କିମ୍-ହର୍ଷବର୍ଦ୍ଧନଙ୍କ ବ୍ରେକଅପ୍
ବିଗତ କିଛିମାସ ହେଲା ଲଭବାର୍ଡ଼ କିମ୍ ଶର୍ମା ଓ ହର୍ଷବର୍ଦ୍ଧନ ରାଣେଙ୍କ ଅନେକ ରୋମାଣ୍ଟିକ୍ ଫଟୋ ସୋସିଆଲ୍ ମିଡିଆରେ ସେୟାର୍ ହୋଇ ଆସୁଥିବାବେଳେ ହଠାତ୍ ଏହି ତାରକାଦ୍ୱୟଙ୍କ ବ୍ରେକଅପ୍ ଖବର ଏବେ ପ୍ରଶଂସକ ମହଲରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମିଡିଆ ରିପୋର୍ଟ ଅନୁଯାୟୀ କିଛିଦିନ ହେବ ଏହି ତାରକାଙ୍କ ମଧ୍ୟରେ କୌଣସି ଏକ କାରଣକୁ ନେଇ ଝଗଡ଼ା ହୋଇଥିଲା । ଏବେ ତାହାର ପରିଣାମ ସ୍ୱରୂପ କିମ୍ ଓ ହର୍ଷ ଅଲଗା ହୋଇଯାଇଛନ୍ତି । ଏ ସମ୍ପର୍କରେ ଉଭୟଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନଥିଲେ ମଧ୍ୟ ହର୍ଷଙ୍କ ପିଆର୍ ଏହି ସୂଚନା ଦେଇଛନ୍ତି ।
୨୦୧୭ରେ କିମ୍ ଓ ହର୍ଷଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା ଏବଂ ଅନେକ ଥର ଏହି ଯୋଡ଼ିଙ୍କୁ ଲଂଚ କିମ୍ବା ଡିନର୍ ଡେଟିଂରେ ଦେଖିବାକୁ ମିଳିଥିଲା । ସପିଙ୍ଗ୍ ମଲ୍ ଓ ବିଭିନ୍ନ ଇଭେଣ୍ଟରେ ଏହି ଯୋଡ଼ି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କିମଙ୍କ ସହ ପ୍ରେମ ସମ୍ପର୍କ ଅଛି ବୋଲି ହର୍ଷ ଏକ ମିଡିଆ ସାକ୍ଷାତକାରରେ ସ୍ୱୀକାର କରିଥିଲେ । ୨୦୧୭ରେ ହିଁ କିମ୍ ବିଜନେସମ୍ୟାନ୍ ଅଲ୍ଲି ପୁଞ୍ଜାନୀଙ୍କୁ ଡିଭୋର୍ସ ଦେଇଥିଲେ । କ୍ରିକେଟ୍ ତାରକା ଯୁବରାଜ ସିଂଙ୍କ ସହିତ ମଧ୍ୟ କିମଙ୍କ ନାଁ ଯୋଡ଼ାଯାଇଥିଲା ।