କଶ୍ମୀରରେ ଅସ୍ଥିରତାର କାରଣ କ’ଣ ?
ଗତକିଛି ଦିନ ଧରି କାଶ୍ମୀରରେ ଏକ ଅସ୍ଥିର ପରିସ୍ଥିତି ସୃଷ୍ଟି ହୋଇଛି। ଆଉ ଏହି ଅସ୍ଥିରତାର ଧାରା ଦିଲ୍ଲୀ ରାଜନୀତିରେ ମଧ୍ୟ ଦେଖିବାକୁ ମିଳିଲାଣି। ଶୁକ୍ରବାର ଅମରନାଥ ଯାତ୍ରା ରୋକିବାର ନିଷ୍ପତ୍ତି ପରେ ଲାଗୁଛି କିଛି ବଡ଼ ଘଟଣା ଘଟିପାରେ କାଶ୍ମୀରରେ। ତେବେ ଏହା ବାହାର ଶକ୍ତିକୁ ନେଇ ବିପଦ ନା ଆଭ୍ୟନ୍ତରୀଣ ସମସ୍ୟାର ସମାଧାନ ତାହା ଅସ୍ପଷ୍ଟ ରହିଛି।
ଧାରା ୩୫-ଏ

ମୋଦୀ ସରକାରଙ୍କୁ ଲାଗୁଛି ଯେ, ଧାରା ୩୫-ଏ ଉଚ୍ଛେଦ କରିବାର ଏହା ବର୍ତ୍ତମାନ ସଠିକ ସମୟ। ଆସନ୍ତା ସପ୍ତାହରେ ଏହାକୁ ନେଇ ଏକ ଆବେଦନ ଉପରେ ଶୁଣାଣୀ ମଧ୍ୟ ହୋଇପାରେ। ଯେଉଁଥିରେ ଏହି ଧାରାର ବୈଧତାକୁ ନେଇ ପ୍ରଶ୍ନ ଉଠାଯାଉଛି। ସରକାର ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖି କହିପାରନ୍ତି ଯେ, ଆମକୁ ଏହି ଧାରାର ଉଚ୍ଛେଦ ପାଇଁ କୌଣସି ଆପତ୍ତି ନାହିଁ। ସୂଚନାଯୋଗ୍ୟ ଯେ, ଧାରା ୩୫-ଏ ଅନ୍ତର୍ଗତ ଜାମ୍ମୁ-କଶ୍ମୀରରେ ସେଠାକାର ମୂଳ ଅଧିବାସୀଙ୍କ ବ୍ୟତିରେକେ ଦେଶର ଅନ୍ୟ କୌଣସି ରାଜ୍ୟର ଲୋକେ କୌଣସି ପ୍ରକାର ସମ୍ପତ କ୍ରୟ କରିପାରିବେ ନାହିଁ। ସେମାନେ ମଧ୍ୟ ସେଠାକାର ନାଗରିକ ହୋଇପାରିବେ ନାହିଁ। ୧୯୫୪ରେ ଏହି ଧାରାକୁ ଧାରା ୩୭୦ ଅନ୍ତର୍ଗତ ଦିଆଯାଇଥିବା ଅଧିକାରରେ ଯୋଡ଼ା ଯାଇଛି।
ତିନି ତଲାକରୁ ବଢ଼ିଛି ସାହାସ

ଧାରା ୩୭୦ ହଟାଇବା ବିଜେପିର ରାଜନୈତିକ ଏଜେଣ୍ଡାରେ ରହିଛି। ଯଦି ସରକାର ଏହା ଉପରେ କୌଣସି ନିଷ୍ପତ୍ତି ନିଅନ୍ତି ତେବେ ଏହାକୁ ସଂସଦର ମଞ୍ଜୁରୀ ମିଳିବା ଆବଶ୍ୟକ। ତିନି ତଲାକ ଏବଂ ଆରଟିଆଇ ଆଇନ ଭଳି ବିଲ ଉପରେ ରାଜ୍ୟସଭାରେ ବିରୋଧୀଙ୍କୁ ଚିତ କରିବା ପରେ ଏବେ ବିଜେପିକୁ ଲାଗୁଛି ଏହି ପ୍ରସଙ୍ଗରେ ଆଗକୁ ବଢ଼ାଯାଇପାରେ। ଏଥିସହ ରାଜନୈତିକ ରୂପରେ ମଧ୍ୟ ଏହାକୁ ବିରୋଧ କରିବା ଏବେ ସହଜ ହେବ ନାହିଁ। ଏଥିସହ ସୀମା ନିର୍ଦ୍ଧାରଣ ରିପୋର୍ଟକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ଏହାପରେ ବିଜେପିର ଲକ୍ଷ୍ୟ ହେଉଛି ଜନସଂଖ୍ୟା ହିସାବରେ ନୂଆଧାରାରେ ବିଧାନସଭା ଆସନ ସଂଖ୍ୟା ସ୍ଥିର କରାଯାଉ। ଏହାଦ୍ୱାରା ଜାମ୍ମୁକୁ ଅଧିକ ଆସନ ମିଳିବ ଏବଂ ହିନ୍ଦୁ ମୁଖ୍ୟମନ୍ତ୍ରୀ ହେବାର ରାସ୍ତା ପରିଷ୍କାର ହେବ।
ବିଧାନସଭା ନିର୍ବାଚନକୁ ନେଇ ଚର୍ଚ୍ଚା
କଶ୍ମୀରକୁ ନେଇ କିଛି ବଡ଼ ନିଷ୍ପତ୍ତିର ସମ୍ଭାବନା ଭିତରେ ଏହା ମଧ୍ୟ କୁହାଯାଉଛି ଯେ, ସରକାର ଏବେ ଏଠାରେ ବିଧାନସଭା ନିର୍ବାଚନ ନିମନ୍ତେ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। କାର୍ଯ୍ୟକ୍ରମ ଅନୁସାରେ ଶୀତଋତୁ ଆରମ୍ଭ ପୂର୍ବରୁ ଅକ୍ଟୋବର କିମ୍ୱା ନଭେମ୍ୱରରେ ବିଧାନସଭା ନିର୍ବାଚନ ହୋଇପାରେ।
୧୧୫ ବିଦେଶୀ ଆତଙ୍କୀ
ସୂଚନା ଅନୁସାରେ ବର୍ତ୍ତମାନ ଘାଟିରେ ପାଖାପାଖି ୨୭୦ରୁ ୨୭୫ ଆତଙ୍କୀ ସକ୍ରିୟ ଅଛନ୍ତି। ଏମାନଙ୍କ ମଧ୍ୟରେ ୧୧୫ ବିଦେଶୀ ଆତଙ୍କୀ ଓ ୧୬୨ ସ୍ଥାନୀୟ ଆତଙ୍କୀ ଅଛନ୍ତି। ଇଣ୍ଟେଲିଜେନ୍ସ ରିପୋର୍ଟ ଅନୁସାରେ ପାକିସ୍ତାନ ପକ୍ଷରୁ ପାଖାପାଖି ୨୦୦ ଆତଙ୍କୀ ଭାରତୀୟ ସୀମାରେ ପ୍ରବେଶର ଲକ୍ଷ୍ୟରେ ଅଛନ୍ତି। ଆତଙ୍କୀମାନଙ୍କର ୧୪ ରୁ ୧୬ ଲଞ୍ଚ ପ୍ୟାଡ ଥିଲାବେଳେ ସେମାନେ ସୀମା ପ୍ରବେଶର ଚେଷ୍ଟାରେ ଅଛନ୍ତି। ଦୁଇଦିନ ତଳେ ସେନାବାହିନୀ ଏହି ଅନୁପ୍ରବେଶ ଉଦ୍ୟମକୁ ବିଫଳ କରିଥିଲା। ତିନିଦିନ ତଳେ ଯେତେବେଳେ ପାକିସ୍ତାନ ପଟରୁ ସିଜଫାୟାର ଉଲ୍ଲଂଘନ ହୋଇଥିଲା ସେତେବେଳେ ଏହି ଅନୁପ୍ରବେଶର ଜୋରଦାର ଉଦ୍ୟମ ହୋଇଥିଲା।
ଗୁଜବକୁ ଧ୍ୟାନ ଦିଅନ୍ତୁ ନାହିଁ : ରାଜ୍ୟପାଳ

