ଆଉ ଏକ ନୂଆ ରେକର୍ଡ଼ କଲା ‘କଳଙ୍କ’, ଜାଣନ୍ତୁ ୫ଦିନର ବକ୍ସ ଅଫିସ୍ ହାଲଚାଲ୍
କରଣ ଜୋହରଙ୍କ ମଲଟିଷ୍ଟାରର୍ ଫିଲ୍ମ ‘କଳଙ୍କ’ ମାତ୍ର ୫ଦିନ ମଧ୍ୟରେ ୨ଟି ରେକର୍ଡ଼ ସୃଷ୍ଟି କରିସାରିଛି । ରିଲିଜ୍ ହେବାର ପ୍ରଥମ ଦିନରେ ଏହା ୨୧.୬୦କୋଟି ଟଙ୍କାର ବ୍ୟବସାୟ କରିଥିଲା । ଚଳିତବର୍ଷ ପାଇଁ ଓପନିଙ୍ଗ୍ ଡେ’ ବ୍ୟବସାୟ କ୍ଷେତ୍ରରେ ଏହା ‘କେଶରୀ’ର ରେକର୍ଡ଼ କାଟି ପ୍ରଥମ ସ୍ଥାନରେ ରହିଛି । ଏହି ରେକର୍ଡ଼ ପରେ ଏବେ ‘କଳଙ୍କ’ର ଖାତାରେ ଆଉ ଏକ ରେକର୍ଡ଼ ସ୍ଥାନ ପାଇଛି । ବରୁଣ ଓ ଆଲିଆଙ୍କ ଯୋଡ଼ି ଭାବେ ଏହି ଫିଲ୍ମ ଓପନିଙ୍ଗ୍ ଡେ’ରେ ସବୁଠାରୁ ଅଧିକ ବ୍ୟବସାୟ କରି ଦ୍ୱିତୀୟ ରେକର୍ଡ଼ କରିଛି । ଏହା ପୂର୍ବରୁ ‘ବଦ୍ରିନାଥ୍ କି ଦୁଲହନିଆ’ ଓପନିଙ୍ଗ୍ ଡେ’ରେ ୧୨କୋଟି ୨୫ ଲକ୍ଷର ବ୍ୟବସାୟ କରିଥିଲା । ମୁକ୍ତିଲାଭ କରିବାର ୫ଦିନ ମଧ୍ୟରେ ‘କଳଙ୍କ’ର ମୋଟ ବ୍ୟବସାୟ ୬୬.୦୩ କୋଟି ହୋଇଥିଲେ ମଧ୍ୟ ଦିନକୁ ଦିନ ଏହାର ବ୍ୟବସାୟ ହ୍ରାସ ହୋଇଚାଲିଛି ବୋଲି ଟ୍ରେଡ୍ ଆନାଲିଷ୍ଟ୍ ତରଣ ଆଦର୍ଶ ସୂଚନା ଦେଇଛନ୍ତି ।
ବକ୍ସଅଫିସ୍ ବ୍ୟବସାୟ କ୍ଷେତ୍ରରେ ବୁଧବାର ଠାରୁ ଶନିବାର ମଧ୍ୟରେ ୫୦% ବ୍ୟବସାୟ ହ୍ରାସ୍ ହୋଇଛି । ଓପନିଙ୍ଗ୍ ଡେ’ ଅର୍ଥାତ୍ ବୁଧବାର ଦିନ ଏହାର ବ୍ୟବସାୟ ଥିଲା ୨୧.୬୦କୋଟି ଟଙ୍କା । ଗୁରୁବାର ଦିନ ୧୧କୋଟି ୪୫ ଲକ୍ଷ ଟଙ୍କା, ଶୁକ୍ରବାର ଦିନ ୧୧ କୋଟି ୬୦ ଲକ୍ଷ ଟଙ୍କା, ଶନିବାର ଦିନ ୯କୋଟି ୨୫ ଲକ୍ଷ ଟଙ୍କା ଓ ରବିବାର ଦିନ ଏହା ୧୧.୬୦ କୋଟି ଟଙ୍କାର ବ୍ୟବସାୟ କରିଛି । ତେବେ ଏହି ଫିଲ୍ମ ୧୦୦କୋଟି କ୍ଲବରେ ସାମିଲ୍ ହୋଇପାରିବ କି ନାହିଁ, ତାହାକୁ ନେଇ ଏବେ ଫିଲ୍ମଟିମ୍ ଚିନ୍ତାରେ ପଡ଼ିଛନ୍ତି । କାରଣ ଓପନିଙ୍ଗ୍ ଡେ’ ପରେ ଫିଲ୍ମ ପ୍ରତି ଦର୍ଶକଙ୍କ ଆଗ୍ରହ କମି ଗଲା ଭଳି ମନେ ହେଉଛି ।