ମୋଦିଙ୍କ ବିରୋଧରେ କଂଗ୍ରେସ ଅଧ୍ୟକ୍ଷଙ୍କ ବିବାଦିୟ ବୟାନ – ‘ମୋଦି ବିଷାକ୍ତ ସାପ’

ବେଙ୍ଗାଲୁର: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଷାକ୍ତ ସାପ ବୋଲି କହିଛନ୍ତି । କର୍ଣ୍ଣାଟକର କଲବୁର୍ଗିରେ ଗୁରୁବାର ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ଖଡଗେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଏକ ବିଷାକ୍ତ ସାପ ପରି । ଆପଣ ଭାବୁଥିବେ ଏହା ବିଷ କି ନୁହେଁ, କିନ୍ତୁ ଯଦି ଆପଣ ଏହାର ସ୍ୱାଦ ଚାଖନ୍ତି, ତେବେ ଆପଣ ମରିଯିବେ ।

ଏହାପରେ ରୋନରେ ଏକ ସମାବେଶକୁ ସମ୍ବୋଧିତ କରି ଖଡଗେ କହିଛନ୍ତି ଯେ ଦୁର୍ନୀତିଗ୍ରସ୍ତ ବିଜେପି ସରକାର ରାଜ୍ୟକୁ ଲୁଟ୍ କରୁଛନ୍ତି । ଏଠାରେ ପ୍ରତ୍ୟେକ କାମ ପାଇଁ ୪୦ ପ୍ରତିଶତ କମିସନ ଆଦାୟ କରାଯାଏ । ଯେଉଁମାନେ ଦୁର୍ନୀତିରେ ଅଭିଯୁକ୍ତ ଅଛନ୍ତି ସେମାନଙ୍କୁ ଦେଶରୁ ଫେରାର ହେବାରେ ବିଜେପି ସରକାର ସାହାଯ୍ୟ କରନ୍ତି । ପ୍ରଧାନମନ୍ତ୍ରୀ ନିଜେ ଦୁର୍ନୀତିଗ୍ରସ୍ତ ଲୋକଙ୍କ ସୁରକ୍ଷାରେ ନିୟୋଜିତ ଅଛନ୍ତି ।

ବିବାଦ ବଢ଼ିବା ପରେ ଖଡଗେ ସ୍ପଷ୍ଟୀକରଣ

ଏହି ବୟାନକୁ ନେଇ ବିବାଦ ସୃଷ୍ଟି ହେବା ପରେ ଖଡଗେ ସ୍ପଷ୍ଟ କରିଛନ୍ତି ଯେ ମୁଁ ତାଙ୍କ (ପ୍ରଧାନମନ୍ତ୍ରୀ ମୋଦୀଙ୍କ) ବିଷୟରେ ଏହା କହିନାହିଁ । ମୁଁ କହିବାକୁ ଚେଷ୍ଟା କରୁଥିଲି ଯେ ସେମାନଙ୍କ ଆଦର୍ଶ ସାପ ପରି, ଯଦି ଆପଣ ଏହାକୁ ଚାଟିବାକୁ ଚେଷ୍ଟା କରନ୍ତି, ତେବେ ମୃତ୍ୟୁ ହେବା ନିଶ୍ଚିତ ।

ପ୍ରଧାନମନ୍ତ୍ରୀ କହିଥିଲେ-କଂଗ୍ରେସର ଅର୍ଥ ମିଥ୍ୟା ଗ୍ୟାରେଣ୍ଟି

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଆଜି ଭର୍ଚୁଆଲ ମାଧ୍ୟମରେ କର୍ଣ୍ଣାଟକର ୫୦ ଲକ୍ଷ ବିଜେପି କର୍ମୀଙ୍କୁ ସମ୍ବୋଧିତ କରି କଂଗ୍ରେସ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରୁନଥିବା ଅଭିଯୋଗ କରିଛନ୍ତି । କଂଗ୍ରେସ ଅର୍ଥ ମିଥ୍ୟା ଗ୍ୟାରେଣ୍ଟି, କଂଗ୍ରେସ ଅର୍ଥ ଦୁର୍ନୀତିର ଗ୍ୟାରେଣ୍ଟି । ଏହାର ଜବାବରେ ଖଡଗେ ପ୍ରଶ୍ନ କରିଛନ୍ତି ଯେ କଂଗ୍ରେସର ପ୍ରତିଶ୍ରୁତି ପୂରଣ ହୋଇନାହିଁ ବୋଲି ପ୍ରମାଣ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଖରେ କିଛି ତଥ୍ୟ ଅଛି କି ?

