଲିସ୍‌ ମୁତୟନ କରାଯାଇଛି। ଏଥିସହ ପଞ୍ଚାୟତର ସମସ୍ତଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଯିବ ବୋଲି କୁହାଯାଇଛି। ପଞ୍ଚାୟତ ଅନ୍ତର୍ଗତ ୨୪ ଟି ଗାଁର ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ଏଏନ୍ଏମ୍‌ଙ୍କୁ ନେଇ ବୈଠକ କରାଯାଇଥିବା ବେଳେ ସମସ୍ତେ ଘରକୁ ଘର ବୁଲି ସ୍ଵାସ୍ଥ୍ୟ ପରୀକ୍ଷା କରିବେ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି।

Leave a Reply

Your email address will not be published. Required fields are marked *