କେନ୍ଦ୍ରାପଡ଼ାରେ ସଙ୍ଗରୋଧ ଭେଳିକି: ତିନି ପ୍ରବାସୀଙ୍କୁ ଗୋଟିଏ ଖଟ

କେନ୍ଦ୍ରାପଡ଼ା, (ପ୍ରଦୀପ କୁମାର ଜେନା):ଲକଡାଉନ ଯୋଗୁ ସମଗ୍ର ଦେଶରେ ବିଭିନ୍ନ ସ୍ଥାନରେ ଫଶି ରହିଥିବା ପ୍ରବାସୀଙ୍କ ମଧ୍ୟରେ ନିଜ ଭିଟାମାଟିକୁ ଫେରିବାକୁ ଦିନକୁ ଦିନ ବ୍ୟଗ୍ରତା ବଢୁଛି । ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲାର ହଜାର ହଜାର ଲୋକ ସମଗ୍ର ଦେଶ ଓ ବିଦେଶରେ ଫସି ରହିଥିବା ଶ୍ରମିକମାନେ ମଧ୍ୟ ନିଜ ଘରକୁ ଫେରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ହେଲେ ସେମାନଙ୍କ ଏକାନ୍ତବାସ ଲାଗି କୌଣସି ବ୍ୟବସ୍ଥା ହୋଇ ନାହିଁ। ଜିଲ୍ଲାରେ ଯେତିକି ଶ୍ରମିକ ଗାଁ ଫେରିବାକୁ ପଞ୍ଜିକରଣ କରିଛନ୍ତି ସେମାନଙ୍କ ତୁଳନାରେ ପ୍ରଶାସନ ପକ୍ଷରୁ ତିଆରି କରାଯାଇଥିବା ଅସ୍ଥାୟୀ କୋଭିଡ୍‌ ହସ୍‌ପିଟାଲ୍‌ ଓ ବେଡ୍‌ ସଂଖ୍ୟା ଯଥେଷ୍ଟ କମ୍‌। ଏପରିକି ତିନିଜଣ ଶ୍ରମିକଙ୍କ ପାଇଁ ଗୋଟିଏ ବେଡ୍‌ ପକାଯାଇଥିବା ହିସାବରୁ ଜଣାପଡ଼ିଛି।

କେନ୍ଦ୍ରାପଡ଼ା ଜିଲ୍ଲାର ୬୮ ହଜାର ୫୬୭ ଜଣ ଲୋକ ନିଜ ଘରକୁ ଫେରିବା ପାଇଁ ପଞ୍ଜିକରଣ କରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଏମାନେ ଗାଁକୁ ଫେରିଲେ ଘରକୁ ଯାଇପାରିବେ ନାହିଁ। ସେମାନଙ୍କୁ ଏକାନ୍ତବାସରେ ୧୪ ଦିନ କାଟିବାକୁ ହେବ। ହେଲେ ସେଥିଲାଗି ବ୍ୟବସ୍ଥା ଏଯାଏ ହୋଇ ନାହିଁ। ଜିଲ୍ଲା ପ୍ରଶାସନ ସୂଚନା ଅନୁସାରେ  ଜିଲ୍ଲାରେ ସମୁଦାୟ ୨୪ ହଜାର୨୪୧ଟି ଆଇସୋଲେସନ୍‌ ବେଡ୍‌ ପ୍ରସ୍ତୁତ କରାଯାଇଛି। ଅର୍ଥାତ୍‌ ଗୋଟିଏ ବେଡ୍‌ରେ ପ୍ରାୟ ୩ଜଣ ଶ୍ରମିକଙ୍କୁ ଏକାଠି ରହିବାକୁ ପଡ଼ିପାରେ। ଏଭଳି ଏକ ସମୟରେ କରୋନାକୁ ମାତ୍‌ ଦିଆଯିବ କିପରି? ପୁଣି ଏହି ଶ୍ରମିକ କ୍ୟାମ୍ପରେ ଯଦି କରୋନା ବ୍ୟାପେ ତେବେ ତାହାକୁ ରୋକିବ କିଏ?

