କିଶୋର ତରାଇ ଏବେ ବିଜେପି ମୁହାଁ!

କେନ୍ଦ୍ରାପଡ଼ା, (ପ୍ରଦୀପ କୁମାର ଜେନା): ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି କେନ୍ଦ୍ରାପଡ଼ା ବିଜେଡି ରାଜନୀତି ସେତିକି ସରଗରମ ହେବାରେ ଲାଗିଛି । ଆଗାମୀ ନିର୍ବାଚନରେ କେନ୍ଦ୍ରାପଡ଼ା ବିଧାନସଭା କ୍ଷେତ୍ରରୁ କିଏ ବିଜେଡି ପ୍ରାର୍ଥୀ ହେବ ସେ ନେଇ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ରାଜନୀତିକ ମହଲରେ ଆଲୋଚନା ଜୋର ଧରୁଛି । କେନ୍ଦ୍ରାପଡ଼ା ବିଧାୟକ କିଶୋର ତରାଇଙ୍କୁ ଏଥର ନିର୍ବାଚନରେ ବିଜେଡି ପକ୍ଷରୁ ଟିକେଟ ଦିଆଯାଉନଥିବା ନେଇ କିଶୋରଙ୍କ ବିରୋଧୀମାନେ ପ୍ରଚାର କରୁଥିବା ବେଳେ କିଶୋରଙ୍କୁ ବିଜେଡି ଟିକେଟ ମିଳୁନଥିବା ନେଇ ସାଧାରଣରେ ଧାରଣା ସୃଷ୍ଟି ହୋଇଛି । ଏଥିସହ କିଶୋର ଏବେ ବିଜେପି ମୁହାଁ ହୋଇଥିବା ମଧ୍ୟ ଆଲୋଚନା ହେଉଛି ।

ଆଗାମୀ ସାଧାରଣ ନିର୍ବାଚନରେ କିଶୋରଙ୍କୁ ପ୍ରତିଦ୍ୱନ୍ଦିତା ପାଇଁ ସୁଯୋଗ ନମିଳିବାର ଆଶଙ୍କା କରି କିଶୋର ବିଜେପି ସହ ଯୋଗାଯୋଗରେ ଥିବା ମଧ୍ୟ କୁହାଯାଉଛି । ଯଦି କିଶୋରଙ୍କୁ ବିଜେଡି ଟିକେଟ ନମିଳେ ତାହେଲେ ସେ ବିଜେପିରେ ଯୋଗଦେଇ ବିଜେପି ଟିକେଟରେ କେନ୍ଦ୍ରାପଡ଼ା ବିଧାନସଭା କ୍ଷେତ୍ରରେ ପ୍ରତିଦ୍ୱନ୍ଦିତା କରିବାକୁ ନିଷ୍ପତି କରିଥିବା ତାଙ୍କ ସହଯୋଗୀମାନେ କହୁଛନ୍ତି । ସଂରକ୍ଷିତ କେନ୍ଦ୍ରାପଡ଼ା ବିଧାନସଭା କ୍ଷେତ୍ରରେ ବିଜେପିର ସଂଗଠନ ଦୁର୍ବଳ ଥିବାରୁ ଓ ବିଜେପିର କୌଣସି ଦକ୍ଷ ସଂଗଠକ ଏଠାରେ ନଥିବାରୁ ବିଜେପି କେନ୍ଦ୍ରାପଡ଼ାରେ ନିଜର ସ୍ଥିତି ଜାହିର ପାଇଁ କିଶୋରଙ୍କୁ ଦଳ ଗ୍ରହଣ କରିି ଟିକେଟ ଦେଇ କେନ୍ଦ୍ରାପଡ଼ାରେ ପ୍ରତିଦ୍ୱନ୍ଦିତା କରିବାକୁ ସୁଯୋଗ ଦେବାକୁ ଆଗ୍ରହୀ ଥିବା ରାଜନୈତିକ ବ୍ୟକ୍ତିମାନେ ମତଦେଉଛନ୍ତି ।

