କେନ୍ଦ୍ରୀୟ ଅବହେଳା ସ୍ଲୋଗାନ ରାଜନୀତି ସର୍ବସ୍ୱ ନୁହେଁତ?
- ୬୪ ଲୋକସଭା ସାଂସଦ,
- ୨୦ ରାଜ୍ୟସଭା ସାଂସଦ ,
- ୧୯ ବର୍ଷର ରାଜ୍ୟ ସରକାର,
- ଆଉ କେତେ ଦରକାର ନବୀନଙ୍କୁ?
ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଥରର ବି ସ୍ଲୋଗାନ ହେଉଛି କେନ୍ଦ୍ରୀୟ ଅବହେଳା। ବିଜୁ ଜନତା ଦଳ ମଧ୍ୟ ଏହି ନେଗେଟିଭ ପ୍ରଚାରକୁ ଆୟୁଧ କରିଛି। ହକି, ଚାଉଳ, ରାସ୍ତା, ପିଠା ଏବଂ କାଳିଆ ଅପେକ୍ଷା ବିଜେଡି ଏବଂ ନବୀନ ପଟ୍ଟନାୟକ କେନ୍ଦ୍ରୀୟ ଅବହେଳାକୁ ପ୍ରଚାରର ମୁଖ୍ୟ ମାଧ୍ୟମ କରିବାର ରହସ୍ୟ କ’ଣ?
୧୯ ବଷ ଶାସନ ପରେ ଯଦି ଦଳ ସମାନ କଥାକୁ ଦୋହରାଇ ଚାଲେ, ତେବେ ଏହି ଦଳକୁ ଲୋକେ ଭରସା କରିବେ କାହିଁକି? ନବୀନ ବାବୁଙ୍କୁ ଆଉ କେତେ ସମର୍ଥନ ବିଧାନସଭା, ଲୋକସଭା ଏବଂ ରାଜ୍ୟସଭାରେ ଦରକାର ଅଛି?
୧୯୯୭ରେ ବିଜୁ ଜନତା ଦଳ ଜନତା ଦଳ ଭାଙ୍ଗି ଗଢ଼ା ହେଲା। ୧୯୯୮ରେ ବିଜେପି ସହିତ ମେଣ୍ଟ କରି ବିଜେଡି ପ୍ରଥମ ଲୋକସଭା ନିର୍ବାଚନ ଲଢ଼ିଲା। ୧୯୯୮ରୁ ୨୦୧୪ ଭିତରେ ୫ଥର ଲୋକସଭା ନିର୍ବାଚନ ହେଲାଣି। ଅର୍ଥାତ ଓଡ଼ିଶାର ଲୋକମାନେ ୧୦୫ ଜଣ ସାଂସଦଙ୍କୁ ଲୋକସଭା ପଠାଇଛନ୍ତି। ସେଥିମଧ୍ୟରୁ ବାଜପେୟୀ ସରକାରଙ୍କ ଅମଳରେ କେନ୍ଦ୍ରରେ ଥିବାବେଳେ ଓଡ଼ିଶାରେ ନବୀନ ମୁଖ୍ୟମନ୍ତ୍ରୀ ଥିଲେ। କିନ୍ତୁ କାହିଁକି ସେହି ସମୟରେ ସ୍ୱତନ୍ତ୍ର ଶ୍ରେଣୀ ରାଜ୍ୟ ପାହ୍ୟାଠାରୁ ଆରମ୍ଭ କରି ସ୍ୱତନ୍ତ୍ର ପ୍ୟାକେଜ ପର୍ଯ୍ୟନ୍ତ ଦାବି ହାସଲ କରିପାରିଲେ ନାହିଁ ନବୀନ ପଟନାୟକ?