କେନ୍ଦ୍ରାପଡ଼ା ଜିଲ୍ଲା ଏକ ଶିଳ୍ପବିହୀନ ଜିଲ୍ଲା ହୋଇଥିବାରୁ ଏହି ଜିଲ୍ଲାରୁ ହଜାର ହଜାର ଲୋକ ଦେଶର ବିଭିନ୍ନ ସ୍ଥାନରେ ଦାଦନ ଶ୍ରମିକ ଭାବେ କାମ କରି ଜୀବୀକା ନିର୍ବାହ କରୁଛନ୍ତି । ଅପରପକ୍ଷେ କେନ୍ଦ୍ରାପଡ଼ା ଜିଲ୍ଲା ରାଜ୍ୟରେ ଆଉ  ଏକ ଦାଦନପ୍ରବଣ ଜିଲ୍ଲା ଭାବେ ଜଣାଶୁଣା । କେନ୍ଦ୍ରାପଡ଼ା ଜିଲ୍ଲାର ହଜାର ହଜାର ଯୁବକ ମହାରାଷ୍ଟ୍ର, ଗୁଜୁରାଟ, ଦିଲ୍ଲୀ, ରାଜସ୍ଥାନ, ପଞ୍ଜାବ, ଜାମ୍ମୁ କାଶ୍ମୀର, ତାମିଲନାଡ଼ଡ଼ୁ, କର୍ଣ୍ଣାଟକ, କେରଳ, ଗୋଆ, କଲିକତା, ହରିଆନା, ହିମାଚଳପ୍ରଦେଶ, ଆନ୍ଦ୍ରପ୍ରଦେଶ, ତେଲେଙ୍ଗାନା ଆଦି ରାଜ୍ୟରେ ପାଣିପାଇପ ମିସ୍ତ୍ରୀ ଓ ଶ୍ରମିକ ଭାବେ କାମ କରୁଥିବା ବେଳେ ଗୁଜୁରାଟର ସୂତା ଓ ଲୁଗା କାରଖାନାମାନଙ୍କରେ ଅନେକ ଶ୍ରମିକ ଓ କାରିଗର ଭାବେ କାମ କରି ଜୀବୀକା ନିର୍ବାହ କରୁଛନ୍ତି । ସେହିପରି କେରଳ ଓ କର୍ଣ୍ଣାଟକର ଫ୍ଲାଏଉଡ଼ କାରଖାନା, ତାମିଲନାଡ଼ୁର ଲୁହା କାରଖାନା ଓ ଅନ୍ୟ ରାଜ୍ୟମାନଙ୍କରେ ଥିବା ବିଭିନ୍ନ ଶିଳ୍ପ ସଂସ୍ଥାରେ ଦାଦନ ଶ୍ରମିକ ଭାବେ କାମ କରି ଜୀବୀକା ଅର୍ଜନ କରୁଛନ୍ତି । ହେଲେ ଲକଡାଉନ ଯୋଗୁ ସାରା ଦେଶରେ ଶିଳ୍ପ ସଂସ୍ଥା ବନ୍ଦ ହୋଇଯିବାରୁ ସେଠାରେ ଶ୍ରମିକ ଓ କାରିଗର ଭାବେ କାମ କରୁଥିବା କେନ୍ଦ୍ରାପଡ଼ା ଜିଲ୍ଲାର ହଜାର ହଜାର ଶ୍ରମିକଙ୍କର ହାତ ବନ୍ଦ ହୋଇଯିବା ସହ ରୋଜଗାର ମଧ୍ୟ ବନ୍ଦ ହୋଇଯାଇଛି । ଏହି ପରିସ୍ଥିତିରେ ଅନେକ ଶ୍ରମିକଙ୍କ ହାତରୁ ସଂଚିତ ପଇସା ସରି ଯାଇଛି ଓ ସେମାନେ କାମ କରୁଥିବା ଶିଳ୍ପ ସଂସସ୍ଥାର ମାଲକମାନେ ଶ୍ରମିକ ଓ କାରିଗରମାନଙ୍କୁ କୌଣସି ସହୟତାର ହାତ ବଢାଉନଥିବା ଯୋଗୁ ଶ୍ରମିକମାନେ ନିଜ ଭିଟାମାଟିକୁ ଫେରିଆସି ପରିବାର ଲୋକଙ୍କ ମୁହଁ ଦେଖିବାକୁ ଚାହୁଁଛନ୍ତି ।

