ଅଯୋଧ୍ୟା ବିବାଦକୁ ନେଇ ଫିଲ୍ମ କରିବେ କଙ୍ଗନା
ପ୍ରଶଂସକ ମହଲରେ ବଲିଉଡର ମଣିକର୍ଣ୍ଣିକା ବୋଲାଉଥିବା କଙ୍ଗନା ରଣାୱତ୍ ଆଗାମୀ ଦିନରେ ପ୍ରଯୋଜନା କ୍ଷେତ୍ରରେ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ଗୋଟିଏ ସପ୍ତାହ ପୂର୍ବରୁ ତାଙ୍କର ନିଜସ୍ୱ ପ୍ରଡକସନ୍ ହାଉସ୍ ‘ମଣିକର୍ଣ୍ଣିକା ଫିଲ୍ମସ୍’ର ଘୋଷଣା ହୋଇଥିଲା । ଏହି ଖୁସି ଖବରକୁ କଙ୍ଗନାଙ୍କ ଭଉଣୀ ରଙ୍ଗୋଲି ସୋସିଆଲ୍ ମିଡିଆରେ ସେୟାର୍ କରିଥିଲେ । ଏହି ପ୍ରଡକସନ୍ ହାଉସର ପ୍ରଥମ ଫିଲ୍ମ ଭାବେ କଙ୍ଗନା ଅଯୋଧ୍ୟା ବିବାଦର କଥାବସ୍ତୁକୁ ନେବାକୁ ମନସ୍ଥ କରିଛନ୍ତି । ଫିଲ୍ମର ନାଁ ରଖାଯାଇଛି ‘ଅପରାଜିତ ଅଯୋଧ୍ୟା’ ଏବଂ ‘ବାହୁବଳୀ’ ଫେମ୍ କେ.ବି.ବିଜୟେନ୍ଦ୍ର ଏହାର କାହାଣୀ ରଚନା କରିବେ ବୋଲି ସୂଚନା ମିଳିଛି ।
ଏ ସମ୍ପର୍କରେ କଙ୍ଗନା କହିଛନ୍ତି ଯେ – ବିଗତ ଅନେକ ବର୍ଷ ଧରି ଅଯୋଧ୍ୟା ବିବାଦ ଏକ ଜ୍ୱଳନ୍ତ ବିଷୟ । କିନ୍ତୁ ଏବେ କୋର୍ଟର ଐତିହାସିକ ରାୟ ପରେ ଭାରତର ଏକତା ଓ ଅଖଣ୍ଡତା ଓ ଧର୍ମନିରପେକ୍ଷତା ବିଶ୍ୱ ପାଇଁ ଉଦାହରଣ । ତେଣୁ ଫିଲ୍ମର ନାଁ ‘ଅପରାଜିତ’ ଶଦ୍ଦରୁ ଆରମ୍ଭ କରାଯାଇଛି । ଅଯୋଧ୍ୟା ବିବାଦ ସମ୍ପର୍କରେ ପୂର୍ବରୁ ଅନେକ ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମିତ । କିନ୍ତୁ ଏହାର କାହାଣୀ ଅନ୍ୟଫିଲ୍ମ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ହେବ । ଫିଲ୍ମର ନାୟକ ନାସ୍ତିକରୁ କିଭଳି ଭାବେ ଆସ୍ତିକ ହେଉଛି, ତାହାକୁ ନେଇ କାହାଣୀ ଆଗକୁ ବଢ଼ିବ । ସହ ନିର୍ଦ୍ଦେଶିକା ଓ ଦକ୍ଷ ଅଭିନେତ୍ରୀ ପରେ ପ୍ରଯୋଜନା କ୍ଷେତ୍ରରେ କଙ୍ଗନା କ’ଣ ସବୁ ସଫଳତା ହାସଲ କରୁଛନ୍ତି, ତାହା ଦେଖିବା ବାକି ରହିଲା ।