ବିଦେଶ ଫେରନ୍ତାଙ୍କୁ ନେଇ ଆତଙ୍କିତ କେନ୍ଦ୍ରାପଡ଼ା
କେନ୍ଦ୍ରାପଡା଼,(ପ୍ରଦୀପ ଜେନା):କରୋନା ଭାଇରସକୁ ନେଇ ସମଗ୍ର ବିଶ୍ୱରେ ଏବେ ଆତଙ୍କ ସୃଷ୍ଟି ହୋଇଥିବା ସହ କେନ୍ଦ୍ରାପଡ଼ା ଜିଲ୍ଲାର ଲୋକମାନେ ମଧ୍ୟ ଆତଙ୍କିତ ହୋଇପଡ଼ିଛନ୍ତି । ମୁଖ୍ୟତଃ ବିଦେଶରୁ ଦେଶକୁ ଆସୁଥିବା ଲୋକଙ୍କ ମାଧ୍ୟମରେ କୋରନା ଭାଇରସ ଦେଶକୁ ପ୍ରବେଶ କରି ବହୁ ଲୋକଙ୍କୁ ଆକ୍ରାନ୍ତ କରିଛି ଓ ଆକ୍ରାନ୍ତ ମଧ୍ୟରୁ କିଛି ଲୋକ ମୃତ୍ୟୁ ମୁଖରେ ପଡ଼ିଛନ୍ତି । କରୋନା ଭାଇରସ ଭାରତକୁ ପ୍ରବେଶ କରି କାୟା ବିସ୍ତାର କରିବା ପରେ ବିଭିନ୍ନ ରାଜ୍ୟର ଲୋକମାନେ ଆକ୍ରାନ୍ତ ହୋଇଛନ୍ତି । ଓଡ଼ିଶାକୁ ବିଦେଶରୁ ଆସିଥିବା ଲୋକଙ୍କ ମଧ୍ୟରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତ । କରୋନା ଆକ୍ରାନ୍ତ ଦେଶ ଓ ରାଜ୍ୟରେ ରହି ଚାକିର ବା କାମଧନ୍ଦା କରୁଥିବା ଲୋକମାନେ ଆତଙ୍କିତ ହୋଇ ଏବେ ହଜାର ହଜାର ସଂଖ୍ୟାରେ ରାଜ୍ୟକୁ ଫେରୁଛନ୍ତି ।
ଏହି ଘରବାହୁଡ଼ା ଲୋକେ କରୋନା ରୋଗରେ ଆକ୍ରାନ୍ତ ହୋଇଥିବା ନେଇ ସନ୍ଦେହ ପ୍ରକାଶ ପାଉଛି । ଏହି ପରିପ୍ରେକ୍ଷୀରେ ବିଦେଶ ଫେରନ୍ତାଙ୍କୁ ନେଇ ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲାରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି ।କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରାୟ ୪୦ ପ୍ରତିଶତ ଲୋକେ ଅନ୍ୟ ରାଜ୍ୟରେ ବା ବିଦେଶର ରହି ରୋଜଗାର କରନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାର ବହୁ ଲୋକ ସାଉଦି ଆରବ, ଇରାକ, ଇରାନ, କତାର, କୁଏତ, ନେପାଳ ଆଦି ଦେଶରେ ରହି ପାଣି ପାଇପ ମିସ୍ତ୍ରୀ ଭାବ କାମ କରୁଥିବା ବେଳେ ଅନେକ ଲୋକ ଗ୍ୟାରେଜରେ ଅଟୋମାବାଇଲ ମେକାନିକ ଓ ଟେଲର ବା ଅନ୍ୟ କିଛି କାମ କରି ରୋଜଗାର କରି ପରିବାର ପ୍ରତିପୋଷଣ କରୁଛନ୍ତି । ଏଥିସହ ଜିଲ୍ଲାର ହଜାର ହଜାର ଯୁବକ ମଧ୍ୟ କାଶ୍ମୀର ଠାରୁ ଆରମ୍ଭ କରି କନ୍ୟାକୁମାରୀ ପର୍ଯ୍ୟନ୍ତ ବିଭିନ୍ନ ସହରରେ ରହି କାମ କରୁଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଗ୍ରାମରୁ କିଏ ଦିଲ୍ଲୀ ତ କିଏ ସୁରତ, କିଏ ବାଙ୍ଗୋଲୋର ତ କିଏ ହାଇଦ୍ରାବାଦ ଯାଇଛନ୍ତି ରୋଜଗାର ଅନ୍ୱେଷଣରେ । କରୋନା ଆତଙ୍କ ସୃଷ୍ଟି ହେବା ପରେ ରୋଜଗାର ଖୋଜି ବିଦେଶ ବା ଦେଶର ବିଭିନ୍ନ ରାଜ୍ୟକୁ ଯାଇଥିବା ଯୁବକମାନେ ଏବେ ନିଜ ଘରକୁ ଫେରିବା ଆରମ୍ଭ କରିଛନ୍ତି । ବିଶେଷ କରି କରୋନା ଆକ୍ରାନ୍ତ ଦେଶ ବା ରାଜ୍ୟରୁ ଏହି ଯୁବକମାନେ ଜିଲ୍ଲାକୁ ଫେରୁଥିବାରୁ ଜିଲ୍ଲାରେ ବସବାସ କରୁଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି । ବିଭିନ୍ନ ଦେଶ ଓ ସହରରୁ ଫେରି ଆସୁଥିବା ଯୁବକଙ୍କ ମଧ୍ୟରେ କରୋନା ଆକ୍ରାନ୍ତ ଥିବା ନେଇ ଜିଲ୍ଲାବାସୀ ସନ୍ଦେହ କରି ଆତଙ୍କିତ ହୋଇପଡ଼ିଛନ୍ତି । ବିଦେଶରୁ ବା ବିଭିନ୍ନ ସହରରୁ ଫେରୁଥିବା ଯୁବକଙ୍କ ମଧ୍ୟରୁ ଏବେ ସୁଦ୍ଧା କେହି କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ନଜରକୁ ଆସିନଥିଲେ ବି ସମସ୍ତଙ୍କ ରକ୍ତ ନମୁନା ପରୀକ୍ଷା ପରେ ବିଦେଶ ଫେରନ୍ତାଙ୍କ ମଧ୍ୟରେ ଯେକହି କରୋନା ଆକ୍ରାନ୍ତ ନଥିବେ ତାହା କହି ହେବ ନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ବିଦେଶ ବା ବିଭିନ୍ନ ସହରରୁ ନିଜ ଗାଁକୁ ଫେରି ଆସିଥିବା ଯୁବକମାନେ ସାମାଜିକ ଦୂରତ୍ୱ ରକ୍ଷା ନକରି ବା କ୍ୱେରେଂଟାଇନରେ ନରହି ସମସ୍ତଙ୍କ ସହିତ ମିଳାମିଶା କରୁଥିବା ସହ ବାଇକ ନେଇ ଗାଁକୁ ଗାଁ ବୁଲୁଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେବା ସହିତ ସାଧାରଣରେ ପ୍ରତିକ୍ରିୟା ସୃଷ୍ଟି ହେଉଛି ।