କେନ୍ଦ୍ରାପଡ଼ା ଲୋକସଭା ଆସନ: ବୈଜୟନ୍ତଙ୍କୁ କିଏ କରିବେ ମୁକାବିଲା?
କେନ୍ଦ୍ରାପଡ଼ା ( ପ୍ରଦୀପ କୁମାର ଜେନା): ନିର୍ବାଚନ କମିଶନଙ୍କ ପକ୍ଷରୁ ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ସମଗ୍ର ରାଜ୍ୟ ସମେତ କେନ୍ଦ୍ରାପଡ଼ା ରାଜନୀତିରେ ବେଶ ଉଷ୍ମତା ପରିଲକ୍ଷିତ ହୋଇଛି । ଗୋଟିଏ ପଟେ ବିଜେଡିର ବିଦ୍ରୋହୀ ତଥା ବିତାଡ଼ିତ ପ୍ରତିନିଧି ବୈଜୟନ୍ତଙ୍କ ନାଁ ବିଜେପିରୁ ପକ୍କା ହୋଇଥିବାବେଳେ ବିଜେଡି ଓ କଂଗ୍ରେସ କାହାକୁ ରଣାଙ୍ଗନକୁ ଓହ୍ଲାଇବେ ତାହା ଆଲୋଚନାର ବିଷୟ ହୋଇଛି । ଏପରି କ୍ଷେତ୍ରରେ କିଏ ସିପ୍ରା ମଲ୍ଲିକଙ୍କ ନାଁ କହୁଛି ତ କିଏ ସୁଜାତା କାର୍ତ୍ତିକେୟନ୍ଙ୍କ ନାଁ ।
ପୂର୍ବରୁ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବହୁ ମାଣ୍ୟଗଣ୍ୟ ତଥା ଜାତୀୟ ଓ ରାଜ୍ୟ ରାଜନୀତିରେ ଗୁରୁତ୍ୱ ବହନ କରୁଥିବା ବ୍ୟକ୍ତିମାନେ ନିର୍ବାଚିତ ହୋଇଥିବାରୁ ଆଗାମୀ ସାଧାରଣ ନିର୍ବାଚନରେ ଏହି ଲୋକସଭା ଆସନରୁ କିଏ ପ୍ରତିନିଧୀତ୍ୱ କରିବେ ସେନେଇ ସାଧାରଣରେ ଚର୍ଚ୍ଚା ଆଲୋଚନା ଜୋର ଧରିବା ସହ ରାଜନୈତିକ ମହଲରେ ମଧ୍ୟ ଅଙ୍କକଷା ଚାଲିଛି ।
ଅତୀତରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁୁ ନିର୍ବାଚିତ ହୋଇଥିବା ବ୍ୟକ୍ତିମାନେ ଜାତୀୟ ସ୍ତରରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି କେନ୍ଦ୍ରାପଡ଼ାକୁ ଚର୍ଚ୍ଚିତ କରିଛନ୍ତି । ପୂର୍ବରୁ ସୋସିଆଲିଷ୍ଟ ପାର୍ଟିରୁ ସୁରେନ୍ଦ୍ର ନାଥ ଦ୍ୱିବେଦୀ କେନ୍ଦ୍ରାପଡ଼ାରୁ ନିର୍ବାଚିତ ହୋଇ ଲୋକସଭାରେ ସୋସିଆଲିଷ୍ଟ ପାର୍ଟିିର ସଂସଦୀୟ ଦଳ ନେତା ଭାବେ ନିର୍ବାଚତ ହୋଇ ବିଭିନ୍ନ ଜାତୀୟ ପ୍ରସଙ୍ଗରେ ନିଜର ଦୃଢ ଯୁକ୍ତି ଉପସ୍ଥାପନ କରି ଚର୍ଚ୍ଚିତ ହୋଇଥିଲେ । ସେହିପରି ସୁରେନ୍ଦ୍ରନାଥ ମହାନ୍ତି, ପଂଚାନନ କାନୁନଗୋଙ୍କ ଭଳି ନେତାମାନେ କେନ୍ଦ୍ରାପଡ଼ାରୁ ଲୋକସଭାକୁ ପ୍ରତିନିଧୀତ୍ୱ କରିଥିବା ସମୟରେ ନିଜର ସ୍ୱତନ୍ତ୍ରତା ପାଇଁ ଜାତୀୟ ସ୍ତରରେ ଚର୍ଚ୍ଚିତ ହେବା ସହ କେନ୍ଦ୍ରାପଡ଼କୁ ଚର୍ଚ୍ଚାର ପରିସରକୁ ଆଣିଥିଲେ ।
ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କୁ କେନ୍ଦ୍ରପଡ଼ାବାସୀ ଲଗାତର ଭାବେ ୩ ଥର ନିର୍ବାଚିତ କରିଥିଲେ ଓ ୧୯୭୭ ମସିହା ସାଧାରଣ ନିର୍ବାଚନରେ ବିଜୁବାବୁ ଏଠାରୁ ନିର୍ବାଚିତ ହେବା ପରେ କେନ୍ଦ୍ରରେ ମୋରାରଜୀ ଦେଶାଇଙ୍କ ନେତୃତ୍ୱରେ ଗଠିତ ମନ୍ତ୍ରୀମଣ୍ଡଳରେ ଖଣି, ଇସ୍ପାତ ଓ କୋଇଲା ମନ୍ତ୍ରଣାଳୟର କ୍ୟାବିନେଟ ପାହ୍ୟା ମନ୍ତ୍ରୀ ପଦ ପାଇ ପାରିଥିଲେ । ସେହିପରି ଲୋକସଭାର ପୂର୍ବତନ ବାଚସ୍ପତି ରବି ରାୟ ୧୯୯୦ ମସିହାରେ କେନ୍ଦ୍ରାପଡ଼ାରୁ ନିର୍ବାଚିତ ହେବା ପରେ ଲୋକସଭାର ବାଚସ୍ପତି ହୋଇ ପ୍ରଥମ ଥର ପାଇଁ ଦଳ ବଦଳ ବିରୋଧ ଆଇନ ଲାଗୁ କରି ସମଗ୍ର ଦେଶରେ ନୂତନ ଉଦାହରଣ ସୃଷ୍ଟି କରିଥିଲେ ।
ସେହିପରି ୧୯୯୫ରେ ଏହି ଆସନରୁ ଶ୍ରୀକାନ୍ତ ଜେନା ନିର୍ବାଚିତ ହୋଇ ପ୍ରଧାନମନ୍ତ୍ରୀ ଏଚ.ଡି. ଦେବଗୌଡ଼ାଙ୍କ ମନ୍ତ୍ରୀମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ ଓ ସଂସଦୀୟ ବ୍ୟାପାର ବିଭାଗର ମନ୍ତ୍ରୀ ହୋଇପାରିଥିଲେ । ସବୁଠାରୁ ବଡ଼କଥା ହେଉଛି କେନ୍ଦ୍ରାପଡ଼ା ଆସନରୁ ପ୍ରାୟ ସବୁସମୟରେ କଂଗ୍ରେସ ବିରୋଧୀ ନେତାମାନେ ନିର୍ବାଚିତ ହୋଇଥିବାରୁ ଏହା ଏକ କଂଗ୍ରେସ ବିରୋଧୀ ସ୍ଥାନ ଭାବେ ସମଗ୍ର ଦେଶରେ ପରିଚିତ ହୋଇଆସିଛି ।
ଯେତେବେଳେ ସମଗ୍ର ଦେଶରେ ଓ ରାଜ୍ୟରେ କଂଗ୍ରେସ ହାୱା ବହୁଥିଲା ସେତେବେଳେ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀର ଲୋକମାନେ କଂଗ୍ରେସ ବିରୋଧରେ ଭୋଟ ଦେଇ ରାଜ୍ୟରେ ବିରୋଧୀ ରାଜନୀତିକୁ ବଂଚାଇ ରଖିଥିଲେ । ତେଣୁ କଂଗ୍ରେସ ବିରୋଧୀ ନେତାମାନେ ତାଙ୍କ ପାଇଁ କେନ୍ଦ୍ରାପଡ଼ାକୁ ଏକ ସୁରକ୍ଷିତ ସ୍ଥାନ ମନେକରି ଏଠାରୁ ନିର୍ବାଚନ ପ୍ରତିଦ୍ୱନ୍ଦିତା କରିବାକୁ ପସନ୍ଦ କରିଥାଆନ୍ତି । ଏହିକ୍ରମରେ ଶିଳ୍ପପତି ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ାରୁ ଲୋକସଭା ନିର୍ବାଚନରେ ଦୁଇ ଦୁୁଇ ଥର ପ୍ରତିଦ୍ୱନ୍ଦିତା କରି ନିର୍ବାଚିତ ହୋଇ ତାଙ୍କର ରାଜନୈତିକ କ୍ୟାରିୟର ଆରମ୍ଭ କରଛନ୍ତି । ଗତ ୪ଟି ସାଧାରଣ ନିର୍ବାଚନରେ ଏହି ଆସନକୁ ବିଜେଡି କରାୟତ କରିଥିଲେ ବି ଆଗାମୀ ସାଧାରଣ ନିର୍ବାଚନରେ ଏଠାରୁ ଲୋକସଭାକୁ କିଏ ପ୍ରତିନିଧୀତ୍ୱ କରିବ ସେ ନେଇ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କାରି ବୁଦ୍ଧିଜୀବୀ ଓ ରାଜନୈତିକ ମହଲରେ ଆଲୋଚନା ଜୋର ଧରିଛି । ପୂର୍ବତନ ଏମ.ପି. ବୈଜୟନ୍ତ ପଣ୍ଡା ଗତ ୨ଟି ନିର୍ବାଚନରେ ବିଜେଡି ପକ୍ଷରୁ ପ୍ରତିଦ୍ୱନ୍ଦିତା କରି ଲୋକସଭାକୁ ନିର୍ବାଚିତ ହୋଇଥିଲେ ।
ବୈଜୟନ୍ତ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବାରୁ ଆଗାମୀ ନିର୍ବାଚନରେ ଏଠାରେ ନିର୍ବାଚନ ଦୃଷ୍ୟପଟ୍ଟ ବଦଳିବାର ଆଶଙ୍କା କରାଯାଉଛି । ଏଠାରେ ବୈଜୟନ୍ତ ବିଜେପି ପକ୍ଷରୁ ପ୍ରତିଦ୍ୱନ୍ଦିତା କରିବାକୁ ଏକପ୍ରକାର ମନସ୍ଥ କରିଥିବା ଓ ତାଙ୍କୁ ପ୍ରାର୍ଥୀ କରିବାକୁ ବିଜେପି ସ୍ଥିର କରିଥିବା ଆଲୋଚନା ହେଉଥିବା ବେଳେ ବିଜେଡି ଓ କଂଗ୍ରେସ ପକ୍ଷରୁ ଏହି ସଚେତନ ତଥା ମର୍ଯ୍ୟାଦାପୂର୍ଣ୍ଣ ଆସନର କିଏ ପ୍ରତିଦ୍ୱନ୍ଦିତା କରିବ ତାହା ଏ ପର୍ଯ୍ୟନ୍ତ ସ୍ଥିର ହୋଇପାରୁ ନହିଁ । ତେବେ କେନ୍ଦ୍ରପଡ଼ା ଲୋକସଭା ଆସନ ବିଜେଡି ପାଇଁ ମର୍ଯ୍ୟାଦା ବହନ କରୁଥିବାରୁ କୌଣସି ପରିସ୍ଥିତିରେ ବି ବିଜେଡି ଏହି ଆସନକୁ ହାତଛଡ଼ା ହେବାକୁ ଦେବ ନାହିଁ ।