ଲୋକସଭା, ରାଜ୍ୟସଭା ଏବଂ ବିଧାନସଭାରେ ଆଉ କେତେ ଅଧିକ ସମର୍ଥନ ମିଳିଥିଲେ, ଓଡ଼ିଶାକୁ ବଦଳାଇ ଦେଇଥାନ୍ତା ବିଜେଡି ? ବିଜୁ ଜନତା ଦଳର ସର୍ବାଧିକ ସଦସ୍ୟ ସଂଖ୍ୟା ୬୪। ବିଜେଡି ସହ ମେଣ୍ଟ କରି ବିଜେପି ଏପର୍ଯ୍ୟନ୍ତ ୨୪ ଜଣଙ୍କୁ ପଠାଇଛି ଲୋକସଭା। କଂଗ୍ରେସ ୧୯୯୮ରୁ ପତନ ଆଡ଼କୁ ମୁହାଁଇ ଥିଲା। ତେବେ ସରିଥିବା ୫ଟି ଲୋକସଭା ନିର୍ବାଚନରେ ଓଡ଼ିଶାର ଭୋଟର ୧୫ଜଣ କଂଗ୍ରେସ ସାଂସଦଙ୍କ ନିର୍ବାଚିତ କରିଛନ୍ତି। ଗୋଟିଏ ଲେଖାଏଁ ଆସନ ଯାଇଛି ସିପିଆଇ ଓ ଜେଏମଏମକୁ।
୧୯୯୮ରେ ବିଜେଡି ୯, ୯୯ରେ ୧୦, ୨୦୦୪ରେ ୧୧, ୦୯ରେ ୧୪ ଏବଂ ଗତ ଲୋକସଭା ନିର୍ବାଚନରେ ୨୧ରୁ ୨୦ ଜଣଙ୍କୁ ଲୋକସଭାକୁ ପଠାଇ ପାରିଥିଲା। ବିଜେଡି ସହ ମେଣ୍ଟ କରି ବିଜେପି ପ୍ରଥମ ତିନିଟି ନିର୍ବାଚନରେ ୨୩ଜଣଙ୍କୁ ପଠାଇଥିଲା ଲୋକସଭା। ୨୦୦୯ରେ ବିଜେପି ଖାତା ଖୋଲିପାରି ନଥିଲା। ଗତ ଥର କେବଳ ଗୋଟିଏ ଆସନ ଜିଣିଥିଲା ଏହି ଦଳ। କିନ୍ତୁ ଗତଥର କଂଗ୍ରେସ ଖାତା ଖୋଲିପାରି ନଥିଲା। ତେବେ ଅନ୍ୟ ୪ଟି ଲୋକସଭା ନିର୍ବାଚନରେ କଂଗ୍ରେସର ୧୫ଜଣ ନିର୍ବାଚିତ ହୋଇଥିଲେ।
୫ଟି ଲୋକସଭା ନିର୍ବାଚନରେ ୧୦୫ଜଣ ଲୋକସଭା ସଦସ୍ୟଙ୍କ ମଧ୍ୟରୁ ୬୪ଜଣ କେବଳ ବିଜୁ ଜନତା ଦଳର। କେବଳ ସେତିକି ନୁହେଁ ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ବିଜେଡି କେନ୍ଦ୍ରରେ ଏନଡିଏ ସରକାରରେ ଅଂଶୀଦାର ଥିଲା। ଖୋଦ ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ଥିଲେ। ଏହା ସତ୍ତ୍ୱେ କେନ୍ଦ୍ରୀୟ ଅବହେଳା କଥାକୁ ବାରମ୍ୱାର ଦୋହରାଇବାର ଉଦ୍ଦେଶ୍ୟ କ’ଣ?
ବାଜପେୟୀ ସରକାରଙ୍କ ଅମଳରେ କେନ୍ଦ୍ରରେ ବିଜେଡି ଅଂଶୀଦାର ଥିବାବେଳେ ଓଡ଼ିଶାରେ ନବୀନ ମୁଖ୍ୟମନ୍ତ୍ରୀ ଥିଲେ। କିନ୍ତୁ କାହିଁକି ସେହି ସମୟରେ ସ୍ୱତନ୍ତ୍ର ଶ୍ରେଣୀ ରାଜ୍ୟ ପାହ୍ୟାଠାରୁ ଆରମ୍ଭ କରି ସ୍ୱତନ୍ତ୍ର ପ୍ୟାକେଜ ପର୍ଯ୍ୟନ୍ତ ଦାବି ହାସଲ କରିପାରିଲେ ନାହିଁ ନବୀନ ପଟନାୟକ?
କେନ୍ଦ୍ରରେ ମନ୍ତ୍ରୀମାନଙ୍କ କଥା ବିଚାରକୁ ନେଲେ ତାହା ମଧ୍ୟ ବିଜେଡି ସପକ୍ଷକୁ ଯାଉଛି। ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ବିଜେଡିର ୪ଜଣ କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି। ସେମାନେ ହେଲେ; ନବୀନ ପଟ୍ଟନାୟକ, ଅଜୁର୍ନ ସେଠୀ, ବ୍ରଜ କିଶୋର ତ୍ରିପାଠୀ ଏବଂ ଦିଲୀପ ରାୟ। ଦିଲୀପ ରାୟ କେବଳ ରାଜ୍ୟସଭାରୁ ମନ୍ତ୍ରୀ ପରିଷଦକୁ ଯାଇଥିଲେ। ବାଜପେୟୀ ସରକାର ଆସିବା ପୂର୍ବରୁ ସେ ଦେବେଗୌଡ଼ା ଏବଂ ଗୁଜରାଲ ସରକାରରେ ମନ୍ତ୍ରୀ ପଦରେ ରହି ଆସିଥିଲେ।
ଏପର୍ଯ୍ୟନ୍ତ ବିଜେପିରୁ ୩ଜଣ କେନ୍ଦ୍ରମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ସେମାନଙ୍କ ମଧ୍ୟରୁ ଜୁଏଲ ଓରାମ ଦୁଇଥର ମନ୍ତ୍ରୀ ହୋଇଛନ୍ତି। ଅନ୍ୟମାନେ ହେଲେ ଦେବେନ୍ଦ୍ର ପ୍ରଧାନ ଏବଂ ଧର୍ମେନ୍ଦ୍ର ପ୍ରଧାନ। ଦେବେନ୍ଦ୍ର ଏବଂ ଧର୍ମେନ୍ଦ୍ର ପିତା-ପୁତ୍ର। ହେଲେ ଧର୍ମେନ୍ଦ୍ର ଓଡ଼ିଶାରୁ ନିର୍ବାଚିତ ହୋଇନାହାଁନ୍ତି।
କଂଗ୍ରେସର ୧୦ବର୍ଷ ଶାସନ ଭିତରେ କେବଳ ଦୁଇଜଣ ମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ସେମାନେ ହେଲେ; ଚନ୍ଦ୍ରଶେଖର ସାହୁ ଏବଂ ଶ୍ରୀକାନ୍ତ ଜେନା। ତେଣୁ ମନ୍ତ୍ରୀ ଭାବେ ଦେଖିବାକୁ ଗଲେ, ବିଜୁ ଜନତା ଦଳର ସର୍ବାଧିକ ୪ଜଣ ୬ବର୍ଷ ଭିତରେ କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି। ସେମାନ ମଧ୍ୟରେ ଅଛନ୍ତି ନିଜେ ନବୀନ। ବିଜୁ ଜନତା ଦଳ ଗଢ଼ା ହେବା ପରଠାରୁ ଏପର୍ଯ୍ୟନ୍ତ ଏହି ଦଳର ସର୍ବାଧିକ ୨୦ଜଣ ରାଜ୍ୟସଭାକୁ ଯାଇଛନ୍ତି।
ଏବେ ରାଜ୍ୟସଭାର ଓଡ଼ିଶା କୋଟାରେ ଥିବା ୧୦ଟି ଆସନ ଭିତରୁ ବିଜୁ ଜନତା ଦଳ ହାତରେ ଅଛି ୯ଟି ଆସନ। ଅନ୍ୟ ଆସନଟି ରହିଛି କଂଗ୍ରେସ ହାତରେ। ତେଣୁ ରାଜ୍ୟସଭାରେ ଓଡ଼ିଶା ସ୍ୱାର୍ଥ ପ୍ରସଙ୍ଗ ଉଠାଇବା ପାଇଁ ବିଜୁ ଜନତା ଦଳକୁ ଯଥେଷ୍ଟ ସୁଯୋଗ ମିଳିଛି।
ବିଧାନସଭା କଥା ଦେଖାଯାଉ
୨୦୦୦ ଏବଂ ୨୦୦୪ରେ ବିଜେପି ସହ ମେଣ୍ଟ କରି ସରକାର ଗଠନ କରିଥିଲା ବିଜେଡି। ଏହି ଦୁଇ ଦଳର ଶକ୍ତି କଂଗ୍ରେସ ତୁଳନାରେ ଥିଲା ଯଥେଷ୍ଟ ଅଧିକ। ୨୦୦୯ରେ ମେଣ୍ଟ ଭାଙ୍ଗିବା ପରେ ବିଜେଡିର ଆସନ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଥିଲା। ଗତଥର ଏହା ପହଞ୍ଚିଲା ୧୧୭ରେ। ସୁତରାଂ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ଦେଇ ଓଡ଼ିଶା ଭୋଟର ବିଜେଡିଠାରୁ ଅନେକ କିଛି ଆଶା କରିଥିଲେ। ସ୍ଥାୟୀ ଏବଂ ସବଳ ସରକାର ଗଢ଼ିବାର ସୁଯୋଗ ନବୀନ ବାବୁଙ୍କୁ ମିଳିଛି। ରାଜ୍ୟରେ ବିରୋଧୀ ଦଳ ଗତ ୧୯ବର୍ଷ ହେଲା ଶକ୍ତିଶୂନ୍ୟ। ତେଣୁ କାମ କରିବା ଏବଂ ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରିବା ଲାଗି ନବୀନଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଦେଇଛନ୍ତି ଲୋକେ।
ନିଜେ ନବୀନ ୧୯ବର୍ଷ ହେଲା ମୁଖ୍ୟମନ୍ତ୍ରୀ ଅଛନ୍ତି। ଏହାସତ୍ତ୍ୱେ ନବୀନ ଦୁର୍ନୀତି ରୋକିବାରେ ସଫଳ ହୋଇନାହାନ୍ତି। ଆଜି ପ୍ରଧାନମନ୍ତ୍ରୀ ମୋଦୀ ‘ମୁଁ ଚୌକିଦାର’ କଥା କହୁଛନ୍ତି। କିନ୍ତୁ ୧୨ବର୍ଷ ପୂର୍ବେ ଅର୍ଥାତ ୨୦୦୭ରେ ନବୀନ ମୁଁ ସଚିବାଳୟ ଜଗୁଛି ବୋଲି କହିଥିଲେ। ଅର୍ଥାତ ସେହି ଚୌକିଦାରୀ କଥା। ଏବେ ମଧ୍ୟ ତାଙ୍କ ବିଜ୍ଞାପନରେ ଚୌକିଦାରୀ ଭାବନା ପ୍ରତିଫଳିତ ହେଉଛି। କିନ୍ତୁ ତାଙ୍କ ସମୟରେ ଦୁଇଟି ମହାଦୁର୍ନୀତି ଘଟିଯାଇଛି। ବିଡ଼ମ୍ୱନା, ବିଜୁ ଜନତା ଦଳ ଏଥିରେ ସମ୍ପୃକ୍ତ। ଖଣି ମହାଦୁର୍ନୀତିରେ ୨ଲକ୍ଷ କୋଟି ଟଙ୍କାର ଚୋରି ହୋଇଛି। ଏକଥା ସରକାର ମଧ୍ୟ ସ୍ୱୀକାର କରିଛନ୍ତି। ସ୍ୱୀକାର କରିଛନ୍ତି ସୁପ୍ରିମକୋର୍ଟ। ନହେଲେ ରାଜ୍ୟ ସରକାର ୫୯ ହଜାର କୋଟି ଟଙ୍କା ଜରିମାନା ନୋଟିସ ଦେଇ ପୁଣି ୧୭୦୦୦ କୋଟି ଟଙ୍କାରେ ସନ୍ତୁଷ୍ଟ ହୋଇଥାନ୍ତେ କେମିତି?
ସେହିପରି ୫୦ହଜାର କୋଟି ଟଙ୍କାର ଚିଟଫଣ୍ଡ ଦୁର୍ନୀତି ହୋଇଛି ତାଙ୍କ ସମୟରେ। ଚିଟଫଣ୍ଡ ଦୁର୍ନୀତି ସହ ଜଡ଼ିତ ନେତାମାନଙ୍କୁ ଏଥର ମଧ୍ୟ ସେ ପ୍ରାର୍ଥ କରିଛନ୍ତି। କେନ୍ଦ୍ରରେ ମୋଦୀ ସରକାର ମାତ୍ର ୫ବର୍ଷର ପୁରୁଣା। ନବୀନ ସରକାରଙ୍କର ବୟସ ୧୯ ବର୍ଷ। ଆଶ୍ଚର୍ଯ୍ୟର କଥା, ଯେଉଁ ଉତ୍ତର ନବୀନ ଏବଂ ତାଙ୍କ ଦଳ ଦେବା କଥା, ଓଲଟି ୫ବର୍ଷର ପୁରୁଣା ସରକାରଙ୍କୁ ପ୍ରଶ୍ନ ପଚାରି ଉତ୍ତର ଖୋଜୁଛନ୍ତି। କିନ୍ତୁ ମୂଳ ପ୍ରଶ୍ନ ହେଉଛି ବିଧାନସଭା, ଲୋକସଭା ଏବଂ ରାଜ୍ୟସଭାରେ ଏତେ ସମର୍ଥନ ପାଇ ସୁଦ୍ଧା ଓଡ଼ିଶାର ଚିତ୍ର ବଦଳିଗଲା ନାହିଁ କାହିଁକି?
ବଦଳି ନାହିଁ ବୋଲି ତ କେନ୍ଦ୍ର ଉପରେ ଦୋଷ ଲଦୁଛନ୍ତି ନବୀନ। ଯଦି ବଦଳିଛି ବୋଲି ଭାବୁଛି ବିଜେଡି, ତେବେ କେନ୍ଦ୍ରୀୟ ଅବହେଳା ସ୍ଲୋଗାନ ରାଜନୀତି ସର୍ବସ୍ୱ ନୁହେଁତ?