କଂଗ୍ରେସ ଖାଲରେ ପଡ଼ିଯାଉଛି-ବିଜେପି

ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ଖଡଗେଙ୍କ ବୟାନର ଏକ ଭିଡିଓ ଟ୍ୱିଟ୍ କରି ଲେଖିଛନ୍ତି ଯେ ଏହା କଂଗ୍ରେସର ନିରାଶାକୁ ଦର୍ଶାଉଛି । କଂଗ୍ରେସ ଅଧ୍ୟକ୍ଷ ପିଏମ ମୋଦିଙ୍କୁ ବିଷାକ୍ତ ସାପ ବୋଲି କହିଛନ୍ତି । କଂଗ୍ରେସ କ୍ରମାଗତଭାବେ ଖାଲ ଭିତରକୁ ଖସି ଆସୁଛି । ଏହି ନିରାଶା ଦର୍ଶାଉଛି ଯେ କର୍ଣ୍ଣାଟକରେ କଂଗ୍ରେସ ନିଜର ସ୍ଥିତି ହରାଉଛି ।

ହତାଶ ହୋଇ ପ୍ରଧାନମନ୍ତ୍ରୀ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି- ଜୟରାମ ରମେଶ

କଂଗ୍ରେସ ନେତା ଜୟରାମ ରମେଶ ଟ୍ୱିଟ୍ କରି କହିଛନ୍ତି ଯେ ମେ ୧୦ ରେ କର୍ଣ୍ଣାଟକବାସୀ ବିଜେପିର ୪୦ପ୍ରତିଶତ କମିଶନ ସରକାରର ଅନ୍ତ ହେବାର ଗ୍ୟାରେଣ୍ଟି ଦେବେ । ରାଜସ୍ଥାନ, ଛତିଶଗଡ଼ ଓ ହିମାଚଳ ପ୍ରଦେଶ ଭଳି ରାଜ୍ୟରେ ମଧ୍ୟ କଂଗ୍ରେସର ଗ୍ୟାରେଣ୍ଟି କାର୍ଯ୍ୟକାରୀ ହେବ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୟାନ ଉପରେ ଜୟରାମ ରମେଶ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ହତାଶ ଏବଂ ନିରାଶ ହୋଇ ଏହି ମନ୍ତବ୍ୟ ଦେଇଛନ୍ତି । ଜୟରାମ ରମେଶ ଲେଖିଛନ୍ତି ଯେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପରେ ଏବେ ପ୍ରଧାନମନ୍ତ୍ରୀ ମୋଦୀ ନିରାଶ ହୋଇ ଅପମାନଜନକ ମନ୍ତବ୍ୟ ଦେଉଛନ୍ତି । ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟର କିଛିଘଣ୍ଟା ପରେ ଜୟରାମଙ୍କ ପ୍ରତିକ୍ରିୟା ଆସିଛି ।

ରାଜସ୍ଥାନରେ କଂଗ୍ରେସ ପୁରୁଣା ପେନସନ ଯୋଜନା, ୧୨୫ ଦିନ କାମ, ସ୍ୱାସ୍ଥ୍ୟ ଅଧିକାର ଏବଂ ଚିରଞ୍ଜୀବୀ ଯୋଜନା ଲାଗୁ କରିଛି । ଛତିଶଗଡ଼ରେ କୃଷକଙ୍କ ଋଣ ଛାଡ଼, ରାଜୀବ ଗାନ୍ଧୀ କିଷାନ ନ୍ୟାୟ ଯୋଜନା ଏବଂ ପୁରୁଣା ପେନସନ ଯୋଜନାକୁ ଆମ ଦଳ ପୂରଣ କରିଛି । ଆମେ ୨୦୧୩ରେ ସରକାର ଗଠନ କରିଥିଲୁ ଏବଂ ୨୦୧୮ ପର୍ଯ୍ୟନ୍ତ କ୍ଷମତାରେ ଥିଲୁ । ଆମର ପ୍ରାୟ ଶତ ପ୍ରତିଶତ ପ୍ରତିଶ୍ରୁତି ପୂରଣ ହୋଇଛି ।

ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ମୋଦୀ ୮ ଥର କର୍ଣ୍ଣାଟକ ଗସ୍ତ କରିଛନ୍ତି

ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ମୋଦି ପ୍ରଚାର ପୂର୍ବରୁ ୮ ଥର କର୍ଣ୍ଣାଟକ ଗସ୍ତ କରିଛନ୍ତି । ଶେଷଥର ପାଇଁ ସେ ଏପ୍ରିଲ ୯ ତାରିଖରେ ଗସ୍ତ କରିଥିଲେ । ଏହା ପୂର୍ବରୁ ସେ ମାର୍ଚ୍ଚ ୨୫ରେ କର୍ଣ୍ଣାଟକର ଦାଭାଙ୍ଗେରେରେ ବିଜେପିର ରାଜ୍ୟବ୍ୟାପୀ ବିଜୟ ସଂକଳ୍ପ ଯାତ୍ରା ସମାପନ ଅବସରରେ ଯାଇଥିଲେ ଏବଂ ରୋଡ୍ ସୋ ପରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ ।

Leave a Reply

Your email address will not be published.