କେନ୍ଦ୍ରାପଡ଼ା ରାଜନୀତି : ମୁଖ୍ୟ ମଙ୍ଗୁଆଳ ଅତନୁ; ଅସନ୍ତୋଷ କିନ୍ତୁ ଚରମରେ
ଭାରତୀୟ ଜନତା ପାର୍ଟି ମଇଦାନରେ ବିଜୟ ମହାପାତ୍ରଙ୍କ ପୁନଃ ପ୍ରବେଶ ଏବଂ ବିଜୁ ଜନତା ଦଳର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କର କେନ୍ଦ୍ରାପଡାରୁ ବିଜେପି ସାଂସଦ ପ୍ରାର୍ଥୀ ହେବା ବିଜୁ ଜନତା ଦଳକୁ ଭୀଷଣ ଚିନ୍ତିତ କରିପକାଇଛି। ବୈଜୟନ୍ତଙ୍କର ମୁକାବିଲା ପାଇଁ ଅଭିନେତା ଅନୁଭବ ମହାନ୍ତିଙ୍କୁ ମଇଦାନକୁ ଉତାରିଛନ୍ତି। ଜିଲାର କୌଣସି ନିର୍ବାଚନମଣ୍ଡଳୀ ସହ ଅନୁଭବଙ୍କର ସୂତାଏ ସମ୍ପର୍କ ନାହିଁ। ଏଣେ ଜିଲାର ବିଜେଡି ନେତାମାନଙ୍କ ଭିତରେ ଛକାପପ୍ତା ଏମିତି ସ୍ତରକୁ ଚାଲିଗଲାଣି ଯେ, ଆଗତୁରା ନିଜ ମୁଣ୍ଡରୁ ଦୋଷ ଛଡ଼ାଇବା ପାଇଁ ସେମାନେ ବାଟ ବାହାର କରିସାରିଲେଣି।
ଜୟ ପଣ୍ଡାଙ୍କ ସହ ଲଢ଼ାଇବା ପାଇଁ ବିଜୁ ଜନତା ଦଳର ନେତାମାନେ ଦିଲୀପ ରାୟଙ୍କୁ ମନାଇବା ପାଇଁ ବହୁ ଚେଷ୍ଟା କରିଥିଲେ। ପ୍ରତାପ ଦେବ, ଅତନୁ ଏବଂ ଏପରିକି ସଞ୍ଜୟ ଦାସବର୍ମାଙ୍କ ପରି ନେତାମାନେ ବାରମ୍ୱାର ଫୋନ ଯୋଗେ ତାଙ୍କ ସହ ଯୋଗାଯୋଗ କରିଥିଲେ। କିନ୍ତୁ ସେଥିରେ ସେ ରାଜି ହୋଇ ନଥିଲେ। ପରିଶେଷରେ ଅନୁଭବଙ୍କୁ ପ୍ରାର୍ଥୀ କରାଯାଇଛି। ଏହି ୨୦ ଦିନ ଭିତରେ ଅକ୍ଳାନ୍ତ ପରିଶ୍ରମ କରିବେ ବୋଲି କହିଛନ୍ତି। କିନ୍ତୁ ବିଜୁ ଜନତା ଦଳ ଘରସାରା ବଡ଼ ବଡ଼ ଫାଟ।
କେନ୍ଦ୍ରାପଡ଼ା ଜିଲା ବିଜେଡିରେ ମୁଖ୍ୟ କାର୍ପଟଦାର ହେବ ପାଇଁ ଆଗକୁ ବାହାରିଛନ୍ତି ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ପୂର୍ବରୁ ଅନ୍ୟସବୁ ନିର୍ବାଚନମଣ୍ଡଳୀରେ ସେ ଆଶାୟୀଙ୍କ ଏକ ଗୋଷ୍ଠୀ ତିଆରି କରିସାରିଥିଲେ। ପାଟକୁରାରେ ବେଦପ୍ରକାଶ ଅଗ୍ରୱାଲଙ୍କ ବଦଳରେ ପ୍ରାୟ ତିନିଜଣଙ୍କୁ ଟିକଟ ଆଶା ଦେଖାଇଥିଲେ ବୋଲି ଚର୍ଚ୍ଚା ହେଉଛି।ଏବେ ବେଦୁ ଟିକଟ ପାଇବା ପରେ ଏହି ଆଶାୟୀମାନେ ଅତନୁଙ୍କ ଉପରେ ରକ୍ତଚାଉଳ ଚୋବାଉଛନ୍ତି।
