#କୋଭିଡ୍-୧୯: ହୋମ୍ କ୍ୱାରେଣ୍ଟାଇନରେ ରୁହ, ସେଲ୍ଫି ପଠାଅ

Representative Image

ବେଙ୍ଗାଲୁରୁ (ଓଟି): ମହାମାରୀ କରୋନା ଚିନ୍ତା ସବୁଠି ବଢ଼ିଛି। ଏଥିପାଇଁ ସରକାର ପଦକ୍ଷେପ ନେବା ସହ ସାଧାରଣ ଜନତାଙ୍କୁ ବାରମ୍ବାର ସତର୍କ ଓ ସଚେତନତା କରାଉଛନ୍ତି। କିନ୍ତୁ ହୋମ୍‌ କ୍ୱାରେଣ୍ଟାଇନରେ ଥିବା ଲୋକେ ନିୟମ ନ ମାନି ବାହାରେ ବୁଲୁଥିବା ବିଭିନ୍ନ ସ୍ଥାନରେ ଅଭିଯୋଗ ହେଉଛି। ଏଥିପାଇଁ କର୍ଣ୍ଣାଟକ ସରକାର ଏକ ଅଭିନଭ ଉପାୟ ଅବଲମ୍ବନ କରିଛନ୍ତି। ହୋମ୍‌ କ୍ଵାରେଣ୍ଟାଇନ୍‌ରେ ଥିବା ଲୋକଙ୍କୁ ସେଲ୍‌ଫି ପଠାଇବା ପାଇଁ ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁସାରେ ହୋମ୍‌ କ୍ୱାରେଣ୍ଟାଇନରେ ଥିବା ଯେକେହି ଘଣ୍ଟାକୁ ଥରେ ନିଜର ସେଲ୍‌ଫି ଉଠାଇ ସରକାରଙ୍କ ନିକଟକୁ ପଠାଇବା ବାଧ୍ୟତାମୂଳକ ବୋଲି କର୍ଣ୍ଣାଟକରେ ନିର୍ଦ୍ଦେଶ ଜାରି ହୋଇଛି। ଏହି ନିୟମ ଉଲ୍ଲଂଘନ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସରକାରୀ କ୍ୱାରେଣ୍ଟାଇନ କେନ୍ଦ୍ରକୁ ପଠାଯିବ ବୋଲି ଚେତାବନୀ ଦିଆଯାଇଛି। ଏପରିକି ସେଲ୍ଫି ପଠାଇବା ନିମନ୍ତେ ସରକାରଙ୍କ ପକ୍ଷରୁ ଏକ ମୋବାଇଲ ଆପ୍ଲିକେସନ ମଧ୍ୟ ପ୍ରସ୍ତୁତ କରାଯାଇଛି। ଏହାକୁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରି ସେଲ୍‌ଫି ପଠାଇବାକୁ ହେବ। ତେବେ ରାତି ୧୦ରୁ ସକାଳ ୭ ପର୍ଯ୍ୟନ୍ତ ଏହି ନିୟମ କାର୍ଯ୍ୟକାରୀ ହେବନି । କ୍ୱାରେଣ୍ଟାଇନରେ ଥିବା ଲୋକମାନେ ପଠାଇଥିବା ଫଟୋଗୁଡିକୁ ତଦାରଖ କରିବା ପାଇଁ ରାଜ୍ୟ ସରକାର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ ଟିମ୍‌ ଗଠନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, କର୍ଣ୍ଣାଟକରେ ମୋଟ ୪୩,୦୦୦ ଲୋକଙ୍କୁ ହୋମ୍‌ କ୍ୱାରେଣ୍ଟାଇନରେ ରଖାଯାଇଥିବା ବେଳେ ୩୦,୦୦୦ ଲୋକ ୧୪ ଦିନିଆ କ୍ୱାରେଣ୍ଟାଇନ ଅବଧି ପୂରଣ କରିସାରିଲେଣି। ୧୪୨ ଜଣ ଲୋକ ହୋମ୍‌ କ୍ୱାରେଣ୍ଟାଇନ ନିୟମ ପାଳନ ନ କରି ବାହାରେ ବୁଲୁଥିବା ଜଣାପଡ଼ିବା ପରେ ସେମାନଙ୍କୁ ସରକାରୀ କ୍ୱାରେଣ୍ଟାଇନ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗତ ରବିବାର ୨୨ ଓ  ସୋମାବାର ୧୦ ଜଣ ନିୟମ ଭାଙ୍ଗିଥିବା ଅଭିଯୋଗ ହୋଇଥିଲା। କର୍ଣ୍ଣାଟକରେ ୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୬ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି।

 

Leave a Reply

Your email address will not be published. Required fields are marked *