ଜାମ୍ମୁ କଶ୍ମୀରରେ ଦେଖାଦେଇଥିବା ଏହି ପରିସ୍ଥିତିକୁ ନେଇ ଶୁକ୍ରବାର ବିଳମ୍ୱିତ ରାତି ପର୍ଯ୍ୟନ୍ତ ବିଭିନ୍ନ ରାଜନୈତିକ ଦଳର ନେତାମାନେ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ଭୋଟି ଥିଲେ। ନେତାମାନଙ୍କର ପ୍ରତିନିଧି ମଣ୍ଡଳ କଶ୍ମୀରରେ ଭୟାନକ ବାତାବରଣ ନେଇ ଚିନ୍ତା ପ୍ରକଟ କରିଥିଲେ। ଆଉ ଏହି ପ୍ରସଙ୍ଗରେ ରାଜ୍ୟପାଳ ଗୁଜବକୁ ଧ୍ୟାନ ନ ଦେବା ପାଇଁ ପରାମର୍ଶ ଦେଇଥିଲେ।
ସଂସଦରେ ଦିଆଯାଉ ବୟାନ : ଓମର

ଶନିବାର ପୂର୍ବ ମୁଖ୍ୟମନ୍ତ୍ରୀ ଓମର ଅବଦୁଲା ତାଙ୍କ ପ୍ରତିନିଧି ମଣ୍ଡଳ ସହ ଭେଟିଥିଲେ ରାଜ୍ୟପାଳଙ୍କୁ। ଓମର କହିଛନ୍ତି ଯେ, ରାଜ୍ୟପାଳ ଆମ ଆଗରେ ଶୁକ୍ରବାର ଦେଇଥିବା ବୟାନକୁ ଦୋହରାଇଥିଲେ। ସେ କହିଥିଲେ ଯେ, ରାଜ୍ୟରେ ୩୭୦, ୩୫-ଏ କି ଜନସଂଖ୍ୟା ଆଧାରରେ ଆସନକୁ ନେଇ କୌଣସି ନିଷ୍ପତ୍ତି ହେବାକୁ ଯାଉନାହିଁ। ଉମର ଦାବି କରିଛନ୍ତି ଯେ, ବର୍ତ୍ତମାନର ଏହି ପରିସ୍ଥିତିରେ ସଂସଦରେ ଉତ୍ତର ରଖିବାର ବଡ଼ ଆବଶ୍ୟକତା ରହିଛି। ଉମର ଆହୁରି କହିଛନ୍ତି ଯେ, ଆମେ ଅଧିକାରୀମାନଙ୍କୁ ପଚାରି ଆସୁଛୁ ଏଠାରେ କ’ଣ ହେଉଛି? ସେମାନଙ୍କ ଉତ୍ତର ହେଉଛି ଏଠାରେ ତ କିଛି ହେଉଛି, ହେଲେ କ’ଣ ହେଉଛି ତାହାର ସୂଚନା ଆମ ନିକଟରେ ନାହିଁ। ରାଜ୍ୟପାଳ ଆମକୁ ବିଶ୍ୱାସ ଓ ଭରସା ଦେଇଛନ୍ତି ଯେ, ୩୫- ଏ ଉଚ୍ଛେଦ ନେଇ କୌଣସି ପ୍ରସ୍ତୁତି ହୋଇନାହିଁ।
ପିଡିପି ବୈଠକ

ଏହି ଘଟଣାକୁ ନେଇ ମେହେବୁବା ମୁଫତିଙ୍କ ନେତୃତ୍ୱରେ ପିଡିପିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ମେହେବୁବା କହିଛନ୍ତି ଯେ, କେନ୍ଦ୍ରସରକାର ବର୍ତ୍ତମାନର ଘଟଣାକ୍ରମର କାରଣକୁ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହାଁନ୍ତି। ଅଞ୍ଚଳରେ ଅରାଜକତା ମାହୋଲ ସୃଷ୍ଟି ହୋଇଛି। ଶୁକ୍ରବାର ଆମେ ରାଜ୍ୟପାଳଙ୍କୁ ଭେଟିଥିଲୁ। ହେଲେ ତାଙ୍କ ଉତ୍ତରରେ ଆମେ ସନ୍ତୁଷ୍ଟ ହୋଇନାହୁଁ ।
ଗତ କିଛିଦିନର ଘଟଣାବଳୀ
୨୭ ଜୁଲାଇ: ୧୦ହଜାରରୁ ଅଧିକ ସୈନିକଙ୍କୁ ଜାମ୍ମୁକଶ୍ମୀର ପଠାଯାଇଥିଲା।
