ଭୁଲରେ ଯାଇଥିବା କାଳିଆ ଯୋଜନା ଟଙ୍କା ଫେରାଇ ଅଣାଯିବ : କୃଷି ସଚିବ
ପ୍ରଭାବଶାଳୀ ଓ ଆର୍ଥିକ ସ୍ବଚ୍ଛଳ ବ୍ୟକ୍ତିଙ୍କୁ ମଧ୍ୟ କାଳିଆ ଯୋଜନାରେ ମିଳିଥିବା ଟଙ୍କା ଫେରାଇ ଅଣାଯିବ ବୋଲି ଗୁରୁବାର କୃଷି ସଚିବ ସୌରଭ ଗର୍ଗ ଏହି ସୂଚନା ଦେଇଛନ୍ତି। କୃଷି ସଚିବ ସୌରଭ ଗର୍ଗଙ୍କ ସୂଚନା ଅନୁସାରେ ପ୍ରଭାବଶାଳୀ ଏବଂ ବଡବଡିଆଙ୍କ ଜମାଖାତାକୁ ଭୁଲବଶତଃ ଯାଇଥିବା ଟଙ୍କା ଫେରାଇ ଅଣାଯିବ । ୧ ଜାନୁଆରି ଯାଏ ମୋଟ ୨୨ଲକ୍ଷ ହିତାଧିକାରୀ କାଳିଆ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଟଙ୍କା ପାଇବା ପାଇଁ ତାଲିକା ଭୁକ୍ତ ହୋଇଥିବା ବେଳେ ପ୍ରାୟ ୫ ଲକ୍ଷ ରେଡ ଫର୍ମ ଆସିଛି ।
ତେଣୁ ପ୍ରାୟ ୧୨.୪୫ ଲକ୍ଷ ହିତାଧିକାରୀଙ୍କ ନାଁ ଚୂଡାନ୍ତ ତାଲିକାରେ ରହିଛି ଯେଉଁମାନେ କି କାଳିଆ ଟଙ୍କା ପାଇବାକୁ ଯୋଗ୍ୟ ହୋଇଛନ୍ତି । ତେବେ ପୁଣିଥରେ ରେଡଫର୍ମକୁ ତର୍ଜମା କରାଯାଇ ପ୍ରଭାବଶାଳୀ ଏବଂ ବଡବଡିଆଙ୍କ ଜମାଖାତାକୁ ଯାଇଥିବା ଟଙ୍କାକୁ ଫେରାଇ ଅଣାଯିବ ବୋଲି କୃଷି ସଚିବ ସୂଚନା ଦେଇଛନ୍ତି ।
ଯେଉଁ ତାଲିକାକୁ ନେଇ ଗୁଜବ ହେଉଛି ତାହା ଜାନୁଆରୀର ୧ତାରିଖର ଚିଠା ତାଲିକା । ୨୦.୪୩ ଲକ୍ଷ ଚାଷୀଙ୍କ ଚିଠା ତାଲିକା ହୋଇଥିଲା । ଏହି ଚିଠା ତାଲିକାକୁ ତର୍ଜମା କରାଯାଇ ୧୨.୪୫ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଜାନୁଆରୀ ୨୫ ତାରିଖରେ କାଳିଆ ସହାୟତା ପ୍ରଦାନ କରାଯାଇଛି । ଯେଉଁ ହିତାଧିକାରୀଙ୍କୁ ସହାୟତା ଦିଆଯାଇଛି ସେମାନଙ୍କ ପୃଷ୍ଠଭୂମୀ ଭଲଭାବେ ଯାଞ୍ଚ ହୋଇଛି । ଚିଠା ତାଲିକାରୁ ସ୍ୱତଃପ୍ରବୃତ୍ତ ଭାବେ ନାମ ବାଦ କରିବାକୁ ଦେଢ଼ ଲକ୍ଷ ଆବେଦନ ନାଳିଆ ଫର୍ମରେ ଆସିଥିଲା ।
୧୨.୪୫ ଲକ୍ଷ କ୍ଷୁଦ୍ର ଚାଷୀଙ୍କ ସହ ୫୦ ହଜାର ଋଣୀ ଚାଷୀଙ୍କୁ ବି ସହାୟତା ଦିଆଯାଇଛି । ୭ ଲକ୍ଷ ଚାଷୀଙ୍କୁ ୫୦୦୦ ଟଙ୍କା କାଳିଆ ସହାୟତା ପଠାଇବା ପୂର୍ବରୁ ୧ ଟଙ୍କା ଲେଖାଏଁ ଟେଷ୍ଟିଂ ପାଇଁ ଡିବିଟିରେ ବ୍ୟାଙ୍କରୁ ପଠାଯାଇଥିଲା । ତାକୁ ନେଇ ମଧ୍ୟ ଗୁଜବ ହେଉଛି । ତାଲିକାଭୁକ୍ତ ୨୦ ହଜାର ଚାଷୀ ୨୫ ତାରିଖରେ ବୈଷୟିକ ତ୍ରୁଟି ଯୋଗୁ ଅର୍ଥ ପାଇପାରିନାହାନ୍ତି । ସେମାନଙ୍କୁ ଖୁବଶୀଘ୍ର ସହାୟତ ଆକାଉଣ୍ଟରେ ପ୍ରଦାନ କରାଯିବ ବୋଲି କୃଷି ସଚିବ କହିଛନ୍ତି ।