ଅନ୍ୟପକ୍ଷରେ କିଶୋର ବିଧାୟକ ଥିବା ସମୟରେ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀରେ ଦୁର୍ନୀତି ବୃଦ୍ଧିପାଇଥିବା ଓ ପିସି କାରବାର ସୀମା ଟପିଥିବା ତାଙ୍କ ବିରୋଧୀମାନେ ଅଭିଯୋଗ କରୁଛନ୍ତି । ଏପରିକି କିଶୋର ପିସି ନେଇ ବିଧାୟକ ଲ୍ୟାଡ଼ ପାଣ୍ଠି ସହ ଠିକାଦାରୀ ବାଂଟିଥିବା ଭଳି ଗୁରୁତର ଅଭିଯୋଗ ତାଙ୍କ ବିରୋଧୀମାନେ କହୁଛନ୍ତି । ସେହିପରି କିଶୋର ବିଧାୟକ ଥିବା ସମୟରେ କେନ୍ଦ୍ରାପଡ଼ାରେ ରାସନକାର୍ଡ଼ ବଣ୍ଟନରେ ବ୍ୟାପକ ଅନୀୟମିତତା ହୋଇଥିବା ଅଭିଯୋଗ ହେଉଛି । କିଶୋରଙ୍କ ବିରୋଧୀମାନେ ଏହି ଅଭିଯୋଗଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚାଇ ତାଙ୍କ ଟିକେଟ କାଟିବାକୁ ଜୋରଦାର ଉଦ୍ୟମ କରୁଥିବା ବେଳେ କିଶୋରଙ୍କ ରାଜନୈତିକ ଗଡ୍‍ ଫାଦର ପ୍ରତାପ ଦେବ ଏବେ କିଶୋରଙ୍କ ହାତ ଛାଡ଼ିଦେଇଥିବା କୁୁହାଯାଉଛି । ଏହି ପରିପେକ୍ଷିରେ ବିଧାୟକ କିଶୋର ତରାଇ ବିଜେଡି ଟିକେଟ ନପାଇଲେ ସେ ବିଜେପିରେ ମିଶିବା କଥାକୁ ଏଡ଼ାଇ ଦିଆଯାଇପାରିବନାହିଁ ।

କେନ୍ଦ୍ରପଡ଼ା ସଂରକ୍ଷିତ ବିଧାନସଭା କ୍ଷେତ୍ରରେ କଂଗ୍ରେସ ପକ୍ଷରୁ ପୂର୍ବତନ ମନ୍ତ୍ରୀ ଗଣେଷ ବେହେରା ପ୍ରାର୍ଥୀ ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଥିବା ବେଳେ ଗଣେଷଙ୍କ ସହ ବିଜେଡି ପକ୍ଷରୁ ସିପ୍ରା ମଲ୍ଲିକ ନା ନିରାକାର ଦାସ ପ୍ରତିଦ୍ୱନ୍ଦିତା କରିବେ ସେ ନେଇ ବିଜେଡିରେ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତି ହୋଇପାରିନାହିଁ । ଗଣେଷଙ୍କ ସହ ସିପ୍ରା ଓ ନିରାକାରଙ୍କ ମଧ୍ୟରୁ ଜଣେ ବିଜେଡି ପକ୍ଷରୁ ପ୍ରତିଦ୍ୱନ୍ଦିତା କରିବ ବୋଲି ଏବେ ଆଲୋଚନ ହେଉଥିବା ବେଳେ ବିଜେପି ପକ୍ଷରୁ ଗୀତା ସେଠୀ, ସୁନାକର ବେହେରାଙ୍କ ମଧ୍ୟରୁ କିଏ ପ୍ରତିଦ୍ୱନ୍ଦିତା କରିବେ ନା ବିଜେଡିରୁ କିଶୋରଙ୍କୁ ଆମଦାନୀ କରି ଗଣେଷଙ୍କ ସହ ବିଜେପି ଲଢାଇ ନିଜ ସ୍ଥିତି ରକ୍ଷା କରିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ

ଗୁଣୁପୁର ବିଧାୟକଙ୍କ ବିଜେଡିରୁ ଇସ୍ତଫା

ଗାଜିଆବାଦରୁ ଏସପି ପ୍ରାର୍ଥୀ ହେବେ ସଞ୍ଜୟ ଦତ୍ତ

ତାରା ଦେବୀଙ୍କ ଶରଣରେ ବିଧାୟକ!

Leave a Reply

Your email address will not be published. Required fields are marked *