୩ଟି ଫିଲ୍ମକୁ ଭୁଲିଗଲେ ଦର୍ଶକ, ଜାରି ରହିଛି ‘କେଶରୀ’ର ବକ୍ସଅଫିସ୍ ଧମାକା
ଏଥର ଫ୍ରାଇଡେ ରିଲିଜରେ ଏକାସାଙ୍ଗରେ ଆସିଥିଲା ୩ଟି ଫିଲ୍ମ । ବିଦ୍ୟୁତ୍ ଜାମୱାଲଙ୍କ ‘ଜଙ୍ଗଲି’, ପ୍ରନୂତନ ଓ ଜାହିର୍ ଇକବାଲଙ୍କ ଅଭିନୀତ ‘ନୋଟବୁକ’୍ ଓ ଶ୍ୱେତା ତ୍ରିପାଠୀଙ୍କ ‘ଗନ୍ କେଶ୍’ । ଏହି ୩ଟି ଫିଲ୍ମର କାହାଣୀ ବେଶ୍ ନିଆରା ଓ ପରସ୍ପର ଅତୁଳନୀୟ ହୋଇଥିଲେ ମଧ୍ୟ ଦର୍ଶକ ଖିଲାଡ଼ି କୁମାର ଅକିଙ୍କ ଅଭିନୀତ ‘କେଶରୀ’ର ମୋହରୁ ଆଜିପର୍ଯ୍ୟନ୍ତ ନିଜକୁ ଦୂରେଇ ପାରୁନାହାନ୍ତି । ବିଗତଦିନରେ ‘କେଶରୀ’ ୧୦୦କୋଟି ଫିଲ୍ମ କ୍ଲବରେ ସାମିଲ୍ ହୋଇଥିଲାବେଳେ ଆଜିପର୍ଯ୍ୟନ୍ତ ତାହାର ବ୍ୟବସାୟରେ ବୃଦ୍ଧି ହୋଇ ଚାଲିଛି । ମୁକ୍ତିଲାଭ କରିବାର ୧୪ ଦିନ ମଧ୍ୟରେ ଏହାର ମୋଟ ବ୍ୟବସାୟ ହେଉଛି ୧୩୩. ୪୫ କୋଟି ଟଙ୍କା । ଫିଲ୍ମ ଟ୍ରେଡ୍ ଆନାଲିଷ୍ଟ୍ ଏହି ସୂଚନା ଦେବା ସହ ଖୁବ୍ ଶୀଘ୍ର ଏହା ୧୫୦ କୋଟି ପାର୍ ହେବ ବୋଲି ମତ ଦେଇଛନ୍ତି । କିନ୍ତୁ ଆଗାମୀ ଫ୍ରାଇଡେ ରିଲିଜରେ ମୁକ୍ତିଲାଭ କରୁଥିବା ଫିଲ୍ମ ‘କେଶରୀ’ର ବ୍ୟବସାୟ ଉପରେ ପ୍ରଭାବ ପକାଇପାରେ ବୋଲି ଟ୍ରେଡ୍ ବିଶେଷଜ୍ଞମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ।
ଦର୍ଶକଙ୍କ ସହିତ ଅନେକ ବଲିଉଡ୍ ତାରକାଙ୍କୁ ମଧ୍ୟ ଏହି ଫିଲ୍ମର କାହାଣୀ ଓ ଅକିଙ୍କ ଦମଦାର୍ ଅଭିନୟ ବାନ୍ଧି ରଖିବାରେ ସଫଳ ହୋଇଛି । ଐତିହାସିକ ସରାଗଢ଼ି ଯୁଦ୍ଧର ପୃଷ୍ଟଭୂମି ଉପରେ ଆଧାରିତ ‘କେଶରୀ’ ୨୧ ଜଶ ଶିଖ୍ ସୈନ୍ୟଙ୍କ ବିରତ୍ୱର କାହାଣୀକୁ ପରଦା ଉପରକୁ ଅଣାଯାଇଛି, ଯାହାକୁ ସିନେପ୍ରେମୀ ଖୁବ୍ ପସନ୍ଦ କରିଛନ୍ତି ।
ଅନ୍ୟପକ୍ଷରେ କହିବାକୁ ଗଲେ ଏଥର ଫ୍ରାଇଡେ’ରେ ରିଲିଜ୍ ହୋଇଥିବା ୩ଟି ଫିଲ୍ମକୁ ଦର୍ଶକ ଏକରକମ ଭୁଲିଗଲା ଭଳି ମନେ ହେଉଛି । କାରଣ ସୋସିଆଲ୍ ମିଡିଆରେ ରହିଛି କେବଳ ‘କେଶରୀ’ ଓ ଅକିଙ୍କ ଅଭିନୟ ସମ୍ପର୍କିତ ମେସେଜ୍ । ‘ଜଙ୍ଗଲି’, ‘ନୋଟବୁକ୍’ କିମ୍ବା ‘ଗନ୍ କେଶ୍’ର କେତୋଟି ହାତଗଣତି ମେସେଜ୍ ଦେଖିବାକୁ ମିଳୁଛି ଏବଂ ବକ୍ସ ଅଫିସ୍ ବ୍ୟବସାୟ ସେଭଳି ଆଖିଦୃଶୀୟା ହୋଇନି କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ଆଗାମୀ ଦିନରେ ‘କେଶରୀ’ ୧୫୦ କୋଟି କ୍ଲବରେ ସାମିଲ୍ ହୋଇପାରୁଛି କି ନାହିଁ, ତାହା ଦେଖିବା ବାକି ରହିଲା ।