ହେଲେ ବିଜେପିର ପ୍ରାର୍ଥୀ ହୋବାକୁ ସ୍ଥିର ହୋଇଥିବା ପୂର୍ବତନ ବିଜେଡି ସାଂସଦ ବୈଜୟନ୍ତଙ୍କ ସହ କିଏ ପ୍ରତିଦ୍ୱନ୍ଦିତା କରିବ ତାହା ମଧ୍ୟ ବିଜେଡି ପକ୍ଷରୁ ସ୍ଥିର କରାଯାଇ ପାରୁନଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟ ପାଣ୍ଡିୟାନ୍ଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ୍ ବିଜେଡି ପକ୍ଷରୁ କେନ୍ଦ୍ରାପଡ଼ାରେ ପ୍ରତିଦ୍ୱନ୍ଦିତା କରିବେ ବୋଲି ସାଧାରଣରେ ଆଲୋଚନା ଜୋର ଧରିଛି । ସୁଜାତା କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ତରଡ଼ିପାଳ ଗ୍ରାମର ମୂଳବାସିନ୍ଦା ହୋଇଥିବାରୁ ବିଜେଡ଼ି ତାଙ୍କୁ ବୈଜୟନ୍ତଙ୍କ ବିପକ୍ଷରେ ପ୍ରାର୍ଥୀ କରିବାର ସମ୍ଭାବନା ରହିଥିବା ରାଜନୈତିକ ବ୍ୟକ୍ତିମାନେ ଆଶଙ୍କା କରୁଛନ୍ତି । ସୁଜାତା ପ୍ରାର୍ଥୀ ହେଲେ ବିଜେଡି ମହିଳା କାର୍ଡ଼ ଖେଳି ମହିଳାଙ୍କ ଭୋଟ ହାତେଇବାରେ ସକ୍ଷମ ହୋଇପାରେ ।
ଅନ୍ୟପକ୍ଷରେ କଂଗ୍ରେସ ପକ୍ଷରୁ ଏଠାରୁ କିଏ ପ୍ରତିଦ୍ୱନ୍ଦିତା କରିବ ସେନେଇ ଦଳ ପକ୍ଷରୁୁ କିଛି ସ୍ଥିର ହୋଇ ନାହିଁ । ଗତ ୨୦୧୪ ନିର୍ବାଚନରେ ଆଇନଜୀବୀ ଧରଣୀଧର ନାୟକ ଏଠାରୁ ପ୍ରତିଦ୍ୱନ୍ଦିତା କରି ପରାଜିତ ହେବା ପରେ ସଂଗଠନ ପ୍ରତି ଧ୍ୟାନ ନଦେବା ସହ କର୍ମୀ ଓ ଲୋକଙ୍କ ସହ ବିଶେଷ ସମ୍ପର୍କ ରଖିନଥିବାରୁ ତାଙ୍କୁ ଦଳ ଏଥର ପ୍ରାର୍ଥୀ ନକରିବାକୁ ଚିନ୍ତା କରୁଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି । ଅପରପକ୍ଷରେ ବିଜେଡି ଓ ବିଜେପିକୁ ଟକ୍କର ଦେବା ପାଇଁ ଧରଣୀଙ୍କ ସ୍ଥାନରେ କାହାକୁ ପ୍ରାର୍ଥୀ କରାଯିବ ତାହା ଦଳ ସ୍ଥିର କରିପାରୁ ନଥିବା କୁହାଯାଉଛି । ତେବେ ଧରଣୀଙ୍କ ଭଳି ଯୋଗ୍ୟ ପ୍ରାର୍ଥୀ ନମିଳିଲେ ଶେଷ ମୁହୂର୍ତରେ ଦଳ ତାଙ୍କୁ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି । ଏହି ପରିସ୍ଥିତିରେ କେନ୍ଦ୍ରପଡ଼ା ଲୋକସଭା ଆସନକୁ ନେଇ ବିଜେଡି ଓ କଂଗ୍ରେସ ମଧ୍ୟରେ ଏବେବି ଦ୍ୱନ୍ଦ ଲାଗିରହିଥିବା ରାଜନୈତିକ ସମୀକ୍ଷକମାନେ ମତଦେଉଛନ୍ତି ।