‘କେବିସି’ର ୱେଲକମ୍ ଡାଇଲଗକୁ ନେଇ ନିର୍ମାଣ ହେବ ଫିଲ୍ମ
‘କେବିସି’ର ୱେଲକମ୍ ଡାଇଲଗକୁ ନେଇ ଫିଲ୍ମ ନିର୍ମାଣ ହେବ ବୋଲି ସୂଚନା ମିଳିଛି । ‘ନମସ୍କାର ମେ ଅମିତାଭ୍ ବଚ୍ଚନ ବୋଲ୍ ରାହା ହୁଁ’ ନାମକ ଏହି ଅପକମିଙ୍ଗ ଫିଲ୍ମରେ ଆୟୁଷ୍ମାନ୍ ଖୁରାନା ମୁଖ୍ୟ ଭୂମିକାରେ ଆସିବେ । ଏଥିରେ ବିଗ୍ ବି ଓ ପ୍ରଶଂସକଙ୍କ ମଧ୍ୟରେ ଥିବା ମଧୁର ସମ୍ପର୍କର କାହାଣୀକୁ ପରଦା ଉପରକୁ ଅଣାଯିବ । ଏହା ପୂର୍ବରୁ ମଧ୍ୟ ତାରକା ଓ ପ୍ରଶଂସକଙ୍କ ସମ୍ପର୍କକୁ ନେଇ ଫିଲ୍ମ ନିର୍ମର୍ିତ ହୋଇସାରିଛି । ଏହାର ଏକ ଉଦାହରଣ ହେଉଛି ‘ମେ ମାଧୁରୀ ଦିକ୍ଷୀତ ବନନା ଚାହତି ହୁଁ’ । ଆୟୁଷ୍ମାନଙ୍କ ଫିଲ୍ମର କାହାଣୀ ଅନୁଯାୟୀ ଏକ କୌଣସି ଏକ ପରିସ୍ଥିତିରେ ପଡ଼ି ନାୟକ କହନ୍ତି ଯେ – ‘ନମସ୍କାର ମେ ଅମିତାଭ୍ ବଚ୍ଚନ ବୋଲ୍ ରାହା ହୁଁ’ । ଏହାପରେ ନାୟକଙ୍କ ଜୀବନରେ କ’ଣ ସବୁ ଘଟେ ତାହାକୁ ନେଇ କାହାଣୀ ଆଗକୁ ବଢିଛି ।
ରାଜ୍ ସାଣ୍ଡିଲ୍ୟ ଏହାର ନିର୍ଦ୍ଦେଶନା ଓ କାହାଣୀ ରଚନା ଦାୟିତ୍ୱ ନେଇଥିବାବେଳେ ଫିଲ୍ମ ନିର୍ମାତା ଭାବେ ଅଛନ୍ତି ଅଜୟ ସିଂ । ଏହି ଫିଲ୍ମ ସମ୍ପର୍କରେ ଏକ ବଡ଼ ଖବର ହେଉଛି ଏଥିରେ ଆୟୁଷ୍ମାନ୍ ବିଗ୍ ବିଙ୍କ ସ୍ୱରର ନକଲ କରିବେ । କହିରଖୁଛୁ ଅଭିନେତା ହେବା ପୂର୍ବରୁ ଆୟୁଷ୍ମାନ୍ ଜଣେ ରେଡିଓ ଜକି ଭାବେ କାମ କରୁଥିଲେ । ସେଲିବ୍ରିଟିଙ୍କ ସ୍ୱରର ନକଲ କରିବା ତାଙ୍କୁ ବେଶ୍ ଜଣା । ଏହି ଫିଲ୍ମ ବ୍ୟତୀତ ଆୟୁଷ୍ମାନ୍ ତାଙ୍କର ଆଉ ଏକ ଅପକମିଙ୍ଗ୍ ଫିଲ୍ମ ‘ଡ୍ରିମଗାର୍ଲ’ରେ ମଧ୍ୟ ଝିଅମାନଙ୍କ ସ୍ୱରରେ ଡାଇଲଗ୍ କହିବେ ବୋଲି ଚର୍ଚ୍ଚା ହେଉଛି ।