ମିଳିଥିବା ତଥ୍ୟ ଅନୁସାରେ ଆଳି ବ୍ଲକର ୫୫୨୨ ଜଣ ଶ୍ରମିକଙ୍କ ସହିତ ୪୭୪୫ ଜଣ ତାଙ୍କ ପରିବାର ଲୋକେ, ଡେରାବିଶ ବ୍ଲକର ୨୪୫ ଜଣ ଶ୍ରମିକଙ୍କ ସହିତ ୧୪୯୦ ଜଣ ତାଙ୍କ ପରିବାର ଲୋକେ, ଗରଦପୁର ବ୍ଲକର ୨୦୦୯ଶ୍ରମିକଙ୍କ ସହିତ ୧୨୪୪ ଜଣ ତାଙ୍କ ପରିବାର ଲୋକ, କେନ୍ଦ୍ରାପଡ଼ା ବ୍ଲକର ୩୧୨୦ଜଣ ଶ୍ରମିକଙ୍କ ସହିତ ୨୫୮୮ ଜଣ ତାଙ୍କ ପରିବାର ଲୋକ, ମହାକଳପଡ଼ା ବ୍ଲକର ୪୯୫୨ ଜଣ ଶ୍ରମିକଙ୍କ ସହିତ ୩୫୮୬ ଜଣ ତାଙ୍କ ପରିବାର ଲୋକ, ମାର୍ଶାଘାଇ ବ୍ଲକର ୨୯୮୬ ଜଣ ଶ୍ରମିକଙ୍କ ସହିତ ୨୨୮୩ ଜଶ ତାଙ୍କ ପରିବାର ଲୋକ, ପଟାମୁଣ୍ଡାଇ ବ୍ଲକର ୬୯୯୧ ଜଣ ଶ୍ରମିକଙ୍କ ସହିତ ୪୯୦୭ ଜଣ ତାଙ୍କ ପରିବାର ଲୋକ, ରାଜକନିକା ବ୍ଲକର ୬୭୮୦ ଜଣ ଶ୍ରମିକଙ୍କ ସହିତ ୪୧୭୭ ଜଣ ତାଙ୍କ ପରିବାର ଲୋକ ରାଜନଗର ବ୍ଲକର ୫୫୮୫ ଜଣ ଶ୍ରମିକଙ୍କ ସହିତ ୩୨୦୯ ଜଣ ତାଙ୍କ ପରିବାର ଲୋକ, ପଟାମୁଣ୍ଡାଇ ପୌରାଂଚଳର ୨୪୫ ଶ୍ରମିକ ଓ ୫୬୨ ଜଣ ତାଙ୍କ ପରିବାର ଲୋକ ଓ କେନ୍ଦ୍ରାପଡ଼ା ପୌରାଂଚଳର ୨୦୮ ଜଣ ଶ୍ରମିକଙ୍କ ସହିତ ୨୧୩ ଜଣ ତାଙ୍କ ପରିବାର ଲୋକ ଅନ୍ୟ ରାଜ୍ୟରୁ ନିଜ ଭିଟାମାଟିକୁ ଫେରିବାକୁ ଏବେ ସୁଦ୍ଧା ପଞ୍ଜିକରଣ କରିଛନ୍ତି ।

