ନବଙ୍କୁ ସ୍ୱାଗତ କରିବେ କିଶୋର
ଆଗାମୀ ୨୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ କଂଗ୍ରେସ ନେତା ନବ ଦାସ ବିଜେଡ଼ିରେ ଯୋଗଦେବେ। ବିଜେଡ଼ିରେ ନବଙ୍କ ଏହି ଯୋଗଦାନକୁ ସ୍ଥାନୀୟ ବିଜେଡ଼ି ନେତା ତଥା ପୂର୍ବତନ ବିଧାୟକ କିଶୋର ମହାନ୍ତି ବିରୋଧ ନ କରି ସ୍ୱାଗତ କରିବେ ବୋଲି ରାଜି ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ଅନୁସାରେ କାମ କରିବି ବୋଲି କିଶୋର ମହାନ୍ତି ଗୁରୁବାର ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି।
ଝାରସୁଗୁଡାରେ ଦଳର ନେତା କିଶୋର ମହାନ୍ତି ହେଉଛନ୍ତି ନବଙ୍କର ଘୋର ବିରୋଧୀ । ଦୁଇ ପ୍ରତିଦ୍ୱନ୍ଦୀଙ୍କ ତିକ୍ତତା ଜିଲ୍ଲାରେ କାହାକୁ ଅଛପା ନାହିଁ । ଏଣୁ ଆସନ୍ତା ୨୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଝାରସୁଗୁଡ଼ା ଗସ୍ତକାଳରେ ନବ ଦାସ ବିଜେଡ଼ିରେ ସାମିଲ ହେବେ। ସେତେବେଳେ କିଶୋର ସମର୍ଥକଙ୍କ ତରଫରୁ ବିଶୃଙ୍ଖଳା ହେବାର ସୂଚନା ପାଇବା ପରେ ଦଳର କ୍ରାଇସିସ ମ୍ୟାନେଜର ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ସଞ୍ଜୟ ଦାସବର୍ମା ଆଜି ଝାରସୁଗୁଡ଼ା ଗସ୍ତରେ ଯାଇଥିଲେ।
ତେବେ ଆଜି ହୋଇଥିବା ବୈଠକ ସମ୍ପର୍କରେ ନିଜେ କିଶୋର ସ୍ପଷ୍ଟ କରିବା ସହ ନବ ବିଜେଡିରେ ମିଶିବା ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଘରକୁ ଅତିଥି ଆସିଲେ ତଡ଼ି ଦିଆଯାଇ ନଥାଏ। ସେ ଆମ ଦଳକୁ ଆସୁଛନ୍ତି, ଆମେ ତାଙ୍କୁ ସ୍ୱାଗତ କରୁଛୁ। ଆମେ ସମସ୍ତେ ବିଜେଡିର ଶୃଙ୍ଖଳିତ କର୍ମୀ। ଆଜି ଯେଉଁ ବୈଠକ ବସିଥିଲା ଏଥିରେ ନିଷ୍ପତ୍ତି ନିଆଯାଇଛି, ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେଇଛନ୍ତି ଆମେ ମାନୁଛୁ। ଝାରସୁଗୁଡା ଜିଲ୍ଲା ସଭାପତି ଯାହା ନିଷ୍ପତ୍ତି ନେବେ ଆମେ ମାନିବୁ। ଆଜି ସମୁ କର୍ମକର୍ତ୍ତା ନିଜ ମତ ରଖିଛନ୍ତି। ସେମାନଙ୍କ କଥାକୁ ଆମର ଦୁଇ ପର୍ଯ୍ୟବେକ୍ଷକ ଶୁଣିଲେ। ମୁଖ୍ୟମନ୍ତ୍ରୀ ଯାହା କହିବେ ମୁଁ ମାନିବି।