ବାହାଘର ପାଇଁ କଲ୍ୟାଣ ମଣ୍ଡପ ବୁକିଂ କରୁଥିଲେ ଧ୍ୟାନ ଦିଅନ୍ତୁ: ଏସବୁ ମଣ୍ଡପ ହୋଇପାରେ ସିଲ୍
ଭୁବନେଶ୍ଵର, (ଓଟି): ଆଉ କିଛିଦିନ ପରେ ବାହାଘର ସିଜିନ୍ ଆରମ୍ଭ ହେବ। ଆଉ ଯଦି ଆପଣଙ୍କ ଘରେ ବା ବନ୍ଧୁବର୍ଗରେ କାହାର ବାହାଘର ହେଉଛି ତେବେ ଆପଣ କଲ୍ୟାଣ ମଣ୍ଡପ ବୁକିଂ କରିବେଣି। କିନ୍ତୁ ଧ୍ୟାନ ଦିଅନ୍ତୁ, ଆପଣ ଯେଉଁ କଲ୍ୟାଣ ମଣ୍ଡପରେ ବାହାଘର ପାଇଁ ବୁକିଂ କରିଛନ୍ତି ତାହା ବେଆଇନ୍ ହୋଇପାରେ। କୌଣସି ବି ମୁହୂର୍ତ୍ତରେ ତାହାକୁ ଭୁବନେଶ୍ଵର ମହାନିଗର ନିଗମ ବେଆଇନ୍ ଘୋଷଣା କରି ସିଲ୍ କରିଦେଇପାରେ। କାରଣ ବିଭିନ୍ନ ପ୍ରକାର ଅନିୟମିତତାରେ ଏହି କଲ୍ୟାଣମଣ୍ଡପଗୁଡ଼ିକ ଛନ୍ଦି ହୋଇପଡ଼ିଛନ୍ତି। ଆଉ ବିଏମ୍ସି କମିଶନର ଏମାନଙ୍କୁ ନିର୍ଦ୍ଧାରିତ ରେକର୍ଡ଼ପତ୍ର ଯୋଗାଡ଼ କରିବାକୁ ସମୟ ଦେଇଛନ୍ତି। ଯଦି ଜାନୁୟାରୀ ଶେଷସୁଦ୍ଧା କୌଣସି ମଣ୍ଡପ ଆବଶ୍ୟକ କାଗଜପତ୍ର ଦାଖଲ ନକରୁଛନ୍ତି ତେବେ ସେଥିପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମ୍ସି କମିଶନର ପ୍ରେମ୍ଚନ୍ଦ୍ର ଚୌଧରୀ କହିଛନ୍ତି।
ମଙ୍ଗଳବାର ସନ୍ଧ୍ୟାରେ ବିଏମ୍ସି ଜାରି କରିଥିବା ଏକ ତାଲିକା ଅନୁସାରେ ସହରର ୯୪ କଲ୍ୟାଣ ମଣ୍ଡପରୁ ଅଧିକାଂଶ ମଣ୍ଡପର କାଗଜପତ୍ର ଠିକ୍ ନାହିଁ। କେଉଁଠି ଘରୋଇ ବାସଭବନ ବା ଦୋକାନ ଘର କହି କଲ୍ୟାଣ ମଣ୍ଡପ ଚାଲୁଛି ତ ଆଉ କେଉଁଠି ଅଫିସ କରିବେ ବୋଲି କହି ତାହାକୁ କଲ୍ୟାଣ ମଣ୍ଡପରେ ପରିଣତ କରାଯାଇଛି। ଏମିତି କି ଅନେକ ସ୍ଥାନରେ ଟ୍ୟେଡ୍ ଲାଇସେନ୍ସ ନାହିଁ। ପୁଣି ମାତ୍ର ୧୨ଟି ମଣ୍ଡପରେ ନିର୍ମିତ ଘରଗୁଡ଼ିକର ବିଲ୍ଡିଂ ପ୍ଲାନ୍ ଅନୁମୋଦିତ। ଅନ୍ୟସବୁ ଢାଞ୍ଚା ବେଆଇନ ଭାବେ ନିର୍ମିତ।
ମିଳିଥିବା ତଥ୍ୟ ଅନୁସାରେ ୯୪ରୁ ମାତ୍ର ୧୬ଟିରେ ପାର୍କିଂ ପାଇଁ ସ୍ଥାନ ରହିଛି। କିନ୍ତୁ ଏହି ୧୬ରୁ ୧୨ଟି ପାର୍କିଂସ୍ଥଳ ଆବଶ୍ୟକ ପାର୍କିଂ ସ୍ଥଳଠୁ କମ୍ ସ୍ଥାନ ରହିଛି। ଅର୍ଥାତ୍ ମାତ୍ର ୪ଟି ମଣ୍ଡପରେ ପାର୍କିଂ ପାଇଁ ପର୍ଯ୍ୟାପ୍ତ ସ୍ଥାନ ରହିଛି।
୨୩ଟି ମଣ୍ଡପ ବା ଢାଞ୍ଚା ବ୍ୟବସାୟ କରିବା ଲାଗି ଅନୁମତି ପାଇଛନ୍ତି। ୧୨ଟିର କୋଠା ନକ୍ସ ଅନୁମୋଦିତ। ଖାଲି ସେତିକି ନୁହେଁ ସରକାର ବା ବିଏମ୍ସି ଦ୍ଵାରା ପରିଚାଳିତ କଲ୍ୟାଣମଣ୍ଡପଗୁଡ଼ିକରେ ମଧ୍ୟ ଆବଶ୍ୟକ ଅନୁମୋଦନ ନାହିଁ।
ଏହି ଅନୁମତି ନଥିବା କଲ୍ୟାଣମଣ୍ଡପଗୁଡ଼ିକୁ ଆବଶ୍ୟକ କାଗଜପତ୍ର ଯୋଗାଡ଼ କରିବା ଲାଗି ବିଏମ୍ସି ସମୟ ଦେଇଛି। ଜାନୁୟାରୀ ମାସ ୩୧ ତାରିଖ ସୁଦ୍ଧା ଏହି କାମ ଶେଷ କରିବାକୁ କୁହାଯାଇଛି। ନହେଲେ ବିଏମ୍ସି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବ ବୋଲି ମିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି।