କରୋନା ମାଡ଼ରେ ତୁଳସୀକ୍ଷେତ୍ର ଜନଶୂନ୍ୟ: ରସାବଳୀ ବେପାର ବନ୍ଦ

କେନ୍ଦ୍ରାପଡ଼ା,:(ପ୍ରଦୀପ ଜେନା)କରୋନା ମାଡ଼ରେ କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀବଳଦେବଜୀଉଙ୍କ କ୍ଷେତ୍ର ତୁଳସୀ କ୍ଷେତ୍ର ଏବେ ଜନଶୂନ୍ୟ ହୋଇପଡ଼ିଛି । ଶ୍ରୀବଳଦେବଜୀଉଙ୍କ ରଥଦାଣ୍ଡରୁ ଆରମ୍ଭ କରି ମନ୍ଦିର ପରିସର ପର୍ଯ୍ୟନ୍ତ କେଉଁଠି ବି ଜଣେ କାହାକୁ ଦେଖିବାକୁ ମିଳୁନି । ଯେଉଁ ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ପ୍ରତିଦିନ ସକାଳୁ ରାତି ପର୍ଯ୍ୟନ୍ତ ଶହ ଶହ ଭକ୍ତଙ୍କ ସମାଗମ ହେଉଥିଲା ସେଠି ଏବେ କାହାରିକୁ ଦେଖିବାକୁ ମିଳୁନି । ପ୍ରତି ସଂକ୍ରାନ୍ତିରେ ହଜାର ହଜାର ସଂଖ୍ୟାର ଭକ୍ତ ଶ୍ରୀ ବଳଦେବଜଜୀଉଙ୍କ ଦର୍ଶନ ପାଇଁ ଯାଇଥାଆନ୍ତି । କିନ୍ତୁ ଗତ ପଣା ସଂକ୍ରାନ୍ତିରେ ମନ୍ଦିର ପୁରା ଖାଁ ଖାଁ ଥିଲା । ଶ୍ରୀବଳଦେବଜୀଉଙ୍କୁ ଭରସା କରି ଶତତାଧିକ ସେବାୟତ ପରିବାର ଜୀବୀକା ନିର୍ବାହ କରନ୍ତି । ପ୍ରତିଦିନ କେଉଁ ସେବାୟତ ଭକ୍ତଙ୍କ ଠାରୁ ଦକ୍ଷୀଣା ପାଉଥିଲେ ତ ଆଉ କେଉଁ ସେବାୟତ ଶହ ଶହ ଭକ୍ତଙ୍କୁ ଅନ୍ନପ୍ରସାଦ ବିକ୍ରି କରି ଦୁଇପଇସା ରୋଜଗାର କରୁଥିଲେ । କିନ୍ତୁ କରୋନା ମାଡ଼ ପରେ ସେବାୟତମାନେ ତାଙ୍କ ରୋଜଗାର ହରାଇଛନ୍ତି ।

ସବୁଠାରୁ ଅଧିକ ମାଡ଼ ପଡ଼ିଛି ଶ୍ରୀବଳଦେବଜୀଉଙ୍କ ପ୍ରସିଦ୍ଧ ରସାବଳୀ ଭୋଗ ଉପରେ । ଶ୍ରୀବଳଦେବଜୀଉଙ୍କ ନିକଟରେ କେଉଁକାଳରୁ ରସାବଳୀ ଭୋଗ ଲାଗି ହେବାର ପରମ୍ପରା ରହିଛି । ଶ୍ରୀଜୀଉଙ୍କ ନିକଟରେ ଭୋଗଲାଗଗି ହେଉଥିବା ରସାବଳୀର ଭକ୍ତଙ୍କ ମଧ୍ୟରେ ବେଶ ଚାହିଦା ରହିଥିବାରୁ ମନ୍ଦିର ପ୍ରଶାସନ ଓ ସେବାୟତମାନେ ଭକ୍ତଙ୍କୁ ରସାବଳୀ ବିକ୍ରି କରି ବେଶଲାଭବାନ ହୁଅନ୍ତି । ହେଲେ କରୋନା ଲକଡାଉନ ପରେ ରସାବଳୀ ବେପାର ପୁରାପୁୁରି ଠପ ହୋଇଯାଇଛି । ଫଳରେ ମନ୍ଦିର ପ୍ରଶାସନ ଓ ସେବାୟତମାନେ କ୍ଷତିଗ୍ରସ୍ତ ହେଉଛନ୍ତି । କେନ୍ଦ୍ରାପଡ଼ାର ରସାବଳୀ ସମଗ୍ର ଓଡ଼ିଶାରେ ପ୍ରସିଦ୍ଧି ଲାଭ କରିଥିବାରୁ ଏବେ ରାସବଳୀର ବ୍ୟବସସାୟୀକରଣ ହୋଇଛି । କେନ୍ଦ୍ରାପଡ଼ା ସହର ଓ ଜିଲ୍ଲାର ବିଭିନ୍ନ ସ୍ଥାନର ଅନେକ ମିଠା ବ୍ୟବସାୟୀ ସୁସ୍ୱାଦୁ ରସାବଳୀ ତିଆରି କରି ଲୋକଙ୍କୁ ବିକ୍ରି କରିବା ସହ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଉଛନ୍ତି ଓ କେନ୍ଦ୍ରାପଡ଼ା ରସାବଳୀର ସମଗ୍ର ରାଜ୍ୟରେ ଖୁବ ଚାହିଦା ମଧ୍ୟ ରହିଥିବା ଯୋଗୁ ବ୍ୟବସାୟୀମାନେ ରସାବଳୀ ବିକ୍ରିକରି ଲାଭବାନ ହେଉଛନ୍ତି । କିନ୍ତୁ ଲକଡାଉନ ଯୋଗୁ ସମସ୍ତ ବ୍ୟସାୟ ପତିଷ୍ଠାରନନ ସହ ମିଠା ଦୋକାନ ଗୁଡ଼ିକ ବନ୍ଦ ହୋଇଯାଇଥିବାରୁ ରସାବଳୀ ବେପାର ମଧ୍ୟ ପୁରା ବନ୍ଦ ।

