ମା’ ହୋଇପାରିବେନି କବିତା କୌଶିକ୍, ଜାଣନ୍ତୁ କାରଣ
ଟେଲି ଦୁନିଆର ଚର୍ଚ୍ଚିତ ଅଭିନେତ୍ରୀ କବିତା କୌଶିକ୍ କେବେ ମଧ୍ୟ ମା’ ହୋଇପାରିବେ ନାହିଁ ବୋଲି ଏକ ଖବର ଆସିଛି । ନିଜେ କବିତା ହିଁ ଏଭଳି ଏକ ଖବରକୁ ମିଡିଆ ସାମନାକୁ ଆଣିଛନ୍ତି । ନିକଟରେ ଏକ ମିଡିଆ ସାକ୍ଷାତକାରରେ କବିତାଙ୍କୁ ତାଙ୍କର ବ୍ୟକ୍ତିଗତ ଜୀବନ ସମ୍ପର୍କରେ କିଛି ପ୍ରଶ୍ନ କରାଯାଇଥିଲା । ଏହି ଧାରାରେ କବିତା କହିଥିଲେ ସେ କେବେ ମଧ୍ୟ ମା’ ହୋଇପାରିବେ ନାହିଁ । ବରଂ ଏଭଳି ମଧ୍ୟ କୁହାଯାଇପାରେ ଯେ କବିତା ମା’ ହେବାକୁ ଚାହୁଁନାହାନ୍ତି । କାରଣ କବିତାଙ୍କ କହିବା ଅନୁଯାୟୀ ଏବେ ତାଙ୍କୁ ୪୦ ବର୍ଷ । ୪୦ ବର୍ଷରେ ମା’ ହେବା ଅର୍ଥ ସନ୍ତାନକୁ ୨୦ ବର୍ଷ ହେଲା ବେଳକୁ ତା’ ଉପରେ ବୃଦ୍ଧ ପିତାମାତାର ଦାୟିତ୍ୱ ଆସିଯାଇଥିବ । ତେଣୁ ସନ୍ତାନର ହସଖୁସିର ସମୟରେ ପିତାମାତା ତା’ ଉପରେ ବୋଝ ହେବାକୁ ଚାହୁଁନାହାନ୍ତି ।
ଏହା ବ୍ୟତୀତ ନିଜେ କବିତା ଓ ତାଙ୍କର ସ୍ୱାମୀ ରୋନିତ୍ ଏହି ସବୁ ସମସ୍ୟା ଦେଇ ସଂଘର୍ଷ କରି ଆସିଛନ୍ତି । ରୋନିତ୍ ବହୁତ କମ୍ ବୟସରୁ ତାଙ୍କର ବାପା-ମା’ଙ୍କୁ ହରାଇ ଥିଲେ । ତେଣୁ ପରିବାରର ସମସ୍ତ ଦାୟିତ୍ୱ ରୋନିତଙ୍କ ଉପରେ ଥିଲା । କବିତା ମଧ୍ୟ କମ୍ ବୟସରୁ ପରିବାରର ଏଭଳି କିଛି ପରିସ୍ଥିତିର ସାମନା କରିସାରିଛନ୍ତି । ତେଣୁ ଏହି ଯୋଡ଼ି ତାଙ୍କ ସନ୍ତାନଙ୍କୁ ଏହି ସମସ୍ୟାର ସମ୍ମୁଖିନ ହେବାରୁ ଦୂରେଇ ରଖିବାକୁ ଚାହୁଁଛନ୍ତି । କବିତା ଆହୁରି ମଧ୍ୟ କହିଛନ୍ତି ସେ ସନ୍ତାନ ନହେବା ସମ୍ପର୍କରେ ତାଙ୍କର ଓ ରୋନିତଙ୍କ ମଧ୍ୟରେ ଏକମତ ରହିଛି । ତେଣୁ ସେମାନେ କେବେ ମଧ୍ୟ ସନ୍ତାନ ନହେବା ସମ୍ପର୍କରେ ଦୁଃଖ କରିନାହାନ୍ତି । ଏହି ଯୋଡ଼ି ଖୁବ୍ ଖୁସି ଅଛନ୍ତି ଏବଂ ଅନେକ ସମୟରେ ସୋସିଆଲ୍ ମିଡିଆରେ କବିତା ଓ ରୋନିତଙ୍କର କ୍ୱାଲିଟି ଟାଇମ୍ ଫଟୋକୁ ପ୍ରଶଂସକ ଖୁବ୍ ଲାଇକ୍ କରିଥାନ୍ତି ।