କେନ୍ଦ୍ରାପଡ଼ାରେ ଚାଲିଛି ମଧ୍ୟବିତ୍ତ ଓ ଗରିବଙ୍କ ମଧ୍ୟରେ ଯୁଦ୍ଧ: ବିଜେପି ସପକ୍ଷରେ କଂଗ୍ରେସ କର୍ମୀ ଓ ସମର୍ଥକ

କେନ୍ଦ୍ରାପଡ଼ା,(ପ୍ରଦୀପ କୁମାର ଜେନା): ଚଳିତ ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟରେ କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଭୋଟ୍‍ ପାଇଁ ଆଉ ମଝିରେ ଗୋଟିଏ ଦିନ । ଏ ଭିତରେ ସବୁ ରାଜନୀତିକ ଦଳ ଏହି ସମ୍ମାନଜନକ ଆସନକୁ ଅକ୍ତିଆର କରିବାକୁ ଲାଗି ପଡ଼ିଛନ୍ତି ।

ବିଶେଷକରି ପ୍ରତିଦ୍ୱନ୍ଦ୍ୱିତା ଲକ୍ଷ୍ୟ କରାଯାଉଛି ବିଜେପିର ବ୍ୟବସାୟୀ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, କଂଗ୍ରେସର ଆଇନଜୀବୀ ଧରଣୀଧର ନାୟକ ଏବଂ ବିଜେଡିର ଅଭିନେତା ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କ ଭିତରେ । କିନ୍ତୂ ସୂକ୍ଷ୍ମ ଦୃଷ୍ଟିକୋଣରେ ଦେଖିଲେ ଲଢ଼େଇ ବୈଜୟନ୍ତ ଓ ନବୀନଙ୍କ ଭିତରେ ବୋଲି ଜଣାପଡ଼େ । ନା ଏଠାରେ ଦଳ କାରକ ହେଉଛି ନା କଳ । ଖାଲି ପ୍ରତିଶୋଧ ଏବଂ ସମ୍ମାନ ହୋଇଛି ପ୍ରଶ୍ନବାଚୀ ।

ପରିସ୍ଥିତି ଏମିତି ହୋଇଛି ଯେ, ବିଜେପି କିଛି କଂଗ୍ରେସ କର୍ମୀଙ୍କୁ ବି ନିଜ ଅକ୍ତିଆରକୁ ଆଣି ବୁଥ ସ୍ତରରେ ସଂଗଠନ ମଜବୁତ କରିବାକୁ ଉଦ୍ୟମ କରିଛି । ଭୋଟର ବି ଏ ପ୍ରସଙ୍ଗରେ ଭାରି ସଚେତନ ଥିବା ଲକ୍ଷ୍ୟ କରାଯାଉଛି । ଗୋଟିଏ ପଟେ ଛତା, ଯୋତା, କମ୍ବଳ ନିଶା ତ ଆରପଟେ ସାମଗ୍ରିକ ଉନ୍ନତି, ଅପମାନର ଜର୍ଜର ଆଉ ଅସନ୍ତୋଷକୁ କବର ଦେବାର ପ୍ରକ୍ରିୟା ।

ମୁଖ୍ୟମନ୍ତ୍ରୀ ଏଠାରେ ନାଁ ନନେଇ ସିଧାସଳଖ ବିଜେପି ପ୍ରାର୍ଥୀଙ୍କୁ ଧୋକାବାଜ୍‍ ବୋଲି ଅଭିହିତ କରିଛନ୍ତି । ଆଉ ବିଜେପି ପ୍ରାର୍ଥୀ ସ୍ୱାଭିମାନକୁ ନିଜ ଚ୍ୟାନେଲ୍‍ ମାଧ୍ୟମରେ ଉପସ୍ଥାପନ କରୁଛନ୍ତି । ସେ ଭିତରେ ବିଜେଡିର ପ୍ରାର୍ଥୀ ଖାଲି ଆନୁଗତ୍ୟ ପ୍ରଦର୍ଶର୍ନ ଉଦ୍ୟମ ଛଡ଼ା ଆଉ କିଛି ଜାଣିଲା ଭଳି ମନେ ହେଉନାହିଁ ।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କେନ୍ଦ୍ରାପଡ଼ା ଆସି ଏକ ସାଧାରଣ ସଭାରେ ବୈଜୟନ୍ତଙ୍କୁ ଭୋଟ ଦେବା ପାଇଁ ଲୋକଙ୍କୁ କହିବା ସହ ନବୀନ ସରକାରର ବିଫଳତା ନେଇ ବକ୍ତବ୍ୟ ଦେବା ସହ ନିର୍ବାଚନ ପରେ ଓଡ଼ିଶାରେ ବିଜେପି ନେତୃତ୍ୱରେ ସରକାର ଗଠନ ହେବ ବୋଲି ଦୃଢୋକ୍ତି କରିଛନ୍ତି ।

