‘କେବିସି ୧୧’କୁ ମିଳିଲା ପ୍ରଥମ କୋଟିପତି

ଟେଲି ଦୁନିଆର ଲୋକପ୍ରିୟ ଶୋ’ ‘କୌନ୍ ବନେଗା କରୋଡ଼ପତି’ର ୧୧ତମ ସଂସ୍କରଣ ବେଶ୍ ସଫଳତାର ସହ ଆଗେଇ ଚାଲିଛି । ଏହି ରିଏଲିଟି ଶୋ’ରେ ୧ କୋଟି ଟଙ୍କା ଜିତିବାର ସୌଭାଗ୍ୟ ଲାଭ କରିଛନ୍ତି ବିହାର ବାସିନ୍ଦା ସନୋଜ୍ ରାଜ୍ । ସେ ୧୫ଟି ପ୍ରଶ୍ନର ସଠିକ୍ ଉତ୍ତର ଦେଇ ୧ କୋଟି ଟଙ୍କା ଜିତିଥିଲେ । ଶୋ’ ସମ୍ପର୍କରେ ସନୋଜ୍ କହିଛନ୍ତି ଯେ – ସେ ବିଗତ ୮ବର୍ଷ ହେଲା ଏହି ଶୋ’କୁ ଆସିବା ପାଇଁ ଚେଷ୍ଟା କରୁଥିଲେ । ତାଙ୍କର ଏହି ସ୍ୱପ୍ନ ପୁରଣ ହୋଇଯାଇଛି । ଟଙ୍କା ଜିତିବା ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଶୋ’ର ବିଜେତା ଭାବେ ଘୋଷିତ ହେବା ।

କହିରଖୁଛୁ ସନୋଜଙ୍କ ବାପା ହେଉଛନ୍ତି ଜଣେ ଗରିବ ଚାଷୀ । ସନୋଜ୍୍ ଓ ତାଙ୍କ ଭାଇ ଖୁବ୍ କଷ୍ଟରେ ପାଠପଢ଼ା ସାରିଛନ୍ତି । ଏବେ ସନୋଜ୍ ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ ମଧ୍ୟ ବର୍ତ୍ତମାନ ସେ ଆସିଷ୍ଟାଣ୍ଟ୍ କମାଣ୍ଡେଣ୍ଡ୍ ଭାବେ ସିଲେକ୍ଟ ହୋଇଛନ୍ତି । ୧ କୋଟି ଟଙ୍କା ପାଇବା ପରେ ସେ ତାହାକୁ କିଭଳି ଖର୍ଚ୍ଚ କରିବେ, ସେ ସମ୍ପର୍କରେ ଏବେ ତାଙ୍କ ପାଖରେ କୌଣସି ଯୋଜନା ନାହିଁ ବୋଲି ସନୋଜ୍ କହିଛନ୍ତି । ଅମିତାଭ ବଚ୍ଚନଙ୍କ ସହିତ ସାକ୍ଷାତକାରର ସ୍ୱପ୍ନ ମଧ୍ୟ ପୁରଣ ହୋଇଯାଇଛି ବୋଲି ସନୋଜ୍ କହିଥିଲେ । ୧ କୋଟି ଟଙ୍କାର ସଫଳତା ପରେ ଏବେ ସେ ନିଜ ପରିବାର, ବନ୍ଧୁବର୍ଗ ଓ ସାମାଜିକ ସ୍ତରରେ ଖୁବ୍ ପ୍ରଶଂସା ସାଉଁଟି ଚାଲିଛନ୍ତି ।

Leave a Reply

Your email address will not be published. Required fields are marked *