‘ଲକ୍ଷ୍ମୀ’କୁ ଛାଡ଼ି ‘ସୂର୍ଯ୍ୟବଂଶୀ’ ବାଛିଲେ କାଟ୍ରିନା

‘ଭାରତ’ ପରେ ଆଜିକାଲି ବାର୍ବିଡଲ୍ କାଟ୍ରିନା ତାଙ୍କର ଆଗାମୀ ଫିଲ୍ମ ‘ସୂର୍ଯ୍ୟବଂଶୀ’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଆଗାମୀ କିଛି ଦିନ ମଧ୍ୟରେ ଏହାର ସୁଟିଂ ଆରମ୍ଭ ହେବ । ଇତିମଧ୍ୟରେ ଏବେ ଖବର ଆସିଛି ଯେ ‘ସୂର୍ଯ୍ୟବଂଶୀ’ ସହିତ ସାଉଥ୍ ଫିଲ୍ମ ‘କଂଚନା’ର ହିନ୍ଦୀ ରିମେକ୍ ‘ଲକ୍ଷ୍ମୀ’ ପାଇଁ କାଟ୍ରିନାଙ୍କୁ ଅଫର୍ ମିଳିଥିଲା । କିନ୍ତୁ ଦୁଇଟି ଫିଲ୍ମ ମଧ୍ୟରୁ କାଟ୍ରିନା ‘ସୂର୍ଯ୍ୟବଂଶୀ’କୁ ଅଧିକ ଗୁରୁତ୍ୱ ଦେବା ସହ ‘ଲକ୍ଷ୍ମୀ’କୁ ରିଜେକ୍ଟ କରିଦେଇଥିଲେ । ଏଭଳି ନିଷ୍ପତ୍ତି ପଛର କାରଣ ମଧ୍ୟ ଜଣାପଡ଼ିଛି । କାଟ୍ରିନା ବହୁପୂର୍ବରୁ ରୋହିତ୍ ସେଟ୍ଟିଙ୍କ ସହିତ କାମ କରିବାକୁ ଚାହୁଁଥିଲେ । ତେଣୁ ରୋହିତଙ୍କ ପକ୍ଷରୁ ‘ସୂର୍ଯ୍ୟବଂଶୀ’ର ଅଫର୍ ତାଙ୍କ ପାଇଁ ଏକ ସୁବର୍ଣ୍ଣସୁଯୋଗ ଥିଲା । ତେଣୁ ସେ ଏହାକୁ ଜମାରୁ ହାତଛଡ଼ା କରିବାକୁ ଚାହୁଁନଥିଲେ ।

ଏହା ବ୍ୟତୀତ ରୋହିତ୍ ସେଟିଙ୍କ ନିର୍ଦ୍ଦେଶିତ ‘ସିମ୍ବା’ ଓ ଅନ୍ୟ ଫିଲ୍ମର ସଫଳତା କାଟ୍ରିନାଙ୍କୁ ପ୍ରଭାବିତ କରିଥିଲା । ତେଣୁ ସେ ରୋହିତଙ୍କ ନିର୍ଦ୍ଦେଶନାରେ ଏକ ଫିଲ୍ମ କରିବାକୁ ଚାହୁଁଥିଲେ । ତେବେ ‘ଲକ୍ଷ୍ମୀ’ ପାଇଁ କାଟ୍ରିନାଙ୍କ ସ୍ଥାନରେ କିୟାରା ଆଡଭାନୀଙ୍କୁ ସାଇନ୍ କରାଯାଇଥିବାର ଖବର ଆସିଛି । ରୋହିତ ସେଟ୍ଟିଙ୍କ ନିର୍ଦ୍ଦେଶିତ ଆକ୍ସନ୍ ଭିତ୍ତିକ ଫିଲ୍ମ ‘ସୂର୍ଯ୍ୟବଂଶୀ’ ମାଧ୍ୟମରେ ପୁଣିଥରେ ଦୀର୍ଘ ୯ ବର୍ଷ ପରେ ଖିଲାଡ଼ି କୁମାର ଅକ୍ଷୟ ଓ କାଟ୍ରିନାଙ୍କ କେମେଷ୍ଟ୍ରୀ ଦେଖିବାକୁ ମିଳିବ ।

Leave a Reply

Your email address will not be published. Required fields are marked *