୨୮ ଜୁଲାଇ: ପ୍ରଧାନମନ୍ତ୍ରୀ ମୋଦୀ ମନ କୀ ବାତ କାର୍ଯ୍ୟକ୍ରମରେ ଜାମ୍ମୁ-କଶ୍ମୀର ଉପରେ ଫୋକସ କରିଥିଲେ। ସେ କହିଥିଲେ ଯେ, ବିକାଶର ସହଯୋଗରେ ବନ୍ଧୁକ ଏବଂ ବୋମା ଉପରେ ବିଜୟ ସମ୍ଭବ।
୩୦ ଜୁଲାଇ: ଦିଲ୍ଲୀରେ ଜାମ୍ମୁ କଶ୍ମୀର ବିଜେପି କୋର ଗ୍ରୁପର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବିଧାନସଭା ନିର୍ବାଚନ ଚଳିତ ବର୍ଷ ହେବ ବୋଲି ସଂକେତ ମିଳିଥିଲା।

ଗୃହମନ୍ତ୍ରୀ ଅମିତ ଶାହା ଏବଂ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପୂର୍ବରୁ ଜାମ୍ମୁ-କଶ୍ମୀର ଗସ୍ତ କରି ମୁଖ୍ୟ ସଚିବ, ଡିଜିପି ଏବଂ ଗୁପ୍ତଚର ବିଭାଗର ଅଧିକାରୀଙ୍କ ସହିତ ସ୍ଥାନୀୟ ଲୋକଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି।
ସିଆରପିଏଫର ପୂର୍ବ ଡିଜି କେ.ବିଜୟ କୁମାର ଏବଂ ଆଇବିର ପୂର୍ବ ନିଦ୍ଦେର୍ଶକ ଦିନେଶ୍ୱର ଶର୍ମାଙ୍କ ମଧ୍ୟରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା ଯେ, ରାଜ୍ୟରେ ସୁରକ୍ଷାବଳଙ୍କ ସଂଖ୍ୟା ବୃଦ୍ଧି
କରାଯାଉ।
ର’ର ସେକ୍ରେଟାରୀ ସାମନ୍ତ ଗୋଏଲ ମଧ୍ୟ ଜାମ୍ମୁ-କଶ୍ମୀର ପହଞ୍ଚିଥିଲେ। ସେ ସେଠାରେ କିଛି ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ସୀମାବର୍ତ୍ତୀ ଅଞ୍ଚଳକୁ ଗସ୍ତ କରିବା ସହ ଆତଙ୍କୀମାନଙ୍କୁ ମିଳୁଥିବା ସହଯୋଗ ଏବଂ ସ୍ଥାନୀୟ ପାକ
ସମର୍ଥୀତ ଆତଙ୍କୀ ସମୂହ ସମ୍ପର୍କରେ ସୂଚନା ହାସଲ କରିଥିଲେ।
ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରାମର୍ଶଦାତା ସଂଖ୍ୟାକୁ ୪ କୁ ବୃଦ୍ଧି କରାଯାଇଛି। ଜାମ୍ମୁ କଶ୍ମୀରର ରାଜନୀତି ଉପରେ ବିଶେଷ ନଜର ରଖୁଥିବା ଫାରୁଖ ଖାନଙ୍କୁ ମଲ୍ଲିକଙ୍କ ଟିମରେ ସାମିଲ କରାଯାଇଛି। କେନ୍ଦ୍ର ସରକାରଙ୍କ କିଛି ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରି ଖାନ ନୂଆ ଜାମ୍ମୁ କଶ୍ମୀରର ଏକ ରୂପରେଖ ପ୍ରସ୍ତୁତ କରିଛନ୍ତି।