ସଂଗ୍ରାମ ଓ ସଙ୍ଗୀତର ସଙ୍ଗମ ଖୟାମ୍ ଆଉ ନାହାନ୍ତି

ଯୁଦ୍ଧ ଓ ସଙ୍ଗୀତ, ଏ ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ ମାନସିକତା । କିନ୍ତୁ ଏହି ଦୁଇଟିର ସଙ୍ଗମସ୍ଥଳ ପାଲଟିଥିବା ବଲିଉଡର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଖୟାମ୍ ଆଉ ନାହାନ୍ତି । ସଙ୍ଗୀତ ଜଗତର ଖୟାମଙ୍କ ମନ ଥିଲା ସଙ୍ଗୀତ ପରି କୋମଳ, ନିର୍ମଳ ଓ ଚଞ୍ଚଳ । କିନ୍ତୁ ମାନସିକତା ଥିଲା କଠୋର, ଦୁର୍ଦ୍ଦର୍ଷ ଓ ସଂଯମୀ । ଖୁବ୍୍ କମ୍ ଲୋକ ଜାଣିଛନ୍ତି ଯେ ସଙ୍ଗୀତର ଫଲଗୁରେ ସମସ୍ତଙ୍କୁ ମତୁଆଲା କରିପାରୁଥିବା ଖୟାମ୍ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜଣେ ସିପାହୀ ଭାବେ ଯୁଦ୍ଧଭୂମିରେ ଅବତୀର୍ଣ୍ଣ ହୋଇଥିଲେ । ଖୟାମଙ୍କ ବିୟୋଗରେ ସମ୍ପୂର୍ଣ୍ଣ ସଙ୍ଗୀତ ଜଗତ ନିରବୀ ଯାଇଥିଲାବେଳେ ଲାଗୁଛି ସତେ ଯେମିତି ଖୟାମ୍ ଧୀର ସ୍ୱରରେ ଗୁଣୁଗୁଣାଉଛନ୍ତି – ‘ମେ ପଲ୍ ଦୋ ପଲ୍ କା ସାୟର୍ ହୁଁ, ପଲ୍ ଦୋ ପଲ୍ ମେରି କାହାନୀ ହେ…’ । କାଳଜୟୀ ଯୋଦ୍ଧା ଓ ସଙ୍ଗୀତ ଜଗତର ଅନନ୍ୟ ସମ୍ରାଟ୍ ଖୟାମ୍ ଗତକାଲି ରାତି ୯.୩୦ ମିନିଟରେ ଆରପାରିକୁ ଚାଲିଯାଇଛନ୍ତି । ସେ ବିଗତ୧୦ ଦିନ ଧରି ମୁମ୍ବାଇର ଏକ ହସ୍ପିଟାଲରେ ଥିଲେ । ଖୟାମଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ସ୍ୱରସାମ୍ରାଜ୍ଞୀ ଲତା ମଙ୍ଗେସକର୍ ଓ କଳା ଜଗତର ଅନେକ ତାରକା ଶୋକବ୍ୟକ୍ତ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଖୟାମଙ୍କ ପୁରା ନାଁ ଥିଲା ମହମ୍ମଦ ଜହୁର ଖୟାମ୍ ହାସମି । ୧୯୪୭ ମସିହାରେ ସେ ସଙ୍ଗୀତ କ୍ୟାରିୟର୍ ଆରମ୍ଭ କରିଥିଲେ । ‘କଭି କଭି’ ଓ ‘ଉମରାଓ ଜାନ୍’ ଫିଲ୍ମ ମାଧ୍ୟମରେ ଲୋକପ୍ରିୟତା ହାସଲ କରିଥିଲେ ଖୟାମଙ୍କୁ ଏହି ଦୁଇଟି ଫିଲ୍ମ ପାଇଁ ବେଷ୍ଟ୍ ମ୍ୟୁଜିକ୍ ଡାରେକ୍ଟର୍ ଭାବେ ଫିଲ୍ମଫେୟାର୍ ସମ୍ମାନରେ ସମ୍ମାନିତ କରାଯାଇଥିଲା । ୧୭ ବର୍ଷ ବୟସରେ ସେ ସଙ୍ଗୀତକୁ ନିଜ କ୍ୟାରିୟର୍ ଭାବେ ବାଛି ନେଇଥିଲେ । ଏଥିପାଇଁ ସେ ଲାହୋର୍ ଯାଇ ସେଠାରେ ପଞ୍ଜାବୀ ସଙ୍ଗୀତକାର ବାବା ଚିସତିଙ୍କ ଠାରୁ ପ୍ରଶୀକ୍ଷଣ ନେଇଥିଲେ । ୧୯୬୧ ମସିହାରେ ରିଲିଜ୍ ହୋଇଥିବା ‘ସୋଲା ଓ ସବନମ୍’ ପରଠାରୁ ସେ ଜଣେ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଭାବେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ । ୨୦୧୧ରେ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । ‘କଭି କଭି’, ‘ଉମରାଓ ଜାନ୍’, ‘ସୋଲା ଔର୍ ସବନମ୍’, ‘ତ୍ରିଶୂଲ୍’, ‘ନୂରୀ’, ‘ବାଜାର୍’ ଓ ‘ଥୋଡ଼ି ସି ବେବଫାଇ’ ଭଳି ଅନେକ ଫିଲ୍ମର ସଙ୍ଗୀତ ମାଧ୍ୟମରେ ଖୟାମ୍ ଏକ ଅଲିଭା ଛାପ ଛାଡ଼ି ଯାଇଛନ୍ତି ଏବଂ ସଙ୍ଗୀତପ୍ରେମୀଙ୍କ ହୃଦୟରେ ଖୟାମ୍ ସବୁଦିନ ପାଇଁ ବଞ୍ଚି ରହିବେ ।

Leave a Reply

Your email address will not be published. Required fields are marked *