ବିଜେପିରେ ଉତ୍କଳ ଭାରତ ବିଲୀନ: ଖାରବେଳ ପୁଣି ଧରିଲେ ପଦ୍ମ, ଲଢ଼ିବେ କନ୍ଧମାଳରୁ
ଉତ୍କଳ ଭାରତ ରାଜନୀତିକ ଦଳର ପ୍ରତିଷ୍ଠାତା ତଥା ପୂର୍ବତନ ସାଂସଦ ଐରଖାରବେଳ ସ୍ଵାଇଁ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ତାଙ୍କ ସହ ଉତ୍କଳ ଭାରତର ସମସ୍ତ କାର୍ଯ୍ୟକର୍ତ୍ତା ମଧ୍ୟ ବିଜେପିରେ ସାମିଲ୍ ହୋଇଛନ୍ତି। ଏହାଦ୍ଵାରା ଉତ୍କଳ ଭାରତର ବିଲୀନ ହୋଇଛି। ଏ ବିଷୟକୁ ବିଜେପି ଉପସଭାପତି ସମୀର ମହାନ୍ତି ଖାରବେଳଙ୍କ ଉଦ୍ଦେଶ୍ୟରେ ଆୟୋଜିତ ମିଶ୍ରଣ ପର୍ବରେ ଘୋଷଣା କରିଛନ୍ତି। ଖାରବେଳ କହିଛନ୍ତି, ବସ୍ତୁତଃ ତାଙ୍କ ଦଳ ବିଲୀନ ହୋଇଛି। କିନ୍ତୁ ଆବଶ୍ୟକ ବୈଷୟିକ ବିଷୟକୁ ଆମେ ନିର୍ବାଚନ ପରେ ଗ୍ରହଣ କରିବୁ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ୍ ହୋଇଛନ୍ତି।
୧୦ ବର୍ଷହେଲା ଦଳକୁ ଚଳାଇଛୁ। ଓଡ଼ିଶାରେ ବିଜେଡିର ପତନ ପାଇଁ ଆପ୍ରାଣ ଉଦ୍ୟମ କରିଛୁ। କିନ୍ତୁ ଉତ୍କଳ ଭାରତ ଏକ ଛୋଟ ଦଳ ହୋଇଥିବାରୁ ଏକୁଟିଆ ବିଜେଡିକୁ ପରାହତ କରିବା ସମ୍ଭବ ନଥିଲା। ଏଣୁ ଆମେ ସବୁବେଳେ ଚାହୁଁଥିଲୁ ବିଜେପି ଭଳି ଏକ ରାଷ୍ଟ୍ରୀୟ ଦଳ ତାହାର ନେତୃତ୍ଵ ନେଉ। ବିଳମ୍ବରେ ହେଲେ ବି ବିଜେପି ତାହା କରିଛି। ଏଣୁ ଆମେ ନିଜ ତରଫରୁ ଏହି ଦଳରେ ଯୋଗ ଦେବାକୁ ଏହି ନିଷ୍ପତ୍ତି ନେଇଛୁ ବୋଲି କହିଛନ୍ତି ଖାରବେଳ।
ଖାରବେଳ ସ୍ଵାଇଁ

କନ୍ଧମାଳରୁ ପ୍ରାର୍ଥୀ ହେବେ
ଖାରବେଳ ସ୍ଵାଇଁ କନ୍ଧମାଳରୁ ବିଜେପି ପ୍ରାର୍ଥୀ ହୋଇପାରନ୍ତି। ଏନେଇ ଖାରବେଳ ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି। କିନ୍ତୁ ବିଜେପି ଏହା ନେଇ କୌଣସି ଘୋଷଣା କରି ନାହିଁ। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଖାବବେଳ ଓଡ଼ିଶା ରାଜନୀତିର ଅମୂଲ୍ୟ ରତ୍ନ। ଖାରବେଳବାବୁଙ୍କୁ କେବେ ଆମେ ଅନ୍ୟ ରାଜନୀତିକ ଦଳର ନେତା ବା କାର୍ଯ୍ୟକର୍ତ୍ତା ଭାବେ ଗଣିନାହିଁ। ରାଷ୍ଟ୍ରବାଦୀ ଆନ୍ଦୋଳନରେ ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵକୁ ସେ ସ୍ଵୀକାର କରିଛନ୍ତି। ଏହାର ପ୍ରବକ୍ତା ସେ ଥିଲେ। ଆମ ସମସ୍ତଙ୍କ ଆଗ୍ରହ ଥିଲା। ଏବଂ ଆଜି ଏକ ସୁଖ ସଂଯୋଗ ହେଲା ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।