ହୋଟେଲ, କ୍ଲବ, ବାରରେ ମଦ ବିକ୍ରିକୁ କର୍ଣ୍ଣାଟକ ସରକାରଙ୍କ ଅନୁମତି
ଭୁବନେଶ୍ୱର, (ଓଡ଼ିଶା ଟାଇମ୍) : ଦିନକରେ ୧୬୫ କୋଟି ଟଙ୍କାର ମଦ ବିକ୍ରି କରିଥିବା କଣ୍ଣାଟକ ସରକାର ଏବେ ମଦବିକ୍ରିକୁ ରାଜସ୍ଵ ବୃଦ୍ଧିର ଏକ ପ୍ରମୁଖ ମାଧ୍ୟମ କରିଛନ୍ତି। ଏଥିଲାଗି ଲକ୍ଡାଉନ୍ ସମୟରେ ମଧ୍ୟ ହୋଟେଲ, କ୍ଲବ, ବାର ଓ ରେସ୍ତୋରାଁରେ ଆଲକହଲ ମିଶ୍ରିତ ପାନୀୟ (ମଦ) ବିକ୍ରି କରିବା ଲାଗି କର୍ଣ୍ଣାଟକ ସରକାର ଅନୁମତି ଦେଇଛନ୍ତି । ତେବେ ହୋଟେଲ, କ୍ଲବ ଓ ବାରରେ ବସି ଲୋକେ ମଦ ପିଇପାରିବେ ନାହିଁ। ଏଠାରୁ ମଦ କିଣି ଘରକୁ ନେଇପାରିବେ ।
ମହଜୁଦ ଥିବା ଭାରତ ତିଆରି ବିଦେଶୀ ମଦ (ଆଇଏମଏଫଏଲ) ବିକ୍ରିକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ତୃତୀୟ ପର୍ଯ୍ୟାୟ ଲକଡାଉନ ଅବଧି ଶେଷ ତାରିଖ ମେ ୧୭ ପର୍ଯ୍ୟନ୍ତ ଏହି ସବୁସ୍ଥାନରେ ମଦ ସକାଳ ୯ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବିକ୍ରି କରାଯିବ । ତେବେ କଣ୍ଟେନମେଣ୍ଟ ଜୋନରେ ଥିବା କ୍ଲବ, ହୋଟେଲ ଓ ବାରରେ ମଦ ବିକ୍ରି କରାଯିବ ନାହିଁ ।
ମଦ ଦୋକାନ ଭଳି ହୋଟେଲ ଓ କ୍ଲବରେ ମଦ ବିକ୍ରି ସମୟରେ ଆବଶ୍ୟକ ସାମାଜିକ ଦୂରତ୍ୱ ରକ୍ଷା କରାଯିବ । କଣ୍ଟେନମେଣ୍ଟ ଜୋନରେ ଥିବା ମଦ ଦୋକାନ ଗୁଡିକରେ ମଦ ବିକ୍ରି ପାଇଁ ମେ ୪ରୁ ରାଜ୍ୟ ସରକାର ଅନୁମତି ଦେଇଥିବାବେଳେ ହୋଟେଲ, ବାର ଓ କ୍ଲବ କ୍ଷେତ୍ରରେ ଏପରି ଅନୁମତି ଦିଆଯାଇ ନାହିଁ । କର୍ଣ୍ଣାଟକ ସରକାର ମଦ ଉପରେ ଅବକାରୀ ଶୁଳ୍କ ପରିମାଣ ୨୫ରୁ ୩୧% ବୃଦ୍ଧି କରିଛନ୍ତି । ଅବକାରୀ ଶୁଳ୍କ ବୃଦ୍ଧି ପରେ କର୍ଣ୍ଣାଟକରେ ମଦ ବିକ୍ରି ହ୍ରାସ ପାଇଥିବା ଦେଖାଯାଇଛି । ବୁଧବାର ରାଜ୍ୟରେ ଗୋଟିଏ ଦିନରେ ୨୩୨ କୋଟି ଟଙ୍କାର ମଦ ବିକ୍ରି ହୋଇଥିବାବେଳେ ଶୁକ୍ରବାର ଏହି ବିକ୍ରି ପରିମାଣ ୧୩୧ କୋଟିକୁ ହ୍ରାସ ପାଇଛି ।
ଲକଡାଉନ ପରେ ଦେଶରେ ମଦ ବିକ୍ରିକୁ ନେଇ ଅନେକ ବାଦ ବିବାଦ ଲାଗି ରହିଛି । ଏପରିକି ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କୁ ହସ୍ତକ୍ଷେପ କରିବାକୁ ପଡିଛି । ମଦ ଦୋକାନଗୁଡିକରେ ଗ୍ରାହକଙ୍କ ଭିଡକୁ ଦେଖି ସୁପ୍ରିମକୋର୍ଟ ଏହାର ଅନଲାଇନ ବିକ୍ରି ଲାଗି ରାଜ୍ୟ ସରକାରଗୁଡିକୁ ପରାମର୍ଶ ଦେଇଛନ୍ତି । ଲକଡାଉନ ସମୟରେ ମଦ ବିକ୍ରି ବନ୍ଦ ରହିଥିବାବେଳେ ଏହାକୁ ନେଇ ଚୋରା କାରବାର ବୃଦ୍ଧି ପାଇଥିଲା । ପରେ ସରକାର ମଦ ବିକ୍ରିକୁ ଅନୁମତି ଦେଇଥିଲେ । ମଦ ଦୋକାନ ଖୋଲିବା ପରେ ମଦ ଦୋକାନରେ ଗ୍ରାହକଙ୍କ ଭିଡ ସାଧାରଣରେ ଆଶ୍ଚର୍ଯ୍ୟର ବିଷୟ ହୋଇଛି । ଏହି ଭିଡକୁ ଦେଖି ଅନେକ ରାଜ୍ୟ ସରକାର ମଦ ଉପରେ ଅବକାରୀ ଶୁଳ୍କ ପରିମାଣ ବୃଦ୍ଧି କରିଛନ୍ତି ।