ଆହୁରି ଚିତ୍ତାକର୍ଷକ ହେବ କୋଣାର୍କ
ଭୁବନେଶ୍ଵର(ଓଟି): ସରିଛି ବ୍ଲୁପ୍ରିଣ୍ଟ୍। ସରକାର ହୋଇସାରିଲେଣି ସଜବାଜ। ଏଥର ଆହୁରି ଆକର୍ଷଣୀୟ ଲାଗିବ ବିଶ୍ଵ ପ୍ରସିଦ୍ଧ କୋଣାର୍କ। ଚକ୍ମକ୍ ହେବ ଚଉପାସ। ଅଞ୍ଚଳର ସାମଗ୍ରିକ ବିକାଶ ଲାଗି କରାଯାଉଛି ଉଦ୍ୟମ। ଏନେଇ ମାସକ ତଳେ ହଠାତ୍ କୋଣାର୍କ ଗସ୍ତ କରିଥିଲେ ୫-ଟି ସଚିବ ଭିକେ ପାଣ୍ଡିଆନ। ସୂର୍ଯ୍ୟମନ୍ଦିର ସମେତ ଚନ୍ଦ୍ରଭାଗା ଓ ମେଳାପଡ଼ିଆ ଆଦି ବିଭିନ୍ନ ସ୍ଥାନ ପରିଦର୍ଶନ କରି ସାମଗ୍ରିକ ସୌନ୍ଦର୍ଯ୍ୟକରଣ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ସେହି ଅନୁସାରେ ଖୁବ୍ଶୀଘ୍ର କୋଣାର୍କ ଆହୁରି ସୁନ୍ଦର ହେବ ବୋଲି ଜଣାପଡ଼ିଛି।
କୋଣାର୍କ ପ୍ରତି ସାରା ବିଶ୍ଵର ପର୍ଯ୍ୟଟକଙ୍କ ରହିଛି ସ୍ଵତନ୍ତ୍ର ଆକର୍ଷଣ। ତେବେ ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ପାଇଁ ସୌନ୍ଦର୍ଯ୍ୟକରଣ ବୃଦ୍ଧି କରାଯିବ। ଯୋଜନା ଅନୁସାରେ ଶ୍ରୀକ୍ଷେତ୍ର ଶ୍ରୀମନ୍ଦିର ଚାରିପଟକୁ ମୁକ୍ତାଞ୍ଚଳ କରାଯିବା ଭଳି ସୂର୍ଯ୍ୟମନ୍ଦିର ଚତୁର୍ପାର୍ଶ୍ୱ ଜବରଦଖଲ ହଟାଯିବ। ସେହିପରି ରିଂ-ରୋଡ୍ ଚନ୍ଦ୍ରଭାଗା ବଜାରରୁ ବାହାରି ଥାନାଛକ ନିକଟରେ ମିଶିବ। ରୋଡ୍ ଦୁଇପାଖରେ ରହିବ ଭେଣ୍ଡିଂ ଜୋନ୍। ପଥଚାରୀଙ୍କ ପାଇଁ ଅଲଗା ରାସ୍ତା କରାଯିବା ସହ ଆଲୋକୀକରଣକୁ ଦିଆଯିବ ଗୁରୁତ୍ଵ। ବିଶେଷକରି ସୂର୍ଯ୍ୟମନ୍ଦିର ଦକ୍ଷିଣ ଓ ପଶ୍ଚିମ ପାର୍ଶ୍ୱରେ ଥିବା ଜଙ୍ଗଲ ଜମିରେ ପଞ୍ଚତାରକା ହୋଟେଲ ଓ ସ୍ୱତନ୍ତ୍ର ରାସ୍ତା ନିର୍ମାଣ ହେବ ବୋଲି ଜଣାପଡ଼ିଛି।
ସ୍ମରଣଯୋଗ୍ୟଯେ ୫-ଟି ସଚିବଙ୍କ ଗସ୍ତକାଳରେ ପୂର୍ତ୍ତ ବିଭାଗ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ସମେତ ତହସିଲଦାର, ପୂର୍ତ୍ତ ଯନ୍ତ୍ରୀ ଓ ଅନ୍ୟ ପ୍ରମୁଖ ଅଧିକାରୀବୃନ୍ଦ ସାମିଲ୍ ହୋଇଥିଲେ।











