୨୨ସୁଦ୍ଧା କାଳିଆ ତାଲିକା
କାଳିଆ ଯୋଜନାରେ ପଡିଥିବା ସମସ୍ତ ସବୁଜ ଓ ନାଲି ଫର୍ମକୁ ଚଳିତମାସ ୨୨ ତାରିଖ ସୁଦ୍ଧା ଡାଟା ଏଣ୍ଟ୍ରି ସାରି ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । କାଳିଆ ଯୋଜନାର କାର୍ଯ୍ୟାନ୍ୱୟନ ସମୀକ୍ଷା ସମୟରେ ଜିଲ୍ଲାପାଳମାନଙ୍କ ସହ ଆଲୋଚନାପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।ସମୀକ୍ଷାରୁ ଜଣାପଡିଛି ଯେ ବର୍ତ୍ତମାନ ସୁଦ୍ଧା କାଳିଆ ଯୋଜନାରେ ନାମ ଅର୍ନ୍ତଭୁକ୍ତ ପାଇଁ ୬୬ଲକ୍ଷ ପର୍ଯ୍ୟନ୍ତ ସବୁଜ ଫର୍ମ ପଡିଛି । ନାମ କାଟିବାପାଇଁ ପ୍ରାୟ ଏକ ଲକ୍ଷ ନାଲି ରଙ୍ଗର ଫର୍ମ ବି ପଡିଛି ।
ଏକାଧିକ ଦରଖାସ୍ତ, ଧନୀ କୃଷକ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ, କାର୍ଯ୍ୟରତ ସରକାରୀ କର୍ମଚାରୀ ଓ ସାଧାରଣ ଉଦ୍ୟୋଗ ଆଦିରେ କାର୍ଯ୍ୟରତ କର୍ମଚାରୀଙ୍କ ନାମ ତାଲିକାରୁ ବାଦ୍ ଦେବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ପଞ୍ଚାୟତ, ବ୍ଲକ ଓ ଜିଲ୍ଲାସ୍ତରରେ ଆବଶ୍ୟକ କମ୍ପ୍ୟୁଟର ଓ ଡାଟାଏଣ୍ଟ୍ରି ଅପରେଟର ମୁତୟନ କରାଯାଇଛି ।
ଯୁଦ୍ଧକାଳୀନ ଭିତ୍ତିରେ ୩ଟି ସିଫ୍ଟିରେ ଡାଟା ଏଣ୍ଟ୍ରି କରିବାପାଇଁ ଜିଲ୍ଲାପାଳମାନଙ୍କୁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀ ନିର୍ଦ୍ଦେଶ ଦେଇଛନ୍ତି । ଦୈନିକ ପ୍ରାୟ ୧୦ଲକ୍ଷ ୫୦ହଜାର ପର୍ଯ୍ୟନ୍ତ ଫର୍ମର ତଥ୍ୟ କମ୍ପ୍ୟୁଟର ସର୍ଭରରେ ଅପଲୋଡ୍ କରାଯାଉଛି ।
ପ୍ରତି ଜିଲ୍ଲାକୁ ପର୍ଯ୍ୟବେକ୍ଷକ ପଠାଯାଇଛି ଯେଉଁମାନେ କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି । ଆବଶ୍ୟକ ହେଲେ ରାତିରେ କାମପାଇଁ ଅଧିକ ଡାଟାଏଣ୍ଟ୍ରି ଅପରେଟରଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରିବା ନିମନ୍ତେ ଶ୍ରୀ ପାଢୀ ଜିଲ୍ଲାପାଳମାନଙ୍କୁ ଅନୁମତି ଦେଇଛନ୍ତି ।
ସମୀକ୍ଷା ବୈଠକରେ ପରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ କହିଛନ୍ତି ଯେ ପୂର୍ବରୁ ୨୨ଲକ୍ଷ ୫୦ହଜାର ଚାଷୀଙ୍କ ଚିଠା ତାଲିକା ପଞ୍ଚାୟତମାନଙ୍କରେ ବିଜ୍ଞାପିତ କରାଯାଇଥିଲା । ଜାନୁୟାରୀ ୨୫ ତାରିଖରେ ପ୍ରଥମ ପର୍ଯ୍ୟାୟ ତାଲିକାଭୁକ୍ତ ଚାଷୀମାନଙ୍କର ବ୍ୟାଙ୍କ୍ ଖାତାକୁ ସିଧାସଳଖ ସହାୟତା ରାଶି ପଠାଯିବ ।
ଦ୍ୱିତୀୟ ପର୍ଯ୍ୟାୟ ସହାୟତା ପାଇଁ ଜାନୁୟରୀ ୨୫ ରୁ ଫେବୃୟାରୀ ୫ ମଧ୍ୟରେ ପଞ୍ଚାୟତ ସ୍ତରରେ ଚିଠା ତାଲିକା ପ୍ରକାଶନ ହେବ । ସମୀକ୍ଷା ବୈଠକରେ ଉନ୍ନୟନ କମିଶନର ଅସିତ ତ୍ରିପାଠୀ, ରାଜସ୍ୱ ଓ ବିପର୍ଯୟ ପରିଚାଳନା ସଚିବ ନିକୁଞ୍ଜ ବିହାରୀ ଧଳ, ସୂଚନା ଓ ଲୋକଙ୍କ ବିଭାଗ ସଚିବ ସଞ୍ଜୟ ସିଂହ, ସମବାୟ ସଚିବ କ୍ରିଷନ କୁମାର ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।











