୩ ସେକେଣ୍ଡରେ ବିରାଟ ସୌଧ ଧ୍ୱଂସ

କୋଚି: ମାତ୍ର ୩ ସେକେଣ୍ଡ୍। ସେତିକି ଭିତରେ ସବୁ ଶେଷ। ବିରାଟ ଅଟ୍ଟାଳିକା ତାସ୍ ପତା ଭଳି ଝଡିପଡିଲା। ମାଟିରେ ମିଶିଗଲା ବେଆଇନ ଘୋଷିତ ବହୁତଳ ପ୍ରାସାଦ। ଫିଲ୍ମ କାହାଣୀ ଭଳି ମନେ ହେଉଥିବା ଏଭଳି ଘଟଣା ବାସ୍ତବରେ କେରଳରେ ଘଟିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଏଭଳି ବେଆଇନ ସୌଧକୁ ଉଚ୍ଛେଦ କରିଛନ୍ତି। ଏଥିପାଇଁ ଦକ୍ଷିଣ ଆଫ୍ରିକାର ଏକ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା ଏବଂ ବିସ୍ଫୋରଣ ଘଟାଇ ଆଖିପିଛୁଳାରେ ବିଲ୍ଡିଂକୁ ମାଟିରେ ମିଶାଇ ଦିଆଯାଇଛି।
ସୂଚନା ଅନୁସାରେ କୋଚି ଅନ୍ତର୍ଗତ ମରାଦୁ ନଗର ନିଗମ ଅଞ୍ଚଳରେ ଥିବା ୫୫ ମିଟର ଉଚ୍ଚ ବିଶିଷ୍ଟ ଜୈନ୍ କୋରଲ୍ କୋୱକୁ ରବିବାର ପୂର୍ବାହ୍ଣ ୧୧ଟା ୩ରେ ବିସ୍ଫୋଟକ ଦ୍ୱାରା ଧ୍ୱଂସ କରାଯାଇଥିଲା। ଦେଖୁ ଦେଖୁ ସମଗ୍ର ଅଞ୍ଚଳ ଧୂଳି ଆଉ ଧୂଆଁର ଆସ୍ତରଣରେ ତଥା କୃତ୍ରିମ ଘନ କୁହୁଡି ଆଚ୍ଛାଦିତ ହୋଇଯାଇଥିଲା। ଏହା ପୂର୍ବରୁ ଘଟଣାସ୍ଥଳର ୨ଶହ ମିଟର ଅଞ୍ଚଳ ପରିଧିରେ ପୂର୍ବାହ୍ଣ ୯ଟା ବେଳକୁ ଲୋକଙ୍କୁ ବାହାର କରିଦିଆଯାଇଥିଲା। ସମସ୍ତ ପ୍ରକାର ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିଅାଯାଇଥିବା ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି। ସେହିପରି ସମ ଉଚ୍ଚ ବିଶିଷ୍ଟ ଆଉଏକ ବେଆଇନ କୋଠା ମଧ୍ୟ ରବିବାର ଉଚ୍ଛେଦ କରାଯିବା ପରେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ସମ୍ପୂର୍ଣ୍ଣ ପାଳନ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ ଏହା ପୂର୍ବରୁ ଶନିବାର ୨ ଟି ଅନ୍ୟ ବେଆଇନ ସୌଧକୁ ସମାନ ଢଙ୍ଗରେ ଉଚ୍ଛେଦ କରାଯାଇଥିଲା।
ତେବେ ଶନିବାର ଦୁଇ ସୌଧ ଧ୍ୱଂସ ପରେ ୭୦ ହଜାର ଟନ୍ ଆବର୍ଜନା ଅବଶେଷ ଗଦା ହୋଇଥିବା ବେଳେ ସେଗୁଡିକ ହଟାଇବା ଲାଗି ୨୦ ଟ୍ରକକୁ ୬୦ ଦିନ ଲାଗିବ ବୋଲି କୁହାଯାଉଛି। ସେହିପରି ରବିବାର ୨ଟି ଉଚ୍ଛେଦସ୍ଥଳରୁ ବ୍ୟାପକ ଭଗ୍ନାବଶେଷ କୁଢକୁଢ ଗଦା ହୋଇଛି ଏବଂ ସେସବୁ ସଫା କରିବାକୁ ଢେର୍ ଦିନ ଲାଗିଯିବ।
ସେ ଯାହାହେଉ; କୋଷ୍ଟାଲ୍ ରେଗୁଲେସନ୍ ଜୋନ୍ (ସିଆରଜେଡ୍) ବା ଉପକୂଳବର୍ତ୍ତୀ ଅଞ୍ଚଳୀୟ ନିୟମ ଉଲ୍ଲଂଘନ କରି ବେଆଇନ ଭାବେ ସମ୍ପୃକ୍ତ ୪ ସୌଧ ନିର୍ମାଣ ହୋଇଥିଲା। ସେସବୁ ଉଚ୍ଛେଦ ଲାଗି ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ପାଳନ କରିଥିଲେ କେରଳ ସରକାର ଓ କୋଚି ପ୍ରସାଶନ।

[] ଏସପି

Leave a Reply

Your email address will not be published. Required fields are marked *