ଏହାବାଦ ବହୁସଂଖ୍ୟକ କେନ୍ଦ୍ରାପଡ଼ିଆ ବିଦେଶ(ମୁଖ୍ୟତଃ ଉପସାଗରୀୟ ଦେଶ)ରେ ରହି ଶ୍ରମିକ ଭାବେ କାମ କରୁଛନ୍ତି ଓ ବିଦେଶରେ କରୋନା ସଂକ୍ରମଣ ଗୁରୁତର ଅବସ୍ଥାରେ ଥିବାରୁ ଗତ ୨୪ ତାରିଖରେ ଆରମ୍ଭ ହୋଇଥିବା ଏହି ପଞ୍ଜିକରଣ ଆସନ୍ତା ୩୦ ତାରିଖରେ ଶେଷ ହେବ । ପ୍ରତି ଘଂଟାରେ ପଞ୍ଜିକରଣ ପୋର୍ଟାଲରେ ୧ ହଜା ପଞ୍ଜିକରଣ ହେଉଥିବାରୁ ଆସନ୍ତା ୩୦ ତାରିଖ ସୁଦ୍ଧା ପଞ୍ଜିକରଣ ସଂଖ୍ୟା ଅଧିକ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

ଅନ୍ୟପକ୍ଷରେ ଘରବାହୁଡ଼ାରେ ଆସିବାକୁ ଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ଜିଲ୍ଲାରେ ଏବେ ସୁଦ୍ଧା ମାତ୍ର ୨୪ ହଜାର୨୪୧ଟି ସଙ୍ଗରୋଧ ବେଡ ବ୍ୟବସ୍ଥା ହୋଇଛି। ଘରବାହୁଡ଼ା ଲକ୍ଷାଧିକ ପ୍ରବାସୀମାନେ ଆସି ଜିଲ୍ଲାରେ ପହଂଚିବା ପରେ ସେମାନେ କେଉଁଠାରେ ରହିବେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଘରବାହୁଡ଼ା ପ୍ରବାସୀଙ୍କ ରହିବା ଓ ଖାଇବା ପାଇଁ ତୁରନ୍ତ ବ୍ୟବସ୍ଥା କରାନଗଲେ ଅବସ୍ଥା ଯେ ଗୁରୁତର ନହେବ ତାହା କହିହେବ ନାହିଁ ।

ସାରା ରାଜ୍ୟରେ ଏହି ସ୍ଥିତି ରହିଛି। ସରକାରଙ୍କ ସୂଚନା ଅନୁସାରେ ବିଭିନ୍ନ ରାଜ୍ରଷର ଥିବା ସାଢ଼େ ସାତ ଲକ୍ଷ ଶ୍ରମିକଙ୍କ ଭିତରୁ ୫ ଲକ୍ଷ ଓଡ଼ିଶା ଫେରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।ଏମାନଙ୍କ ରହିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ସରକାର କହୁଥିଲେ ମଧ୍ୟ ଏଯାଏ ୭୧୦୨ଟି ଅସ୍ଥାୟୀ ସ୍ଵାସ୍ଥ୍ୟକେନ୍ଦ୍ରରେ ୨ ଲକ୍ଷ ୨୭ ହଜାର ଶଯ୍ୟା ପକାଯାଇଛି। ଅର୍ଥାତ୍‌ ଦୁଇଜଣରୁ ଅଧିକ ରୋଗୀଙ୍କ ପାଇଁ ଗୋଟିଏ ଶଯ୍ୟା ପକାଯାଇଛି । ଏ ସମ୍ବନ୍ଧରେ ଓଡ଼ିଶାଟାଇମ୍‌ରେ ପୂର୍ବରୁ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏହାକୁ ପଢ଼ିବା ଲାଗି ଏଠାରେ କ୍ଲିକ୍‌ କରନ୍ତୁ। 

Leave a Reply

Your email address will not be published.