ନିର୍ବାଚନ ଯୁଦ୍ଧର ଚରମ ପର୍ଯ୍ୟାୟରେ ସମାଜର କେଉଁ ବର୍ଗର ଲୋକେ କାହାକୁ ସମର୍ଥନ କରୁଛନ୍ତି ବା ଭୋଟ ଦେବେ ସେ ନେଇ ଚର୍ଚ୍ଚା ଯୋର ଧାରିଛି । ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ, ଶିକ୍ଷିତ, ଅର୍ଦ୍ଧଶିକ୍ଷିତ, ଛୋଟ ବଡ଼ ବ୍ୟବସାୟୀମାନେ କେନ୍ଦ୍ରସରକାରଙ୍କ ବିଭିନ୍ନ ଯୋଜନା, ପାକିସ୍ତାନର ବାଲାକୋଟରେ ଏୟାରଷ୍ଟ୍ରାଇକ, ଆତଙ୍କବାଦୀଙ୍କ ଉପରେ ସର୍ଜିକାଲ ଷ୍ଟ୍ରାଇକ ଆଦି ଦ୍ୱାରା ପ୍ରଭାବିତ ହୋଇ ବିଜେପିକୁ ସମର୍ଥନ କରୁଥିବା ବେଳେ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରର ବିଭିନ୍ନ ଅଂଚଳରେ ବୈଜୟନ୍ତ ନିଜ ଏମ.ପି.ଲ୍ୟାଡ ପାଣ୍ଠିର ଉପଯୋଗରେ ପାଣିଟାଙ୍କି ନିର୍ମାଣ କରିବା, ଜୟ ପଣ୍ଡାଙ୍କ ଉଦ୍ୟମରେ କଟକ-ଚାନ୍ଦବାଲି ରାସ୍ତାର ଦୋହରାକରଣ, ହରିଦାସପୁର-ପାରାଦ୍ୱୀପ ରେଳ ଲାଇନର ଅଗ୍ରଗତି ଓ ଉପସାଗରୀୟ ଦେଶକୁ କାମ କରିବାକୁ ଯାଇ ଫସିଥିବା ଯୁବକଙ୍କୁ ଉଦ୍ଧାର କରାଯିବା କ୍ଷେତ୍ରରେ ବୈଜୟନ୍ତଙ୍କ ଭୂମିକାକୁ ପସନ୍ଦ କରିବା ସହ ତାଙ୍କୁ ଭୋଟ ଦେବାକୁ ସ୍ଥିର କରିଥିବା ଜଣାପଡ଼ୁଛି ।

ସେହିପରି ଏହି ନିର୍ବାଚନ ପ୍ରତିଯୋଗୀତାରେ ବିଜେଡି ଓ ବିଜେପି ତୁଳନାରେ ପଛରେ ପଡ଼ିଯାଇଥିବାରୁ ଅଧିକ ସଂଖ୍ୟକ କଂଗ୍ରେସ କର୍ମୀ ଓ ସମର୍ଥକମାନେ ବିଜେପି ପ୍ରାର୍ଥୀ ବୈଜୟନ୍ତଙ୍କ ଆଡ଼କୁ ଢଳି ତାଙ୍କ ସପକ୍ଷରେ ଭୋଟ ପ୍ରଚାର କରୁଥିବା ଦେଖାଯାଉଛି । ଆଳି ବିଧାନସଭା କ୍ଷେତ୍ରର ପୁରୁଖା କଂଗ୍ରେସ ନେତା ଦୋଳ ଗୋବିନ୍ଦ ନାୟକ ଓ ସାଲେପୁର ବିଧାୟକ ତଥା କଂଗ୍ରେସ ନେତା ପ୍ରକାଶ ବେହେରା ବିଜେପିରେ ଯୋଗ ଦେଇ ନିଜ ନିଜ ଅଂଚଳରେ ବିଜେପିର ବିଧାୟକ ପ୍ରାର୍ଥୀ ହେବା ପରେ ସେ ଅଂଚଳରେ କଂଗ୍ରେସ ଦୁର୍ବଳ ହେବା ସହ କଂଗ୍ରେସ ସଂଗଠନ ବିଜେପିକୁ ଚାଲିଯାଇଛି ।

ଅନ୍ୟପକ୍ଷରେ ବିଭିନ୍ନ ସରକାରୀ ଯୋଜନା ଯଥା ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୧ ଟଙ୍କାରେ କିଲେ ଚାଉଳ ଓ ଗହମ ପାଉଥିବା ତଥାକଥିତ ଗରିବ ଲୋକମାନେ, ବାର୍ଦ୍ଧକ୍ୟଭତା, ବିଧବା ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ପାଇଥିବା ହିତାଧିକାରୀ, ସରକାରଙ୍କ ନିକଟରୁ ସହାୟତା ପାଇଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ବିଜେଡି ସପକ୍ଷରେ ଭୋଟ ଦେବାକୁ ମନସ୍ଥ କରିଥିବା କହୁଛନ୍ତି । ବିଜେଡି କେନ୍ଦ୍ରାପଡ଼ା ଲୋକସଭାକ୍ଷେତ୍ରରେ ଅଭିନେତା ଅନୁଭବ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିବା ଦ୍ୱାରା ଯୁବକ, ଯୁବତୀମାନେ ବିଜେଡି ମୁହାଁ ହୋଇଥିବା ଜଣାପଡ଼ୁଛି ।

Leave a Reply

Your email address will not be published.