ରସାବଳୀରେ କ୍ଷୀରଛେନା, କ୍ଷୀର, ଗୁଜୁରାତି, ଚିନି, ଅଟା ଓ ଗୁଆଘିଅ ମୁଖ୍ୟତଃ ଉପାଦାନ ଭାବେ ବ୍ୟବହାର ହେଉଥିବାରୁ ରସାବଳୀ ବେପାର ବନ୍ଦର ପ୍ରଭାବ ସିଧାସଳଖ ଶ୍ରୀ ବଳଦେବଜୀଉଙ୍କ ସେବାୟତଙ୍କ ସହ ମିଠା ବ୍ୟବସସାୟୀ ଓ ଗୋପାଳକ ଉପରେ ପଡ଼ିଛି । ସବୁଠାରୁ ଅଧିକ କ୍ଷତିଗ୍ରସ୍ଥ ହୋଇଛନ୍ତି ବିଚାରା ଗରିବ ଗୋପାଳକମାନେ । କେନ୍ଦ୍ରାପଡ଼ାରେ ରସାବଳୀ ବ୍ୟବସାୟରେ ପ୍ରତିଦିନ ପ୍ରାୟ ୩ ହଜାର ଲିଟର କ୍ଷୀର ଓ ୧୦ କୁଇଂଟାଲ କ୍ଷୀରଛେନା ବ୍ୟବହାର ହୋଇଥାଏ । କିନ୍ତୁ ମିଠା ଦୋକାନ ଗୁଡ଼ିକ ବନ୍ଦ ହେବା ସହ ରସାବଳୀ ବ୍ୟବସାୟ ବନ୍ଦ ହୋଇଯିବାରୁ ଗୋପାଳକମାନେ କେଉଁଠି କ୍ଷୀର ବିକ୍ରି କରିପାରୁ ନାହାଁନ୍ତି । ରସାବଳୀ ପ୍ରସ୍ତୁତି ପାଇଁ ମିଠା ଦୋକାନ ଗୁ଼ଡ଼ିକୁ କ୍ଷୀର ବିକ୍ରି କରୁଥିବା ଗୋପାଳକମାନେ ଓମଫେଡ଼ ବା ଅନ୍ୟ ବେସରକାରୀ ବ୍ୟସାୟ ପ୍ରତିଷ୍ଠାନକୁ କ୍ଷୀର ବିକ୍ରି କରୁ ନଥିଲେ ।

ଏବେ ରସାବଳୀ ବ୍ୟବସାୟ ବନ୍ଦ ହୋଇଯିବାରୁ ଗରିବ ଗୋପାଳକଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି । ଗୋପାଳକମାନେ ପ୍ରତିଦିନ କ୍ଷୀର ବିକ୍ରି କରି ନିଜ ପରିବାର ଚଳାଇବାକୁ ଆବଶ୍ୟକ ସାମଗ୍ରୀ କ୍ରୟ କରିବା ସହ ଗାଇଙ୍କ ପାଇଁ ଦାନା ମଧ୍ୟ କ୍ରୟ କରୁଥିଲେ । କିନ୍ତୁ ଏବେ ସେମାନେ କ୍ଷୀର ବିକ୍ରି କରିନପାରିପାରୁ ନିଜ ପରିବାର ପ୍ରତିପୋଷଣ କରିପାରୁ ନାହାଁନ୍ତି କି ଗାଇଙ୍କ ପାଇଁ ଦାନା କିଣିପାରୁ ନାହଁନ୍ତି । ଫଳରେ ଗୋପାଳଙ୍କ ପରିବାର ଭୋକ ଉପାସରେ ଦିନ କାଟୁଥିବା ସହ କଥା କହିପାରୁ ନଥିବା ଗାଇମାନେ ଭୋକରେ ଆଉଟୁପାଉଟୁ ହେଉଛନ୍ତି ।

Leave a Reply

Your email address will not be published.