ରାଜନଗରରେ ଧ୍ରୁବ ସାହୁ ଟିକଟ ପାଇଛନ୍ତି। ସେଠାରେ ମଧ୍ୟ ବିଜୁ ଜନତା ଦଳର ବହୁ ଟିକଟ ଆଶାୟୀ ଥିଲେ। ଏବେ ତାଙ୍କୁ ବିରୋଧ ଆରମ୍ଭ ହୋଇଗଲାଣି। ସେଠାରେ ସବୁଠୁ ବଡ଼ ଟିକଟ ଦାବିଦାର ଥିଲେ ତେଜେଶ୍ୱର ପରିଡ଼ା। ଗତଥର ଟିକଟ ପାଉପାଉ ବଞ୍ଚିତ ହୋଇଥିଲେ। ନିଗମରେ ତାଙ୍କୁ ସନ୍ତୁଷ୍ଟ କରାଯାଇଥିଲା। କିନ୍ତୁ ଅତନୁ ତାଙ୍କୁ ଚାହାଁନ୍ତି ନାହିଁ। ତେବେ ଅତନୁ ସରୋଜ ସାହୁଙ୍କୁ ବିଧାୟକ ଟିକଟ ମିଳୁ ବୋଲି ଚାହାଁନ୍ତି।
କେନ୍ଦ୍ରାପଡ଼ା ବିଧାୟକ କିଶୋର ତରାଇ ଅତନୁଙ୍କର ଜଣେ ଦୃଢ଼ ସମର୍ଥକ। କିନ୍ତୁ ତାଙ୍କ ବିରୋଧରେ ଅଭିଯୋଗର ତାଲିକା ଖୁବ ଲମ୍ୱା। ତେଣୁ ତାଙ୍କୁ ଟିକଟ ମିଳିବା ସମ୍ଭାବନା କମ। ତେଣୁ କେନ୍ଦ୍ରାପଡ଼ାେ ଚର୍ଚ୍ଚା ଚାଲିଛି ଯେ, ଅତନୁ କିଶୋରଙ୍କ ବଦଳରେ ପତ୍ନୀ କବିତାଙ୍କୁ ଟିକଟ ଦେବ ପାଇଁ ଜୋରଦାର ଲବି ଚଳାଇଛନ୍ତି। ଏହି କବିତା ମଧ୍ୟ ମିଥ୍ୟା ସତ୍ୟପାଠ ମାମଲାରେ ଜଡ଼ିତ ହୋଇ ପଞ୍ଚାୟତ ନିର୍ବାଚନ ଲଢ଼ିପାରି ନଥିଲେ। କିଶୋରଙ୍କ ନାମେ ମଧ୍ୟ ମିଥ୍ୟା ସତ୍ୟପାଠ ମାମଲା ଅଛି। ସେ ବାପାଙ୍କ ନାଁ ବଦଳାଇ ଦେଇଥିବା ଅଭିଯୋଗ ହୋଇଥିଲା। ପତ୍ନୀ କବିତା ଓ ବବିତା ନାମକୁ ନେଇ ଛନ୍ଦି ହୋଇପଡ଼ିଥିଲେ। ଏବେ ତାଙ୍କୁ ବିଜେଡି ଟିକଟ ଦେବା ସକାଶେ ଅତନୁଙ୍କ ଚାପ ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି କରିଛି।
ଆଳି ପ୍ରାର୍ଥୀ ପ୍ରତାପ ଦେବ ଓ ଅତନୁଙ୍କ ବିବାଦ ସମସ୍ତଙ୍କୁ ଜଣା। ସେଠାରେ ମଧ୍ୟ ଅତନୁଙ୍କ ସମର୍ଥକମାନେ ଗତଥର ପରି ଏଥର ମଧ୍ୟ କଇଁଚି ମାରିବେ ବୋଲି ଚର୍ଚ୍ଚା ହେଉଛି। ଏପରି ସ୍ଥିତି ଭିତରେ ଗତକାଲି କେନ୍ଦ୍ରାପଡ଼ାକୁ ଆସିଥିଲେ ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତି। ଏହି ଆୟୋଜନର ମୁଖ୍ୟ କାର୍ପଟଦାର ଥିଲେ ଅତନୁ। ଯେତେ ଅର୍ଥ ଖର୍ଚ୍ଚ ହେଉ ପଛେ ଅନୁଭବଙ୍କୁ ଜିତାଇବାକୁ ପଡ଼ିବ ବୋଲି ବିଜେଡିର କୋର ଟିମବୈଠକରେ ଆଲୋଚନା ହୋଇଥିଲା।ତେଣୁ ଆଶା କରାଯାଉଛି ଯେ, ଜୟଙ୍କୁ ହରାଇବା ପାଇଁ ବିଜେଡି କୋଟି କୋଟି ଟଙ୍କା ଉଡ଼ାଇବାକୁ ପ୍ରସ୍ତୁତ।
ସବୁ ଆସନରେ ନିଜ ମନୋନୀତ ପ୍ରାର୍ଥୀଙ୍କୁ ଟିକଟ ନମିଳିଲେ ଅତନୁ ବାବୁ ଅନୁଭବଙ୍କୁ କେମିତି ଜିତାଇବେ ବୋଲି ତାଙ୍କ ସମର୍ଥକମାନେ କହି ବୁଲିଲେଣି। ତେଣୁ ପାଟକୁରା ଓ କେନ୍ଦ୍ରାପଡ଼ାରେ ଅତନୁଙ୍କ ପ୍ରାର୍ଥୀ ହିଁ ବିଜେଡି ପ୍ରାର୍ଥୀ ହେବେ ବୋଲି ଜୋରସୋରରେ ଚର୍ଚ୍ଚା ହେଉଛି।